ରାୟଗଡ଼ା, ୦୨/୦୯ : ମ୍ୟାଜିକ୍ ଦେଖାଇବାକୁ କହି କାଟିଦେଲେ ଗଳା। ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଲା ଚତୁର୍ଥ ଶ୍ରେଣୀ ଛାତ୍ର। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ସୂଚନାନୁଯାୟୀ, ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ରବିବାର ସନ୍ଧ୍ୟା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ମ୍ୟାଜିକ୍ ଦେଖାଇବାକୁ କହି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା ବ୍ଲେଡରେ କାଟି ଦେଇଥିଲା। ଉକ୍ତ ଗୁରୁତର ଛାତ୍ରଙ୍କୁ ଶିକ୍ଷକ ଓ ରୋଷେୟା ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ପ୍ରଥମେ ଟିକିରି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ କାଶୀପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଛାତ୍ରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଭଲ ରହିଛି। ଖବର ପାଇ ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗୁରୁତର ଛାତ୍ରଙ୍କ କହିବା ଅନୁଯାୟୀ, ସେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ଆଶ୍ରମ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଆସି ଯାଦୁ ଦେଖାଇବାକୁ କହି ଡାକି ନେଇଥିଲେ। ଆଖି ବନ୍ଦ କରିବାକୁ କହି ବ୍ଲେଡରେ ଗଳା କାଟି ଦେଇଥିଲେ।