ରଙ୍ଗେଇଲୁଣ୍ଡା,୦୧/୦୮: ରାତି ଅଧ । ଚତୁର୍ଦ୍ଦିଗ ନିରବ । ତାହାରି ଭିତରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲୀ ପଞ୍ଚାୟତ କେଲୁଆପଲ୍ଲୀ ଗାଁ ଶ୍ମଶାନରେ ଚାଲିଥିଲା ତନ୍ତ୍ର ସାଧନା । ଯୁବତୀ ଓ ଯୁବକଙ୍କ ଫଟୋ ରଖି ସିଦ୍ଧି ପାଇଁ ତନ୍ତ୍ର ସାଧନା କରୁଥିଲେ ଦୁଇ ତାନ୍ତ୍ରିକ ଓ ୩ ଯୁବକ । ଗାଁ ଲୋକ ଏହା ଜାଣି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଁ ଜଣେ ତାନ୍ତ୍ରିକ ଖସି ପଳାଇଥିଲା । ଅନ୍ୟ ୪ ଜଣଙ୍କୁ ଗାଁ ଲୋକେ କାବୁ କରି ଗୋଳନ୍ଥରା ଥାନା ଜିମା ଦେଇଥିଲେ । ପୁଲିସ ସେମାନଙ୍କୁ ଦୀର୍ଘ ସମୟ ଜେରା କରିବା ପରେ ସେମାନଙ୍କ ଠାରୁ ଅଣ୍ଡରଟେକିଂ ଲେଖାଇ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ମଙ୍ଗଳବାର ମଧ୍ୟରାତ୍ର ପ୍ରାୟ ୧୨ଟାରେ କେଲୁଆପଲ୍ଲୀ ଗାଁ ମଶାଣିରେ ୩ଜଣ ଯୁବକଙ୍କ ସହ, ଖୋର୍ଦ୍ଧାର ଜଣେ ବାବା ଓ ପୁରୀରୁ ଆସିଥିବା ତାଙ୍କର ଜଣେ ଶିଷ୍ୟ ତନ୍ତ୍ର ସାଧନା କରୁଥିଲେ । ଖପୁରୀ, ସିନ୍ଦୂର, କେଶ, ଛୁରୀ, ନଖ, ଚିରା ଲୁଗା, ହାଡ ଆଦି ରଖି ହୋମ କରୁଥିଲେ । ପାଖରେ ଥିଲା କିଛି ଯୁବତୀ ଓ ଯୁବକଙ୍କ ଫଟୋ । ସିଦ୍ଧି ହାସଲ ପାଇଁ ଚାଲିଥିଲା ତନ୍ତ୍ର ସାଧନା । ଧୂପ ଓ ଝୁଣା ଧୂଆଁରେ ଶ୍ମଶାନ କମ୍ପି ଉଠୁଥିଲା ।
ସେହି ସମୟରେ ସେଇ ରାସ୍ତା ଦେଇଯାଉଥିବା ଦୁଇ ଜଣ ଯୁବକ ଏହା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ ଏକଥା ଶୁଣିବା ପରେ ସଂଘବଦ୍ଧ ହୋଇ ଶ୍ମଶାନକୁ ଆସିଥିଲେ । କାହାର ଫଟୋ, କାହିଁକି ରାତି ଅଧରେ ପୂଜା କରିବ ବୋଲି ତାନ୍ତ୍ରିକ ଓ ଯୁବକମାନଙ୍କୁ ପଚାରିଥିଲେ । ହେଲେ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ପାରିପାଶ୍ୱିର୍କ ସ୍ଥିତି ଦେଖି ତନ୍ତ୍ରମନ୍ତ୍ର ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଜଣେ ଅନ୍ଧାର ରାତିର ସୁଯୋଗ ନେଇ ଚମ୍ପଟ ମାରିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗାଁ ଲୋକେ କାବୁ କରି ଗୋଳନ୍ଥରା ଥାନା ଜିମା ଦେଇଥିଲେ ।
ସେମାନେ ଶ୍ମଶାନରେ କି ପୂଜା କରୁଥିଲେ, କାହାର ଫଟୋ ଓ କାହିଁକି ରଖିଥିଲେ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ମିଳିପାରିନି । ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ପଚାରିବାରେ ସେ କହିଛନ୍ତି, କିଛି ଲୋକ ଶ୍ମଶାନରେ ପୂଜାର୍ଚ୍ଚନା କରୁଥିଲେ । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଲିଖିତ ମୁଚାଲିକାରେ ଛଡାଯାଇଛି । ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ତାଗିଦ କରାଯାଇଛି ବୋଲି ଆଇଆଇସି କହିଛନ୍ତି ।