ପ୍ରମୂଖ ଖବର

ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ

କଟକ, ୦୬/୧୨ : ଦୁଇ ହଜାର ଷ୍ଟଲ୍‌ ବ୍ୟବସାୟୀ ଓ ହଜାରେରୁ ଅଧିକ ଉଠା ଦୋକାନୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳି ଚହଳି ଏବଂ ଶହଶହ କୋଟିର କାରବାର ଦେଇ ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ପୂର୍ବ ଭାରତର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟିକ ଓ ସାଂସ୍କୃତିକ ମେଳା ଏଥରକ ବ୍ୟାବସାୟିକ ସଫଳତା କ୍ଷେତ୍ରରେ ଏକ ନୂଆ ମାଇଲ୍‌ଖୁଣ୍ଟ ସ୍ଥାପନ କରିଛି । ନ’ ଦିନର ଯାତ୍ରାରେ କାରବାର ପ୍ରାୟ ଦୁଇ ଶହ କୋଟି ଟଙ୍କା ଟପିଯାଇଥିବା ପ୍ରାଶାସନିକ ସ୍ତରରେ ଅନୁମାନ କରାଯାଇଛି । ଏହାଛଡ଼ା, ୯ ଦିନରେ ୬୦ ଲକ୍ଷରୁ ଅଧିକ ଦର୍ଶକ ବାଲିଯାତ୍ରାର ମଜା ଉଠାଇଥିବା ଆକଳନ କରାଯାଉଛି । ‘କଟକ ଇନ୍‌ କଟକ’ରେ ଗ୍ରାମାଞ୍ଚଳର ପରିବେଶ ଏଥର ସବୁଠୁ ଗ୍ରହଣୀୟ ହୋଇଛି । ଏଠାକୁ ସର୍ବାଧିକ ଲୋକଙ୍କ ଆଗମନ ହୋଇଛି । 

କିଣାକିଣିରେ ଜାତୀୟ ପଲ୍ଲିଶ୍ରୀ ମେଳା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି, ଯାହା ବ୍ୟାବସାୟିକ ସଫଳତାରୁ ସ୍ପଷ୍ଟ ହୋଇଛି । ଯେଉଁଠି ପୂର୍ବବର୍ଷ ୨୦୨୨ରେ ଜାତୀୟ ପଲ୍ଲିଶ୍ରୀ ମେଳାରେ ୨୪ କୋଟି ୫୬ ଲକ୍ଷ ଟଙ୍କା ବ୍ୟବସାୟ ହୋଇଥିଲା, ଚଳିତବର୍ଷ ଏଠାରେ ପ୍ରାୟ ୩୭ କୋଟି ଟଙ୍କାର କାରବାର ହୋଇଥିବା ଆକଳନ କରାଯାଉଛି । ‘ଟନେଲ୍‌ ଆକ୍ୱାରିୟମ୍‌’ ଚଳିତ ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ଭାବେ ଯୋଡ଼ି ହୋଇଥିଲା । ଗଣକବି ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତି ମଞ୍ଚରେ ପ୍ରତିଦିନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଆ ସଂଗୀତ ଦୁନିଆର ବହୁ ପ୍ରତିଷ୍ଠିତ ତଥା ଲୋକପ୍ରିୟ କଳାକାର ମଞ୍ଚରେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଗତ ଶନିବାର ବଲିଉଡ୍‌ ସଂଗୀତ ଶିଳ୍ପୀ ଯୋଡ଼ି ସଚିନ୍‌-ଜିଗର୍‌ ଏବଂ ରବିବାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଏମିତି ଅନେକ ନୂଆ ଉପାଦାନ ସବୁକୁ ନେଇ ବାଲିଯାତ୍ରା-୨୦୨୩ ସଫଳ ଭାବେ ସମାପନ ହେବା ସହ ଜାତୀୟ ମାନ୍ୟତା ହାସଲ ପାଇଁ ଦୃଢ଼ ଦାବି ମଧ୍ୟ ସାବ୍ୟସ୍ତ କରିଛି । ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣି ବାଲିଯାତ୍ରାକୁ ବେଶ୍‌ ନିଆରା ଢଙ୍ଗରେ ଏଥର ପାଳନ କରିବାକୁ ୬ ମାସ ଧରି ପ୍ରସ୍ତୁତି ଜାରି ରଖିଥିଲା କଟକ ଜିଲ୍ଲା ପ୍ରଶାସନ । 

ନଭେମ୍ବର ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ କଟକ ବାଲିଯାତ୍ରା ଉତ୍ସବ । ପ୍ରଥମ ଦିନ ଭିଡ଼ ଏତେ ନଥିଲା । ଦ୍ୱିତୀୟ ଦିନ ଅର୍ଥାତ୍‌ ୨୮ତାରିଖରୁ ମେଳା ପଡ଼ିଆକୁ ଲୋକେ ଗଡ଼ିବା ଆରମ୍ଭ କରିଥିଲେ । ପ୍ରତିଦିନ ହାରାହାରି ୫ରୁ ୬ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଶନିବାର ଓ ରବିବାର ଭିଡ଼ ଦୁଇଗୁଣା ବଢ଼ିଯାଇଥିଲା । ରବିବାର ତ’ ଦର୍ଶକ ସଂଖ୍ୟା ୧୨ ଲକ୍ଷ ଟପିଥିବା ଆକଳନ କରାଯାଇଥିଲା । ଭିଡ଼ ଓ ଟ୍ରାଫିକ୍‌ ଜାମ୍‌ ସ୍ଥିତିରେ ସେଦିନ ସାରା ସହର ଛନ୍ଦି ହୋଇପଡିଥିଲା । ଏହା ଭିତରେ ବାଲିଯାତ୍ରା ଦିନଟିଏ ବଢ଼ାଇବାକୁ ସରକାରଙ୍କ ସମ୍ମତି ମିଳିବା ପରେ ମଙ୍ଗଳବାର ପର୍ଯ୍ୟନ୍ତ ବାଲିଯାତ୍ରା ବଢ଼ିଥିଲା । ମେଳାରେ ବୁଲାବୁଲି ଓ କିଣାବିକା ଭିତରେ ଲୋକେ କିଛି ସମସ୍ୟାର ସମ୍ମୁଖୀନ ବି ହୋଇଥିଲେ । 

ମୋବାଇଲ୍‌ ନେଟ୍‌ୱର୍କ ବ୍ୟବସ୍ଥା ଅକାମୀ ହେବା ନେଇ ଲୋକେ ସବୁଠୁ ବେଶି ହଇରାଣ ହୋଇଥିଲେ । ନଗଦ ଟଙ୍କା ନଆଣି ଇ-ପେମେଣ୍ଟ୍‌ ଉପରେ ଭରସା କରିଥିବା ଦର୍ଶକ ଅକଳରେ ପଡ଼ିଥିଲେ । ଧୂଳି ନିୟନ୍ତ୍ରଣ କରିବାକୁ କଟକ ମହାନଗର ନିଗମ (ସିଏମ୍‌ସି)ର ଯୋଜନା ଏତେଟା କାମ ଦେଇନଥିଲା । ବାଲିଯାତ୍ରାରେ ସକାଳୁ ଆୟୋଜିତ ‘ପଥୋତ୍ସବ’ର ଗୁରୁତ୍ୱ ବି ସେଭଳି ରହିଲା ନାହିଁ । ଏ ଦିଗରେ ପ୍ରଶାସନିକ ସ୍ତରରେ ମଧ୍ୟ ଉତ୍ସାହ ନଥିବା ଭଳି ମନେ ହୋଇଥିଲା । ଶନିବାର ଓ ରବିବାର ଭିଡ଼କୁ ନେଇ ଲୋକେ ନୟାନ୍ତ ହୋଇଥିଲେ । ମେଳା ପଡ଼ିଆର ତିନିପଟେ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଲୋକେ ଭିଡ଼ ଜମାଇଥିବା ବେଳେ, ଦୁର୍ବଳ ଟ୍ରାଫିକ୍‌ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଯୋଗୁଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା ।

Also Read ;-

ବିମାନବନ୍ଦରରୁ ଶ୍ରୀକ୍ଷେତ୍ର, କଟକ ଗଡ଼ିବ ମୋ ବସ୍‌; ଆରମ୍ଭ ହେଲା ଏକ୍ସପ୍ରେସ୍‌ ସର୍ଭିସ

  • prameyanews
  • PrameyaOdia
  • prameya
  • BaliYatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.