ଭୁବନେଶ୍ୱର, ୦୪/୦୭: ଆଗକୁ ଯିବ ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ ସଂସ୍କୃତି । କେବଳ ଆମ ରାଜ୍ୟ କି ଦେଶ ଭିତରେ ନୁହେଁ ସାରା ବିଶ୍ୱରେ ଏହାକୁ ପ୍ରଚାର ପ୍ରସାର କରାଯିବ । ବିଶ୍ୱବ୍ୟାପୀ ମହାପ୍ରଭୁଙ୍କ ମହିମା ଗାନ କରାଯିବ । ଦେଶ ତଥା ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ହେବ । ବିକଶିତ ଭାରତ-୨୦୪୭ ପାଇଁ ବିକଶିତ ଓଡ଼ିଶା-୨୦୩୬ ଲାଗି ସରକାରଙ୍କ ପରିକଳ୍ପିତ ଓଡ଼ିଶା ଭିଜନରେ ସଂସ୍କୃତି, ଭାଷା ଏବଂ ଐତିହ୍ୟ କ୍ଷେତ୍ରର ସମୃଦ୍ଧି ପାଇଁ ଏଭଳି ଯୋଜନା କରିଛନ୍ତି ଓଡ଼ିଶା ସରକାର ।
ପ୍ରସ୍ତାବ ମୁତାବକ ମହାବାହୁଙ୍କ ସଂସ୍କୃତିର ପ୍ରଚାର, ପ୍ରସାରକୁ ପ୍ରୋତ୍ସାହନ ମିଳିବ । ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ପ୍ରଭୁଙ୍କ ସମସ୍ତ ରୀତିନୀତି, ଅବତାର, ପରମ୍ପରା ଏବଂ ସ୍କନ୍ଧ ପୁରାଣର କାହାଣୀକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଯିବ । ଏହାଛଡ଼ା ରାଜ୍ୟର ଚିହ୍ନଟ ଐତିହ୍ୟସ୍ଥଳୀଗୁଡ଼ିକର ୧୦୦% ସଂରକ୍ଷଣ ଓ ବିକାଶ ହେବ । ବିଶେଷ କରି ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ସହ ସ୍ଥାୟୀ ଆର୍ଥିକ ସମୃଦ୍ଧି ଦୃଷ୍ଟିରୁ ଯୁବବର୍ଗ ଏବଂ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରାଯିବ ।
ସଂସ୍କୃତି ପର୍ଯ୍ୟଟନକୁ ପ୍ରୋତ୍ସାହନ ସ୍ୱରୂପ ଆଦର୍ଶ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଗ୍ରାମ ପ୍ରତିଷ୍ଠା କରି ସଂସ୍କୃତି ଭିତ୍ତିକ ଅର୍ଥବ୍ୟବସ୍ଥାକୁ ବିସ୍ତାର କରାଯିବ । ବାର୍ଷିକ ୭୦୦ କୋଟି ଟଙ୍କା ରାଜସ୍ୱ ଉପାର୍ଜନ ଲକ୍ଷ୍ୟ ରଖି କାରିଗର ତାଲିମ ଏବଂ ନିଯୁକ୍ତି ବ୍ୟାଙ୍କ ନିର୍ମାଣ ସହ ଓଡ଼ିଶାକୁ କାରିଗରଙ୍କ ପାଇଁ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ସ୍ଥାନିତ କରାଯିବ । ପଟ୍ଟଚିତ୍ର, ଡୋକ୍ରା, କଳା, ପିତ୍ତଳ ଭଳି ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ ପାଇଁ ଉତ୍କର୍ଷ କେନ୍ଦ୍ର ବିକାଶ ସହ ସମସ୍ତ ଜିଲ୍ଲାରେ ଅସ୍ମିତା ଭବନ ଓ ସଂସ୍କୃତି ଭବନ ସ୍ଥାପନ ହେବ । ସରକାରୀ ଓ ବେସରକାରୀ ଭାଗିଦାରୀ (ପିପିପି)ରେ ସ୍ଥାନୀୟ କଳା, ହସ୍ତଶିଳ୍ପ ଓ ହସ୍ତତନ୍ତ ପାଇଁ ସମନ୍ୱିତ ବଜାର ସୃଷ୍ଟି କରାଯିବ । ୨୦ରୁ ଅଧିକ ଐତିହ୍ୟସ୍ଥଳୀ ପାଇଁ ବିଶ୍ୱସ୍ତରୀୟ ମାନ୍ୟତା ହାସଲ କରିବାକୁ ଲକ୍ଷ୍ୟ ରହିଛି । ତା’ ସହିତ ୟୁନେସ୍କୋ ସ୍ୱୀକୃତିପ୍ରାପ୍ତ ବିଶ୍ୱସ୍ତରୀୟ ସ୍ଥାୟୀ ଓ ଅସ୍ଥାୟୀ ଐତିହ୍ୟସ୍ଥଳୀଗୁଡ଼ିକ ମଧ୍ୟରେ ପ୍ରଥମ ୩ଟି ମଧ୍ୟ ସ୍ଥାନିତ ହେବା ଲକ୍ଷ୍ୟ ରହିଛି । ଏହା ବ୍ୟତୀତ ଜ୍ଞାନକୌଶଳର ସମନ୍ୱୟ ସହିତ ୫ଟି ଆଦର୍ଶ ସଂଗ୍ରହାଳୟର ବିକାଶ, ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ, ସଂଗ୍ରହାଳୟ, ସର୍ବସାଧାରଣ ମନ୍ଦିର ପରିସର ଏବଂ ମହାପୁରୁଷଙ୍କ ସ୍ମୃତି କ୍ଷେତ୍ରରେ ଆଭାସୀ ପର୍ଯ୍ୟଟନ କିମ୍ବା ୱାକ୍ ଥ୍ରୁ (ଭିଡିଓ, ଫଟୋ ଓ ଲେଖା ମାଧ୍ୟମରେ ବିଶେଷତ୍ୱ ପ୍ରଦର୍ଶନ) କରିବା । ଓଡ଼ିଶାର ବରପୁତ୍ର, କଳା ଏବଂ ସ୍ୱାଧୀନତା ସଂଗ୍ରାମୀ ଗ୍ରାମଗୁଡ଼ିକୁ ପର୍ଯ୍ୟଟନସ୍ଥଳୀ ରୂପେ ବିକାଶିତ କରି ‘ଐତିହ୍ୟ ଗ୍ରାମ’ କରିବା ।
ଭର୍ଚୁଆଲ୍ ହେରିଟେଜ୍ ଟୁର୍, ମନ୍ଦିର ପରିଚାଳନା ବ୍ୟବସ୍ଥା ଏବଂ ଇ-କମର୍ସ ମାକେଟସ୍ଥଳ ସମେତ ୱାନ୍-ଷ୍ଟପ୍-ସପ୍ ଡିଜିଟାଲ୍ ପ୍ଲାଟ୍ଫର୍ମରେ ସର୍ବନିମ୍ନ ୫ ଲକ୍ଷ ବାର୍ଷିକ ପରିଦର୍ଶକଙ୍କୁ ଆକର୍ଷିତ କରାଯିବ । ରଥଯାତ୍ରା, ବାଲିଯାତ୍ରା, ଧନୁଯାତ୍ରା ଏବଂ ଖଣ୍ଡଗିରି ମେଳା ଆଦି ଐତିହାସିକ ଅନ୍ତର୍ଜାତୀୟ ଉତ୍ସବ ଏବଂ ପ୍ରବାସୀ ଓଡ଼ିଆ ଦିବସକୁ ଏକ ଦ୍ୱିବାର୍ଷିକ ଅନ୍ତର୍ଜାତୀୟ ମେଗା ଇଭେଣ୍ଟ ଭାବରେ ଉନ୍ନୀତ କରାଯିବ । ଏସବୁ ଲାଗି ସ୍ୱତନ୍ତ୍ର ନୀତି, ଆର୍ଥିକ ସହାୟତା, ଗବେଷଣା ତଥା କଳାକୃତି ସଂଗ୍ରହ ପାଇଁ ରୋଡ୍ମ୍ୟାପ୍ ହେବ । ବର୍ତ୍ତମାନ ସଂସ୍କୃତି ଏବଂ ଐତିହ୍ୟ ସମ୍ବନ୍ଧୀୟ ଉତ୍ପାଦ ଓ ଉପଲବ୍ଧ ସେବାର ରାଜସ୍ୱ ଏକ ଗୁଣା ଥିବାବେଳେ ୨୦୨୯ ବେଳକୁ ୨ ଗୁଣା, ୨୦୩୬ ବେଳକୁ ୫ ଗୁଣା ଏବଂ ୨୦୪୭ ବେଳକୁ ୧୦ ଗୁଣା ହେବ ।
ସେହିପରି ଜାତିସଂଘ ମାନ୍ୟତାପ୍ରାପ୍ତ ବିଶ୍ୱସ୍ତରୀୟ ସ୍ଥାୟୀ ଐତିହ୍ୟସ୍ଥଳ ଗୋଟିଏ ଥିଲା ବେଳେ ୨୯ରେ ୫, ୩୬ରେ ୮ ଏବଂ ୪୭ ସୁଦ୍ଧା ୧୫ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଜାତିସଂଘ ମାନ୍ୟତାପ୍ରାପ୍ତ ବିଶ୍ୱସ୍ତରୀୟ ଅସ୍ଥାୟୀ ଐତିହ୍ୟସ୍ଥଳୀ କିଛି ନଥିବା ବେଳେ ୨୯ ବେଳକୁ ୨, ୩୬ରେ ୫ ଏବଂ ୪୭ ବେଳକୁ ୭ରେ ପହଞ୍ଚିବାକୁ ପ୍ରୟାସ କରାଯିବ । ଏହା ସହ ବିଶ୍ୱ ଏବଂ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ କଳାକାରଗଣ ବର୍ଦ୍ଧିତ ସଂଖ୍ୟା ୨୦୨୯ ବେଳକୁ ୧୦ରୁ ଅଧିକ, ୩୬ରେ ୫୦ରୁ ଅଧିକ ଏବଂ ୪୭ରେ ୧୦୦ରୁ ଅଧିକକୁ ବୃଦ୍ଧି ହେବ ।
ସରକାରଙ୍କ କହିବା କଥା, ଆମ ପରମ୍ପରା ଆମ ଗୌରବ । ସମୃଦ୍ଧ ଐତିହ୍ୟ, ଭାଷା, ସାଂସ୍କୃତିକ ସମ୍ପଦ ହେଉଛି ଓଡ଼ିଶାର ପରିଚୟ । ଆମ ପରମ୍ପରା ଆମ ଅଭିବୃଦ୍ଧିରେ ସହାୟକ ହେବ । ବର୍ତ୍ତମାନର ପର୍ଯ୍ୟଟନ ଓ ସୃଜନଶୀଳ ଅର୍ଥ ବ୍ୟବସ୍ଥାକୁ ଇନ୍ଧନ ଯୋଗାଇବା ସହିତ ‘ଓଡ଼ିଆ ଅସ୍ମିତା’କୁ ମଜଭୁତ କରିବ।