ଜୟପୁର, ୦୩/୦୭ : ୪ ଦିନ ହେଲା ଲାଗି ରହିଛି ପ୍ରବଳ ବର୍ଷା । ସହର ଏବଂ ସଦର ଅଞ୍ଚଳରେ ଦିନରାତି ଛେଚୁଛି । ଗତ ୨୪ ଘଣ୍ଟାରେ ବ୍ଲକରେ ୧୪୧.୮ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ । ବର୍ଷା ମାଡ଼ରେ ବେହାଲ ହୋଇଛି ସହର ଏବଂ ଆଖପାଖ ଅଞ୍ଚଳ । ଏକାଧିକ ମାଟି ଘର ଭାଙ୍ଗିଥିବା ବେଳେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଶତାଧିକ ଏକର ଚାଷ ଜମିରେ ପାଣି ଲହଡ଼ି ଭାଙ୍ଗୁଛି । କେତେକ ଅଞ୍ଚଳରେ ଧାନତଳି ନଷ୍ଟ ହୋଇଯାଇଛି । ଭାରପ୍ରାପ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ନିର୍ଦ୍ଦେଶ ଦେଇଛନ୍ତି । ୩ ତାରିଖରେ ମଧ୍ୟ ପ୍ରବଳ ବର୍ଷିବ । ଏଥିଲାଗି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ୱାର୍ଡରେ ଆଜି ଡ୍ରେନ୍ ଭର୍ତ୍ତି ହୋଇ ଆବର୍ଜନା ପାଣି ରାସ୍ତାରେ ଛୁଟିଥିଲା । ଜଗନ୍ନାଥସାଗର ନୂଆ ରାସ୍ତାରୁ ମାଟି ଧସି ତଳେ ଥିବା ବସ୍ତିରେ ପଡ଼ିଥିଲା । ଜୟନଗର ପାଇକସାହି, ୨୨ ନମ୍ବର ୱାର୍ଡ ନ୍ୟୁ କଲୋନି, ପୋଷ୍ଟାଲ କଲୋନି, ସୂର୍ଯ୍ୟମହଲ ସହ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିଲା । ପୌର ପ୍ରଶାସନ ପକ୍ଷରୁ ମେସିନ୍ ଲଗାଇ ନିଷ୍କାସନ ବ୍ୟବସ୍ଥା କରାଯିବା ପରେ ସ୍ଥିତିରେ ସୁଧାର ଆସିଥିଲା । ପୌରଉପାଧ୍ୟକ୍ଷା ବି.ସୁନିତା, ପୌର ଯନ୍ତ୍ରୀ ଅଜୟ କୁମାର ଜାନୀ, ପରିମଳ ନିରୀକ୍ଷକ ଭୋବନୀ ହାଲବା, ବିଭାଗୀୟ କର୍ମଚାରୀ, ସାନିଟେସନ୍ ଷ୍ଟାଫ ଏବଂ କାଉନସିଲରମାନେ ବିଭିନ୍ନ ୱାର୍ଡ ତଦାରଖ କରିଥିଲେ । ଅପରାହ୍ଣ ୪ଟା ପରେ ବର୍ଷା ସାମାନ୍ୟ କମିଥିଲା । ନିରନ୍ତର ବର୍ଷା ଲାଗି ସହରର ବିଭିନ୍ନ ମୁଖ୍ୟରାସ୍ତା, ବ୍ୟବସାୟ ପ୍ରତିଷ୍ଠାନ ଖାଁ ଖାଁ ରହିଥିଲା । ସ୍କୁଲ ଏବଂ କଲେଜରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ରହିଥିଲା । କେତେକ ଅନୁଷ୍ଠାନରେ କ୍ଲାସ୍ ବାତିଲ କରାଯାଇଥିଲା । ବ୍ଲକ ଅଞ୍ଚଳରେ ବି ବର୍ଷା ବିତ୍ପାତ ଦେଖା ଦେଇଛି । ପାହାଡ଼ି ନାଳ ଫୁଲି କଲଭର୍ଟ ଉପରେ ପାଣି ଛୁଟୁଛି । ବ୍ଲକର ଜବାକନାଡ଼ି, ବାୟାଗୁଡ଼ା, ସିଆଡ଼ିମାଳ, ଅନ୍ତା, ସୋମଦାଶପୁଟ, ଘିଉରୀ, ସର୍ଗିଗୁଡ଼ା ସହ ବିଭିନ୍ନ ଅଞ୍ଚଳର ଚାଷ ଜମିରେ ପାଣି ଜମି ରହିଛି । ଶତାଧିକ ଏକର ଜଳମଗ୍ନ ହୋଇଛି । ଧାନ ତଳି ପକାଇଥିବା କେତେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ପାହାଡ଼ି ପାଣି ତୋଡ଼ରେ ତଳି ଧୋଇ ହୋଇଯାଇଛି ।
ଅଧିକାଂଶ ଜମିରେ ରୁଆ ଆରମ୍ଭ ହୋଇନଥିବାରୁ ଚାଷୀ ରକ୍ଷା ପାଇଯାଇଛନ୍ତି । ତଥାପି ରୁଆ ହୋଇଥିବା କେତେକ ଜମିରେ ପାଣି ଲହଡ଼ି ଭାଙ୍ଗୁଛି । ପାଣି ତଳେ ଆଉ ୨ ଦିନ ତଳି ରହିଲେ ପଚିଯିବା ସମ୍ଭାବନା ରହିଥିବା ଜଣେ ଚାଷୀ କହିଛନ୍ତି । ପରିବା ଚାଷ ବାବଦରେ ତଥ୍ୟ ହସ୍ତଗତ ହୋଇନି । ଏ ସମ୍ପର୍କରେ କୃଷି ବିଭାଗରେ ମଧ୍ୟ କେହି ଅଭିଯୋଗ କରିନାହାନ୍ତି । ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ତହସିଲଦାର ଶ୍ରୀ ପଟ୍ଟନାୟକ, ରାଜସ୍ୱ ସୁପରଭାଇଜର ହରିହର ଶତପଥୀ, ଦିଲ୍ଲୀପ କୁମାର ପ୍ରଧାନ, ଆରଆଇ ଏବଂ ବିଭାଗୀୟ କର୍ମଚାରୀମାନେ । ଘର ନଷ୍ଟ ହୋଇଥିବା ଲୋକଙ୍କୁ ଭେଟି ଭଲମନ୍ଦ ବୁଝିଛନ୍ତି । କ୍ଷତିଗ୍ରସ୍ତଙ୍କୁ ପଲିଥିନ୍ ପ୍ରଦାନ କରିଛନ୍ତି ।