ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

କୀଟନାଶକ କମାଉଛି ପୁରୁଷମାନଙ୍କର ଶୂକ୍ରାଣୁ ସଂଖ୍ୟା, ଅଧ୍ୟୟନରୁ ହେଲା ଖୁଲାସ

ନୂଆଦିଲ୍ଲୀ ୧୯/୧୧: ଘରେ, ବଗିଚାରେ, କ୍ଷେତ, ଲନ୍‌ ଏବଂ ଆମେ ଖାଉଥିବା ଖାଦ୍ୟରେ ସ୍ପ୍ରେ କରାଯାଉଥିବା କୀଟନାଶକ ପୁରୁଷମାନଙ୍କର ଶୂକ୍ରାଣୁ ସଂଖ୍ୟାରେ ବିଶ୍ୱସ୍ତରରେ  ନାଟକୀୟ ପତନର କାରଣ ହୋଇଛି । ଦୀର୍ଘ  ୫୦ବର୍ଷରୁ ଅଧିକ ସମୟ ଧରି କରାଯାଇଥିବା ଅଧ୍ୟୟନର ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଛି । ଅଧ୍ୟୟନର ବରିଷ୍ଠ ଲେଖିକା ଭର୍ଜିନିୟାର  ଫେୟାରଫାକ୍ସ ସ୍ଥିତ ଜର୍ଜ ମାସନ ୟୁନିଭର୍ସିଟିର କଲେଜ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଡିନ୍‌ ମେଲିସା  ପେରି କହିଛନ୍ତି, ବିଗତ ୫୦ ବର୍ଷ ମଧ୍ୟରେ ସମଗ୍ର  ବିଶ୍ୱରେ ଶୂକ୍ରାଣୁ ଘନତାରେ ପ୍ରାୟ ୫୦ ପ୍ରତିଶତ ପତନ ହୋଇଛି । 

ମେଲିସା କହନ୍ତି, ଶୂକ୍ରାଣୁ ସଂଖ୍ୟା ଓ ଗୁଣବତ୍ତା  ହ୍ରାସର ଅନେକ କାରଣ ରହିଛି । ତେବେ ଦୁଇଟି  ସାଧାରଣ କୀଟନାଶକ ଅର୍ଗାନୋଫସ୍‌ଫେଟ୍ସ ଓ  ଏନ୍‌-ମିଥାଇଲ କାର୍ବାମେଟ୍‌ସ ଏବଂ ଶୂକ୍ରାଣୁ  ଘନତାର ପତନ ମଧ୍ୟରେ ଦୃଢ଼ ସମ୍ପର୍କ ଅଧ୍ୟୟନରୁ  ଜଣାପଡ଼ିଲା । ବିଶ୍ୱରେ ସର୍ବାଧିକ ବ୍ୟବହୃତ  ଯୌଗିକ ଅର୍ଗାନୋଫସ୍‌ଫେଟ୍ସ ହେଉଛି ନର୍ଭ ଗ୍ୟାସ୍‌,  ହର୍ବିସାଇଡ୍ସ, କୀଟନାଶକଗୁଡ଼ିକର ମୁଖ୍ୟ ଉପାଦାନ ।  ପ୍ଲାଷ୍ଟିକ୍‌ ଓ ସଲ୍‌ଭେଣ୍ଟ୍‌ (ଦ୍ରବଣକାରୀ) ନିର୍ମାଣରେ  ମଧ୍ୟ ଏଗୁଡ଼ିକୁ ପ୍ରୟୋଗ କରାଯାଏ । 

ଆମେ ଖାଉଥିବା ଖାଦ୍ୟର ଚାଷରେ ଏହି କୀଟନାଶକ ବ୍ୟାପକ ବ୍ୟବହୃତ ହେଉଛି । ମେଲିସାଙ୍କ  ଅନୁସାରେ, ଘର ଓ ଅଟ୍ଟାଳିକା, ଆପାର୍ଟମେଣ୍ଟ୍‌ ବିଲ୍ଡିଂ ସମେତ ଲନ୍‌ର ରକ୍ଷଣାବେକ୍ଷଣ ମଧ୍ୟରେ ଢାଞ୍ଚାଗତ  ପ୍ରୟୋଗରେ ଏଗୁଡ଼ିକୁ ବ୍ୟବହାର କରାଯାଏ । ଖାଉଟିଙ୍କ ପାଇଁ ସହଜରେ ଉପଲବ୍ଧ ହେଉଥିବାରୁ  ଅର୍ଗାନୋଫସ୍‌ଫେଟ୍‌ର ବ୍ୟବହାର ଅପେକ୍ଷାକୃତ  ବ୍ୟାପକ ହୋଇଛି । ୟୁଏସ୍‌ ସେଣ୍ଟର୍‌ ଫର  ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ଅନୁସାରେ, ଏନ୍‌-ମିଥାଇଲ କାର୍ବାମେଟ୍ସ ଢାଞ୍ଚାଗତ ଓ କାର୍ଯ୍ୟ ମାମଲାରେ ଅର୍ଗାନୋଫସ୍‌ଫେଟ୍ସ ଭଳି, ଯାହା କୀଟଙ୍କର ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀକୁ ନଷ୍ଟ କରି ସେମାନଙ୍କୁ ମାରିଦିଏ । କୀଟନାଶକ ପ୍ରସ୍ତୁତିରେ  ଏଗୁଡ଼ିକୁ ପ୍ରୟୋଗ କରାଯାଏ ଏବଂ ଫଳ, ପରିବା  ଆଦି ବିଭିନ୍ନ କ୍ଷେତରେ କୀଟଙ୍କୁ ମାରିବାରେ  ବ୍ୟବହୃତ ହୁଏ । ଏ ପ୍ରକାର ଯୌଗିକ ପୁରୁଷଙ୍କ  ପ୍ରଜନନ କ୍ଷମତାରେ ନକାରାତ୍ମକ ପ୍ରଭାବ ପକାଏ ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି । 

ଏନ୍‌ଭିରନ୍‌ମେଣ୍ଟାଲ ହେଲ୍‌ଥ ପର୍‌ସ୍ପେକ୍ଟିଭ୍‌ସ  ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ୨ଟି  ରସାୟନ ଉପରେ ବିଶ୍ୱର ୨୫ଟି ଅଧ୍ୟୟନକୁ  ପରୀକ୍ଷା କରିଥିଲା । ଏହି ବିସ୍ତୃତ ବିଶ୍ଳେଷଣରେ  ୨୦ଟି ଅଧ୍ୟୟନକୁ ସାମିଲ କରାଗଲା । ୨୧ ଭିନ୍ନ  ଅଧ୍ୟୟନରେ ସାମିଲ ୧,୭୭୪ ପୁରୁଷଙ୍କ ଉପରେ  ୪୨ ଭିନ୍ନ ସ୍ତରର ପ୍ରଭାବ ଉପରେ ଅଧ୍ୟୟନ ଫୋକସ୍‌  କରିଥିଲା । ଯେଉଁ ପୁରୁଷ ଚାଷ ଭଳି କାର୍ଯ୍ୟରେ  ଅଧିକ କୀଟନାଶକ ସଂସ୍ପର୍ଶରେ ଆସିଥିଲେ,  ଅର୍ଗାନୋଫସ୍‌ଫେଟ୍ସ ଓ ଏନ୍‌-ମିଥାଇଲ କାର୍ବାମେଟ୍ସ  ଭଳି ରସାୟନ ସଂସ୍ପର୍ଶରେ କମ୍‌ ଥିବା ପୁରୁଷଙ୍କ  ତୁଳନାରେ ସେମାନଙ୍କ ଶୂକ୍ରାଣୁ ଘନତାରେ  ଗୁରୁତ୍ୱପୂର୍ଣ୍ଣ ପତନ ପରିଲକ୍ଷିତ ହୋଇଥିବା  ଜଣାପଡ଼ିଲା । 

ସୂଚନାଯୋଗ୍ୟ, ଶୂକ୍ରାଣୁର ମିଲିମିଟର  ପିଛା ମାପରୁ ଶୂକ୍ରାଣୁ ଘନତ୍ୱ ନିର୍ଦ୍ଧାରଣ କରାଯାଏ । ତେବେ କେବଳ କୀଟନାଶକ ନୁହେଁ, ମେଦବୃଦ୍ଧି,  ଖରାପ ଖାଦ୍ୟପେୟ, ପୁରୁଣା ରୋଗ ଏବଂ  ପ୍ରଦୂଷଣ, ପ୍ଲାଷ୍ଟିକ୍‌ ଭଳି ପରିବେଶଗତ ବିଷାକ୍ତ  କାରକ ମଧ୍ୟ ପୁରୁଷଙ୍କ ଶୂକ୍ରାଣୁ ସଂଖ୍ୟା ଓ ଗୁଣବତ୍ତା  ହ୍ରାସରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ସେତିକି  ନୁହେଁ, ମୋବାଇଲ ଫୋନ୍‌ରୁ ନିର୍ଗତ ବିକିରଣ ମଧ୍ୟ  ଶୂକ୍ରାଣୁ ସଂଖ୍ୟା ପତନର ଗୁରୁତ୍ୱପୂର୍ଣ୍ଣ କାରକ ।  ନିକଟରେ ଏକ ଅଧ୍ୟୟନ ଏହା ସ୍ପଷ୍ଟ କରିଥିଲା ।  ଦିନକୁ ୨୦ରୁ ଅଧିକ ଥର ମୋବାଇଲ ବ୍ୟବହାର  କରୁଥିବା ୧୮ରୁ ୨୨ ବର୍ଷୀୟ ଯୁବକଙ୍କଠାରେ ମୋଟ୍‌  ଶୂକ୍ରାଣୁ ସଂଖ୍ୟା ୨୧ ପ୍ରତିଶତ ହ୍ରାସର ଆଶଙ୍କା  ଜଣାପଡ଼ିଥିଲା । ସୋମନଙ୍କଠାରେ ଶୂକ୍ରାଣୁ ଘନତା  ହ୍ରାସ ଆଶଙ୍କା ୩୦ ପ୍ରତିଶତ ଥିଲା । ତେଣୁ ଏହା  ବାସ୍ତବରେ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ବୋଲି  ମେଲିସା କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.