ନୂଆଦିଲ୍ଲୀ,୦୧/୦୭: ରେଳଯାତ୍ରା ମହଙ୍ଗା। ଆଜିଠୁ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀ ଭଡ଼ାକୁ ବ୍ୟବସ୍ଥିତ କରିବା ତଥା ସେବାରେ ଆର୍ଥିକ ସ୍ଥିରତା ବୃଦ୍ଧି ଲାଗି ସଂଶୋଧିତ ଭଡ଼ା ଲାଗୁ କରିଛି । ଜେନେରାଲ ନନ୍-ଏସି ଦ୍ୱିତୀୟ ଶ୍ରେଣୀରେ ସର୍ତ୍ତ ଭିତ୍ତିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି । ୫୦୦ କିମି ଯାଏ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ । ୫୦୧ରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା ଏବଂ ୨୫୦୧ରୁ ୩ ହଜାର କିମି ଦୂରତ୍ୱ ପାଇଁ ଭଡ଼ା ୧୫ ଟଙ୍କା ବୃଦ୍ଧି ହୋଇଛି।
ସେହିଭଳି ଉପନଗର ଏକକ ଯାତ୍ରୀ ଭଡ଼ା ଏବଂ ସିଜନ ଟିକଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସ୍ଲିପର କ୍ଲାସରେ ପ୍ରତି କିମି ପିଛା ୦.୫ ପଇସା, ପ୍ରଥମ ଶ୍ରେଣୀରେ କିମି ପିଛା ୦.୫ ପଇସା ବୃଦ୍ଧି ହୋଇଛି । ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ ବର୍ଗରେ ଦ୍ୱିତୀୟ ଶ୍ରେଣୀରେ କିମି ପିଛା ୧ ପଇସାଇ ସ୍ଲିପର କ୍ଲାସ କିମି ପିଛା ୧ ପଇସା, ପ୍ରଥମ ଶ୍ରେଣୀରେ କିମି ପିଛା ୧ ପଇସା ବୃଦ୍ଧି କରାଯାଇଛି । ଏହାବାଦ ଏସି ଶ୍ରେଣୀ ମେଲ୍, ଏକ୍ସପ୍ରେସ ପାଇଁ କିମି ପିଛା ଭଡ଼ା ୨ ପଇସା ବଢ଼ିଛି । ଆନୁଷଙ୍ଗିକ ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିଭଳି ସଂରକ୍ଷଣ ଦେୟ, ସୁପର୍ଫାଷ୍ଟ ଚାର୍ଜ, ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି । ପ୍ରଯୁଜ୍ୟ ନିୟମ ଅନୁସାରେ ଜିଏସ୍ଟି ଲାଗୁ ହେବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।