ଭୁବନେଶ୍ଵର : ପ୍ରାୟ ମହିଳା ସାଙ୍ଗମାନଙ୍କ ଆଗରେ ଘରର ସବୁ କଥା କହି ଦେଇଥାନ୍ତି । ଏପରିକି ଯାହା ଆଦୌ କହିବା ଅନୁଚିତ୍ । କିଛି ମହିଳା ଛୋଟବଡ଼ ସବୁ କଥା ସାଙ୍ଗମାନଙ୍କ ସହ ସେୟାର କରିଥାନ୍ତି । କେବଳ କହିନଥାନ୍ତି ବରଂ ଘର କଥା ବାହାର କହିବା ସତେ ଯେମିତି ସେମାନଙ୍କ ଅଭ୍ୟାସ ହୋଇପଡିଥାଏ । ଜୀବନରେ ଅନେକ କଥା, ଯାହା ଅନ୍ୟମାନଙ୍କ ଆଗରେ କହିବା ପରିବର୍ତ୍ତେ ଲୁଚାଇ ରଖିବା ଗୁରୁତ୍ୱପୂର୍ଣ୍ଣ । ଏପରିକି ପ୍ରିୟ ସାଙ୍ଗ ଆଗରେ ମଧ୍ୟ କହିବା ଅନୁଚିତ୍ ।
ନିଜର ଦୁର୍ବଳତା: ପ୍ରତ୍ୟେକ ମଣିଷର କିଛି ନା କିଛି ଦୁର୍ବଳତା ନିଶ୍ଚୟ ରହିଥାଏ । ସେହିପରି କିଛି ଜିନିଷକୁ ନେଇ ଡର ମଧ୍ୟ ରହିଥାଏ । ଏହା ହୁଏତ ସାଙ୍ଗ ଆଗରେ କହିବାକୁ ଠିକ୍ ଲାଗିପାରେ । କାରଣ ଭବିଷ୍ୟତରେ ତା’ଠାରୁ ପରାମର୍ଶ ନେବାର ସମ୍ଭାବନା ରହିଥାଏ । କିନ୍ତୁ ନିଜର ସମସ୍ତ ଦୁର୍ବଳତାକୁ ଅନ୍ୟ ଆଗରେ କହିବା କେବେ ନା କେବେ ଭାରୀ ପଡିପାରେ । କାରଣ ସମୟ ସହ ସବୁ ସମ୍ପର୍କ ବଦଳିଥାଏ । ବନ୍ଧୁତାରେ ମଧ୍ୟ ଫାଟ ସୃଷ୍ଟି ହୋଇପାରେ । ସେତେବେଳେ ସେ ଆପଣଙ୍କ ଦୁର୍ବଳତାକୁ ଅସ୍ତ୍ର କରିପାରନ୍ତି । ତେଣୁ ସମୟ ପୂର୍ବରୁ ଦୂରଦୃଷ୍ଟିସମ୍ପର୍ଣ୍ଣ ହୁଅନ୍ତୁ ।
ନିଜର ସମସ୍ତ ଅର୍ଥ-ସମ୍ପତ୍ତି: ଅର୍ଥକୁ ଯଥାସମ୍ଭବ ଲୋକଙ୍କଠାରୁ ଦୂରେଇ ରଖବା ଉଚିତ୍ । ତେଣିକି ସମ୍ପର୍କ ଯାହା ହେଉନା କାହିକିଁ? ନିଜର ରୋଜଗାର, ସଞ୍ଚୟ ଓ ନିବେଶ କିମ୍ବା ଋଣର ସମସ୍ତ ସବିଶେଷ ତଥ୍ୟ କାହାକୁ ଦେବା ଅନୁଚିତ୍ । ଏପରିକି ବନ୍ଧୁଙ୍କ ଆଗରେ ମଧ୍ୟ ପ୍ରକାଶ କରିବା ଅନୁଚିତ୍ । ବନ୍ଧୁତାରେ ଟଙ୍କାପଇସା ନେଣଦେଣ ପ୍ରାୟତଃ ସମ୍ପର୍କକୁ ଭାଙ୍ଗି ଦେଇଥାଏ । ତେଣିକି ବନ୍ଧୁ ଯେତେବି ବିଶ୍ୱାସଯୋଗ୍ୟ ହୋଇଥାନ୍ତୁ । ତେଣୁ ବନ୍ଧୁତା ସମ୍ପର୍କରେ ଯେତେଦୂର ସମ୍ଭବ ଟଙ୍କାପଇସା କାରବାର ନ କରିବା ଉଚିତ୍ । ଫଳରେ ଭବିଷ୍ୟତରେ ଭୁଲ୍ ବୁଝାମଣା ହେବାର ଆଶଙ୍କା ରହି ନଥାଏ ।
ଅନ୍ୟର ଅକୁହାକଥା: ଯଦି କେହି ଆପଣଙ୍କୁ ବିଶ୍ୱାସ କରି ନିଜର କୌଣସି ଅକୁହାକଥା କହିଥାଏ । ତେବେ ଆପଣ ସେହି କଥାକୁ ଅନ୍ୟ ଆଗରେ କହିବା ଅନୁଚିତ୍ । ତେଣିକି ସେ ପ୍ରିୟ ସାଙ୍ଗ ଆଗରେ ମଧ୍ୟ ନୁହେଁ । ଅନ୍ୟର ଅକୁହାକଥାକୁ ଲୁଚାଇ ରଖିବା ଆପଣଙ୍କର ସଚୋଟପଣିଆ ଓ ବିଶ୍ୱାସକୁ ଦେଖାଇଥାଏ । ଏହି କଥାକୁ ନିଜର ପ୍ରିୟ ସାଙ୍ଗ ଆଗରେ କହିବା ଦ୍ୱାରା ମଧ୍ୟ ସେ ଆପଣଙ୍କୁ ଅବିଶ୍ୱାସ କରିପାରେ । କେବଳ ସେତିକି ନୁହେଁ ଅନ୍ୟ ଆଗରେ କହିବା ଦ୍ୱାରା ମଧ୍ୟ ସାମ୍ନା ଲୋକର ବିଶ୍ୱାସ ଭାଙ୍ଗିଯାଇଥାଏ । ଉଭୟଙ୍କ ଦୃଷ୍ଟିରେ ଆପଣ ଅବିଶ୍ୱାସୀ ହୋଇପଡିବେ । ତେଣୁ ସାମ୍ନା ଲୋକର ଅକୁହାକଥାକୁ ଲୁଚାଇ ରଖିବା ହିଁ ବୁଦ୍ଧିମାନର କାମ ।