ଭୁବନେଶ୍ଵର : ମାନସିକ ଚିନ୍ତା ଓ ସାଙ୍ଗସାଥୀଙ୍କ ଚାପ କାରଣରୁ ଏବେକାର କିଶୋରମାନେ ଡ୍ରଗ୍ସ ନିଶାରେ ପଡୁଛନ୍ତି, ଯାହା ଏବେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହେବାରେ ଲାଗିଛି । ବାପାମା’ ଏହି ପିଲାମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ସମୟରେ ବିଭିନ୍ନ ପଦକ୍ଷେପ ନେବା ଉଚିତ୍ । ସେହିପରି ପିଲାଙ୍କ ବ୍ୟବହାରରେ ଅଚାନକ୍ ପରିବର୍ତ୍ତନ ଆସିଲେ ବାପାମା’ ସତର୍କ ହେବା ସହ ଶାନ୍ତ ଭାବେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ଡ୍ରଗ୍ସ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ତାହା ପ୍ରାୟ ସମସ୍ତେ ଜାଣନ୍ତି । ଏପଟେ ଆଜିକାଲିର ଯୁବ ସମାଜ ଅନେକ ଚାପ ଦେଇ ଗତି କରୁଛନ୍ତି । ଫଳରେ ସେମାନଙ୍କ ଉପରେ ଚିନ୍ତାର ବୋଝ ରହିଥାଏ । ତେଣିକି ସେ ପଢାର ଚିନ୍ତା ହେଉ ଅବା ସାଙ୍ଗଠାରୁ ପାଇଥିବା ଧୋକା ହେଉ କିମ୍ବା କୌଣସି ସୋସିଆଲ୍ ମିଡିଆର ପ୍ରଭାବ ମଧ୍ୟ ହୋଇପାରେ । ଏହି ସ୍ଥିତିରେ ପ୍ରାୟ ପିଲା ନିଶାରେ ଯେପରିକି ମଦ୍ୟପାନ, ସିଗାରେଟ୍ ଓ ଡ୍ରଗ୍ସ ଆଦିର କବ୍ଜାରେ ପଡିଯାଇଥାନ୍ତି । ଏହା କାହାକୁ ମଧ୍ୟ ଜଣାପଡି ନଥାଏ । ବିଶେଷକରି ଟିନ୍ଏଜ୍, ଯେଉଁମାନଙ୍କର ବୟସ ୧୩ରୁ ୧୯ ଭିତରେ ରହିଥାଏ । ଏମାନଙ୍କ ମସ୍ତିଷ୍କ ଭଲ ଭାବେ ବିକଶିତ ହୋଇ ନଥାଏ । ଏହି ସମୟରେ ଅଧିକାଂଶ ପିଲା ଡ୍ରଗ୍ସ କବଳରେ ପଡି ଯାଇଥାନ୍ତି । ଚାଲନ୍ତୁ ଜାଣିବା ବାପାମା’ ପିଲାମାନଙ୍କୁ ଏହି ସ୍ଥିତିରେ କେମିତି ନିୟନ୍ତ୍ରଣ କରିପାରିବେ ।
ଶାନ୍ତ ମନରେ ଓ ଖୋଲାଖୋଲି ଭାବେ କଥା ହୁଅନ୍ତୁ: ଯଦି ପିଲା କୌଣସି କାରଣରୁ କିଛି ଖରାପ ଅଭ୍ୟାସରେ ପଡିଯାଇଛି, ତେବେ ତା’ ସହ ଶାନ୍ତ ଭାବେ କଥା ହେବା ଜରୁରି । ଯଦି ବାପାମା’ ପିଲା ସହ ରାଗରେ କିମ୍ବା ଜୋର୍ରେ କଥା ହୁଅନ୍ତି, ତେବେ ପିଲା ଚିଡ୍ଚିଡା ହେବା ସ୍ୱାଭାବିକ । ତେଣୁ ପିଲା ଏକା ଥିବା ବେଳେ ଖୋଲାଖୋଲି ଭାବେ ଓ ଶାନ୍ତ ମନରେ କଥା ହେବା ଉଚିତ୍ ।
ପିଲାର କଥା ଶୁଣନ୍ତୁ: ଯେତେବେଳେ ପିଲା ସହ କଥା ହେଉଛନ୍ତି । କେବଳ କୁହନ୍ତୁ ନାହିଁ, ବରଂ ତା’ କଥାକୁ ମଧ୍ୟ ପ୍ରାଥମିକତା ଦେଇ ଶୁଣନ୍ତୁ । ତା’ଠାରୁ ବୁଝନ୍ତୁ ଯେ ସେ କାହିଁକି ଏହି ନିଶାରେ ପଡିଲା । ଯଦି ନିଶା ବିଷୟରେ ଆପଣ କିଛି ଜାଣିଛନ୍ତି, ତେବେ ମଧ୍ୟ ତାକୁ ଜଣାନ୍ତୁ ।
ନିଶାରୁ ବାହାରିବାର ବାଟ ବତାନ୍ତୁ : କେବଳ ‘ନିଶା ଛାଡିଦେ’ ନ କହିବା ଯଥେଷ୍ଟ ନୁହେଁ । ବରଂ ପିଲାକୁ ବୁଝାନ୍ତୁ ଯେ ନିଶା କିପରି ତା’ କ୍ୟାରିଅର, ପାଠପଢା ସହ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଉଛି ।
ବନ୍ଧୁତା ଓ ଚାପ ସହ ଜୀବନ ବଞ୍ଚିବା ଶିଖାନ୍ତୁ: କିଛି ପିଲା ସାଙ୍ଗଙ୍କ ସହ ପଡି ଡ୍ରଗ୍ସ ନିଶାରେ ପଡିଥାନ୍ତି । ଏହି ସ୍ଥିତିରେ ପିଲାକୁ ବୁଝାନ୍ତୁ ଯେ ଯଦି ଆବଶ୍ୟକ ପଡେ, ତେବେ ସାଙ୍ଗମାନଙ୍କୁ ନା’ କହିବା ମଧ୍ୟ ଜରୁରି । ନା’ କହି ସାଙ୍ଗମାନଙ୍କଠାରୁ ଦୂରେଇ ଯିବା ହିଁ ଶୁଭପ୍ରଦ ହୋଇପାରେ ।
ନିଜେ ପିଲା ପାଇଁ ଉଦାହରଣ ହୁଅନ୍ତୁ : ଏଥିପାଇଁ ପ୍ରଥମେ ବାପାମା’ ନିଜେ ମଦ୍ୟପାନ ଓ ସିଗାରେଟ୍ ପରି ଜିନିଷଠାରୁ ଦୂରେଇ ରହିବା ଜରୁରି । ତେବେ ଯାଇ ପିଲାକୁ ଏହାର ନକାରାତ୍ମକ ଦିଗ ବିଷୟରେ ବୁଝାଇପାରିବେ । ଧ୍ୟାନ ରଖନ୍ତୁ ପିଲା ତାହା ହିଁ ଶିଖିଥାନ୍ତି, ଯାହା ବାପାମା’ କରୁଥିବାର ସେମାନେ ଦେଖିଥାନ୍ତି ।
ଏଭଳି ପରିବର୍ତ୍ତନ ଦେଖିଲେ ସତର୍କ ରୁହନ୍ତୁ ପିଲା ଅଚାନକ୍ ରାଗିବା, ପୁରା ଚୁପ୍ଚାପ୍ ରହିବା, ଏକା ଏକା ରହିବା, ସ୍କୁଲ୍ ଟାକ୍ସ ଠିକ୍ ଠାକ୍ ନ କରିବା, ବାରମ୍ବାର ପଇସା ମାଗିବା, ଶରୀରରୁ ଅଜବ ଗନ୍ଧ ବାହାରିବା ଓ ପିଲା ରୁମ୍ରୁ ନିଶା ଦ୍ରବ୍ୟ ବାହାରିବା ଆଦି
ସନ୍ଦେହ ହେଲା ପରେ ଧ୍ୟ ନିଜେ ଶାନ୍ତ ରହି ପିଲା ସହ କଥା ହୁଅନ୍ତୁ ।
ପିଲାକୁ ଦୋଷୀ କରିବା ପରିବର୍ତ୍ତେ ବୁଝାଇବାକୁ ପ୍ରୟାସ କରନ୍ତୁ ।
ପିଲା ଉପରେ ନଜର ରଖନ୍ତୁ ।
ତା’ ସହ ଭଲ ଭାବେ କଥା ହୁଅନ୍ତୁ।