ଭୁବନେଶ୍ୱର, ୦୫/୦୯: ମନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଦେ ଆଗେଇଲା । ଶନିବାର ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ (ଡିଏମ୍ଆରସି) ଫରେଷ୍ଟ ପାର୍କ ଏବଂ ବାଣୀବିହାରରୁ ମାଟି ସଂଗ୍ରହ କରିଛି । ମାଟିର ନମୂନା ରାଜ୍ୟ ବାହାରର ଏକ ଲ୍ୟାବକୁ ପଠାଯାଇଛି । ରିର୍ପୋଟ ଆସିବା ପରେ ପ୍ରକଳ୍ପ କାର୍ଯ୍ୟ ଆଗେଇବ ।
ଡଏମ୍ଆରସିର ଏକ ସ୍ୱତନ୍ତ୍ର ଟିମ୍ ପୂଜାର୍ଚ୍ଚନା ପରେ ଫରେଷ୍ଟ ପାର୍କ ଅଞ୍ଚଳରେ ମାଟି ସଂଗ୍ରହ କରିଛନ୍ତି । ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ମେସିନ୍ ସାହାଯ୍ୟରେ ପ୍ରାୟ ୪୦ ଫୁଟ ତଳୁ ମାଟି ସଂଗ୍ରହ କରାଯାଉଛି । ସେହିପରି ବାଣୀ ବିହାରରେ ମଧ୍ୟ ମେଟ୍ରୋ ପକ୍ଷରୁ ମାଟି ସଂଗ୍ରହ କରାଯାଇଛି । ପ୍ରତି ୧୦୦ ମିଟରରୁ ଏହି ମାଟି ସଂଗ୍ରହ କରାଯିବ । ମେଟ୍ରୋ ପ୍ରକଳ୍ପ ପାଇଁ ବିଏମ୍ସି ଓ ଟ୍ରାଫିକ୍ ପାଖରେ ଆବେଦନ ହୋଇଥିଲା । ଏନେଇ ସେମାନେ ଗ୍ରୀନ ସିଗନାଲ ଦେଇଛନ୍ତି । ଫଳରେ ଏବେ କାମ ଆଗେଇବ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ କାମ ଆରମ୍ଭ ହୋଇ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଯିବ । ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ ବ୍ୟାରିକେଡ ଖୋଲାଯିବ । ଏନେଇ ପକ୍ରିୟା ଆରମ୍ଭ ହୋଇଛି । ମେଡିଆନ୍ ଭିତର ଖୋଲା ହୋଇ କାମ ହେବ । ତେଣୁ ଦିନ ପରିବର୍ତ୍ତେ ରାତିରେ ଏହି କାମ କରିବାକୁ ଯୋଜନା କରାଯାଇଛି ।
ଭୁବନେଶ୍ୱର ମେଟ୍ରୋ ପାଇଁ ଗତ ମାସରେ ଟେଣ୍ଡର ଖୋଲିଥିଲା । ଗୁଜୁରାଟର ଏକ ଘରୋଇ କମ୍ପାନି ଏହି ଟେଣ୍ଡର ହାତେଇଛି । ଏହି କମ୍ପାନି କ୍ୟାପିଟାଲ ହସ୍ପିଟାଲରୁ ଆଚାର୍ଯ୍ୟ ବିହାର ଯାଏଁ କାମ କରିବ । ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନ ପକ୍ଷରୁ ଟେଣ୍ଡର ଡକା ହେଇଥିଲା । ରାଜ୍ୟ ବାହାରର ୧୨ କମ୍ପାନି ଟେଣ୍ଡର ପକାଇଥିଲେ । ଏକ ଘରୋଇ କମ୍ପାନି ସବନିମ୍ନ ୫୬୧ କୋଟି ଟଙ୍କା ଟେଣ୍ଡର ପକାଇ ମେଟ୍ରୋ କାମ ହାତେଇଛି । ଫଳରେ ଖୁବ୍ଶୀଘ୍ର ମେଟ୍ରା କାମ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟବିହାର ଛକରେ ମେଟ୍ରୋ ଷ୍ଟେସନ ନିର୍ମାଣ ସହ ଏଲିଭେଟେଡ ରେଳପଥ ବିଛାଯିବ । ଏଥିପାଇଁ ୬୩୦ କୋଟି ଟଙ୍କା ବ୍ୟୟ ହେବ । ଏହି ରାସ୍ତା ପାଇଁ ମେଟ୍ରୋ, ସ୍ମାର୍ଟସିଟି, ପୂର୍ତ୍ତ, ବିଦ୍ୟୁତ୍ ବିଭାଗ ପକ୍ଷରୁ ଯାଞ୍ଚ ସରିଛି ।