ନୂଆଦିଲ୍ଲୀ,୦୪/୦୭: ପ୍ରକୃତି କୋପରେ ପାହାଡ଼ି ରାଜ୍ୟ । ଉତ୍ତର ଭାରତରେ ବର୍ଷା ବିଭୀଷିକା ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସବୁ ଛାରଖାର କରିଛି । ଯେଉଁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି । ଧନଜୀବନ ନଷ୍ଟ ହୋଇଛି । ହିମାଚଳ ପ୍ରଦେଶରେ ଏଯାବତ୍ ୩୭ ଜଣଙ୍କ ଜୀବନ ନେଲାଣି ବାଦଳଫଟା ବର୍ଷା । ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି । ଜୁଲାଇ ୭ ଯାଏ ହିମାଚଳ ପ୍ରଦେଶକୁ ରେଡ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ସଙ୍ଗିନ ହୋଇଛି । ୨୦ରୁ ଊଦ୍ଧ୍ୱର୍ ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା ହୋଇଛି । ମୌସୁମୀଜନିତ ବର୍ଷାରେ ହିମାଚଳରେ ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚିଛି । ୨୫୦ରୁ ଅଧିକ ସଡ଼କ ବନ୍ଦ ହୋଇଯାଇଛି । ୯୧୮ ଟ୍ରାନ୍ସଫର୍ମର ଖରାପ ହୋଇଛି । ୧୪୮ ଘର କ୍ଷତିଗ୍ରସ୍ତ ହୋଇଛି । ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ଥୁନାଗ ଉପଖଣ୍ଡ, ଯେଉଁଠାରେ ରାସ୍ତାଘାଟ ବନ୍ଦ ହୋଇଛି । ବିଦ୍ୟୁତ୍ ଏବଂ ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକୀୟ ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି । କେବଳ ମଣ୍ଡିରେ ୪୦ ଜଣ ନିଖୋଜ ଅଛନ୍ତି । ଜୁଲାଇ ୭ ଯାଏ ହିମାଚଳ ପ୍ରଦେଶକୁ ରେର୍ଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ ହେବା ପରେ ହିଁ ଯାତ୍ରା ପୁନଃ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ଉତ୍ତରାଖଣ୍ଡର କେଦାରନାଥ ମାର୍ଗରେ ସୋନପ୍ରୟାଗ ନିକଟରେ ଭୂସ୍ଖଳନ ହୋଇଛି । ଫଳରେ ସେହି ରାସ୍ତା ବନ୍ଦ ହୋଇଯାଇଛି । ଏଥିଯୋଗୁ ପ୍ରାୟ ୪୦ ଶ୍ରଦ୍ଧାଳୁ ଫସି ରହିଥିଲେ । ଏସ୍ଡିଆର୍ଏଫ୍ ଟିମ୍ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।