ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ମାଧ୍ୟମିକ ଶିକ୍ଷା ପରିଷଦରେ କର୍ମଚାରୀ ମରୁଡ଼ି, ୩୩ ବର୍ଷ ହେଲା ନିଯୁକ୍ତି ନାହିଁ

କଟକ,୧୫।୯(ମହାଦେବ ସେଠୀ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ରେ କର୍ମଚାରୀ ମରୁଡ଼ି ପଡ଼ିଛି । ୭ଶହ କର୍ମଚାରୀଙ୍କ ଜାଗାରେ ଏବେ ଅଛନ୍ତି ମାତ୍ର ଶହେ ଜଣ । ୧୯୯୦ରେ ଶେଷ ଥର ପାଇଁ ୧୫ଟି କିରାଣି ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ଏହା ପରଠାରୁ ଗଲା ୩୩ ବର୍ଷ ହେବ ଆଉ ନିୟମିତ କର୍ମଚାରୀ ନିଯୁକ୍ତି ହୋଇନାହାନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଏହି ସ୍ୱୟଂଶାସିତ ଅନୁଷ୍ଠାନଟି ଏବେ ଉତ୍କଟ ମାନବ ସମ୍ବଳ ଅଭାବ ଜନିତ ସମସ୍ୟାରେ ଘାଣ୍ଟି ହେଉଛି । ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ନବମ ଏବଂ ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ଖସଡ଼ା ବା ସିଲାବସ୍‌ ପ୍ରସ୍ତୁତିଠାରୁ ଆରମ୍ଭ କରି ସିଲାବସ୍‌ ଆଧାରରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା, ବିକିବା, ବିଭିନ୍ନ ପ୍ରକାର ପରୀକ୍ଷା ପରିଚାଳନା କରିବା, ଏ ସବୁକିଛି ବୋର୍ଡ ହାତରେ । ଏକଦା ବୋର୍ଡ ପକ୍ଷରୁ ବର୍ଷକୁ ମାଟ୍ରିକ ପରୀକ୍ଷା, ସପ୍ଲିମେଣ୍ଟାରୀ ପରୀକ୍ଷା ଆଦି କେବଳ ୨/୩ଟି ପରୀକ୍ଷା ପରିଚାଳନା କରାଯାଉଥିବେଳେ ଏବେ ପରୀକ୍ଷା ସଂଖ୍ୟା ୨୨ରେ ପହଞ୍ଚିଲାଣି । ମାଟ୍ରିକ୍‌ ସମେତ ଓଟିଇଟି (ଶିକ୍ଷକ ଯୋଗ୍ୟତା ପରୀକ୍ଷା), ଓଏସ୍‌ଏସ୍‌ଟିଇଟି, ସ୍ପେସାଲ୍‌ ଓଟିଇଟି, ଏନ୍‌ଆର୍‌ଟିଏସ୍‌, ସଂସ୍କୃତ ମଧ୍ୟମା, ଷ୍ଟେଟ୍‌ ଓପନ ସ୍କୁଲ୍‌, ସିଟି, ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆଦିକୁ ମିଶାଇ ବର୍ଷକୁ ପାଖାପାଖି ୨୨ଟି ପରୀକ୍ଷା ବୋର୍ଡ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଛି । ଏସବୁ ପରୀକ୍ଷା ଲାଗି କେନ୍ଦ୍ର ଚୟନ, ଆଡମିଟ୍‌ କାର୍ଡ ତିଆରି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚାଇବା ଏବଂ ସେଠାରୁ ଉତ୍ତର ଖାତା ସଂଗ୍ରହ କରିବା, ପୁଣି ମୂଲ୍ୟାୟନ କରି ଫଳ ପ୍ରକାଶନ କରିବା ଆଦି ଯାବତୀୟ କାର୍ଯ୍ୟର ଚାପ ବଢ଼ିଛି । 

ସେହିପରି ପରୀକ୍ଷା ପରେ ସାର୍ଟିଫିକେଟ୍‌ ପ୍ରଦାନ ବି ବୋର୍ଡର ଗୁରୁ ଦାୟିତ୍ୱ । ଏଭଳି ସ୍ଥିତିରେ ବର୍ଷକୁ ୧୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଥିବା ପରିଷଦ ମାତ୍ର ଶହେ ଜଣ କର୍ମଚାରୀଙ୍କୁ ନେଇ କିପରି ପରୀକ୍ଷା ଗୁଡ଼ିକ ପରିଚାଳନା କରୁଥିବ ତାହା ଅନୁମାନ କରିହେଉଛି । କର୍ମଚାରୀ ସଙ୍କଟ ଯୋଗୁଁ ବୋର୍ଡ କର୍ତ୍ତୃପକ୍ଷ ଓଟିଇଟି ଏବଂ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ବର୍ଷକୁ ଦୁଇ ଥର ସୁଦ୍ଧା କରି ପାରୁନାହାନ୍ତି । ପୁଣି ବର୍ଷକୁ ଯେଉଁ ଥରେ ପରୀକ୍ଷା କରୁଛନ୍ତି ସେଥିରେ ବି ବିଭିନ୍ନ କାରଣରୁ ବୋର୍ଡ ବିବାଦୀୟ ପରିସ୍ଥିତିକୁ ସାମ୍ନା କରୁଛି । ପରୀକ୍ଷା ପରିଚାଳନା ପାଇଁ କର୍ମଚାରୀ ତ’ ଯାହା ଅଭାବ, ବିଷୟ-ବିଶେଷଜ୍ଞ ବା ସବ୍‌ଜେକ୍‌ଟ୍‌ ଏକ୍ସପର୍ଟ ମଧ୍ୟ ନାହାନ୍ତି । ବୋର୍ଡର ୯ଟି ଏକ୍ସପର୍ଟ ପଦ ଫାଙ୍କା ପଡ଼ିଥିବା ବେଳେ ଡେପୁଟେସନ୍‌ରେ କାମ ଚାଲିଛି । ସେମିତି କଟକ ବଜ୍ରକବାଟି ରୋଡ୍‌ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟର ଅଧିକାଂଶ ସେକ୍ସନ୍‌ ଫାଙ୍କା ପଡ଼ିଛି । ଜଣେ ଲେଖାଏଁ କିରାଣି ୩/୪ଟି ଦାୟିତ୍ୱ ସମ୍ଭାଳୁଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବୋର୍ଡର ୬ଟି ଆଞ୍ଚଳିକ କାର୍ଯ୍ୟାଳୟର ସ୍ଥିତି ନକହିବା ଭଲ । ରାଜଧାନୀ ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଜଣେ ଡେପୁଟି ସେକ୍ରେଟାରୀ ଅଛନ୍ତି । ଅଫିସ୍‌ର ଫାଇଲ୍‌ପତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଡାଇରିଷ୍ଟ ଏବଂ ଦପ୍ତରୀ ଦ୍ୱାରା ଚାଲିଛି । ବାଲେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟରେ ଜଣେ କିରାଣି ଏବେ ଅଫିସର୍‌ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ସମ୍ବଲପୁର ଏବଂ ଜୟପୁର କାର୍ଯ୍ୟାଳୟରେ ମାତ୍ର ୩/୪ ଜଣ କର୍ମଚାରୀଙ୍କୁ ନେଇ ପରୀକ୍ଷା ପରିଚାଳନା କରାଯାଉଛି । 

ଆଗାମୀ ଦିନରେ କର୍ମଚାରୀ ଅଭାବ କାରଣରୁ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି । ବୋର୍ଡରେ କର୍ମଚାରୀ ଅଭାବ ଥିବାରୁ ଦୈନିକ ମଜୁରି ହିସାବରେ ୬୭ ଜଣ କର୍ମଚାରୀ କାମ କରୁଥିବା ବେଳେ ୨୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁଣି ଠିକାରେ ନିଯୁକ୍ତି ଦିଆଯାଇଛି । ସ୍ଥାୟୀ କର୍ମଚାରୀ ନଥିବାରୁ ଠିକା କର୍ମଚାରୀଙ୍କ ଦ୍ୱାରା ପ୍ରଶ୍ନପତ୍ର ନେବା ଆଣିବା କରାଯିବା ଦ୍ୱାରା ପ୍ରଶ୍ନପତ୍ରର ସୁରକ୍ଷା ନେଇ ପ୍ରଶ୍ନ ଉଠିବା ସହ ବିଭ୍ରାଟ ଆଶଙ୍କା ଉପୁଜୁଛି । ସେହିପରି ମୂଲ୍ୟାୟନ ଏବଂ ସାର୍ଟିଫିକେଟ୍‌ ପ୍ରଦାନ ଆଦି କାର୍ଯ୍ୟରେ ମଧ୍ୟ ବିଭ୍ରାଟ ଆଶଙ୍କା ରହୁଛି । ବୋର୍ଡରେ ସ୍ଥାୟୀ କର୍ମଚାରୀ ନିଯୁକ୍ତି ନଦେଲେ ୨୦୨୫ ମସିହା ବେଳକୁ ବୋର୍ଡ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ଖସି ୫୦ରେ ପହଞ୍ଚିବ । ଫଳରେ ମୁଖ୍ୟ କାର୍ଯ୍ୟାଳୟର ଅଧିକାଂଶ ସେକ୍ସନ୍‌ରେ ତାଲା ଝୁଲିବ ବୋଲି କର୍ମଚାରୀମାନେ କହୁଛନ୍ତି । ଏ ସମ୍ପର୍କରେ ବୋର୍ଡର ସମ୍ପାଦକ ସୁମିତ୍ରା ସରକାରଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବୋର୍ଡର ଖାଲି ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦ ପୂରଣ ଲାଗି ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଛି । ଏ ଦିଗରେ ସରକାରୀ ସ୍ତରରେ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ।

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.