ନୂଆଦିଲ୍ଲୀ,୦୪/୦୭: ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଖବର ସାମ୍ନାକୁ ଆସିଛି ମହାରାଷ୍ଟ୍ରର ପୁଣେରୁ । ଘରକୁ କୋରିୟର ନେଇ ଆସିଥିବା ଡେଲିଭରୀ ବଏ ହିଁ ଅଭିଯୁକ୍ତ ବୋଲି ବୟାନ ଦେଇଛନ୍ତି ପୀଡ଼ିତା ।
ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ଡେଲିଭରୀ ବଏ ପ୍ରଥମେ ଘରର କଲିଂ ବେଲ୍ ଦେଇଥିଲା । ଯୁବତୀ ଆସି ଦେଖିବା ପରେ ସେ ଓଟିପି ଦେବାକୁ କହିଥିଲା । ଯୁବତୀ ଜଣକ ଘର ଭିତରକୁ ଆସି ନିଜ ମୋବାଇଲରେ ଓଟିପି ଦେଖିବା ଭିତରେ ହିଁ ଅଭିଯୁକ୍ତ ଘର ଭିତରକୁ ପଶି ଆସିଥିଲା । ଆଉ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ମାରିଥିଲା । ପୀଡିତାଙ୍କ କହିବା ଅନୁସାରେ , ଅଭିଯୁକ୍ତ ଜଣକ ପେପର୍ ସ୍ପ୍ରେ ମଧ୍ୟ ବ୍ୟବହାର କରିଥିଲା । ଫଳରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇପଡ଼ିବାରୁ ଏହାର ଫାଇଦା ଉଠାଇଥିଲା ଅଭିଯୁକ୍ତ । ସେହିପରି ଗଣମାଧ୍ୟମ ରିପୋର୍ଟ ମୁତାବକ, ଯୁବତୀଙ୍କ ଫୋନରେ ଅଭିଯୁକ୍ତ ନିଜ ସେଲ୍ଫି ନେଇ 'ମୁଁ ପୁଣି ଆସିବି' ଲେଖିଛି । ପୀଡ଼ିତା ଯଦି ଏ ସଂକ୍ରାନ୍ତରେ କାହାକୁ କୁହନ୍ତି ତ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ବି ଦେଇଥିଲେ।
ଡେପୁଟି ପୋଲିସ କମିଶନର ରାଜକୁମାର ସିନ୍ଦେ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଗତ ବୁଧବାର ସନ୍ଧ୍ୟା ସମୟରେ ଜଣେ ଡେଲିଭରୀ ବଏ ୨୨ ବର୍ଷୀୟ ଯୁବତୀଙ୍କ ଫ୍ଲାଟରେ ପହଞ୍ଚିଥିଲା । ଏକ ବ୍ୟାଙ୍କ୍ ଏନଭେଲପ୍ ଦେବା ପାଇଁ ଓଟିପି ମାଗିଥିଲା । ଯେତେବେଳେ ଫୋନ୍ ଆଣିବାକୁ ଯୁବତୀ ଘର ଭିତରକୁ ଯାଇଥିଲେ, ସେହି ସମୟରେ ଘର ଭିତରକୁ ପଶି ଆସି ଭିତର ପଟୁ କବାଟ ବନ୍ଦ କରିଥିଲା ଅଭିଯୁକ୍ତ । ପରେ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ସେପରି କିଛି ସ୍ପ୍ରେ ବ୍ୟବହାର କରିଥିଲା ନା ନାହିଁ ସେନେଇ ଫରେନ୍ସିକ୍ ଟିମ୍ ଯାଞ୍ଚ କରୁଛନ୍ତି । ଯୁବତୀଙ୍କ ଫୋନ୍ରୁ ଏକ ସେଲଫି ମିଳିଛି । ଯାହାକୁ ନେଇ ଆମେ ତଦନ୍ତ ଜାରି ରଖିଛୁ । ଏଥିସହ ଅପରାଧୀକୁ ଗିରଫ କରିବା ପାଇଁ କୋନ୍ଧୱା ପୁଲିସ ଏବଂ ସହର ଅପରାଧ ଶାଖାର ୧୦ଟି ଦଳ ନିୟୋଜିତ ହୋଇଛନ୍ତି। ବିଶେଷଜ୍ଞମାନେ ଅପରାଧ ସ୍ଥଳ ପରିଦର୍ଶନ କରି ଫରେନସିକ୍ ପ୍ରମାଣ ସଂଗ୍ରହ କରିଛନ୍ତି।