ନୂଆଦିଲ୍ଲୀ,୦୧/୦୭: ନୂଆକରି ନିର୍ମିତ ହୋଇଥିବା ରାସ୍ତାରେ ଲଙ୍ଗ୍ ଡ୍ରାଇଭ୍ ମଜା ନିଆରା । କିନ୍ତୁ ରାସ୍ତା ମଝିରେ ଯଦି ଗଛ ଥାଏ, ତେବେ ଗାଡ଼ି ଚାଳନାରେ ବାଧା ଉପୁଜେ । ଏହି ସ୍ଥିତିରେ ଜୀବନ ଯିବାର ବିପଦ ବେଶି । ବିହାରରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ପାଟନାଠୁ ୫୦ କିମି ଦୂର ଜେହାନାବାଦରେ ୧୦୦ କୋଟିର ଟଙ୍କା ବ୍ୟୟରେ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ ପୁରାପୁରି ଫେଲ୍ ମାରିଛି । ଜେହାନାବାଦରେ ପାଟନା-ଗୟା ମେନ୍ ରୋଡ୍ରେ ୭.୪୮ କିମି ଲମ୍ବା ରାସ୍ତା ମଝିରେ ବଡ଼ ବଡ଼ ବୃକ୍ଷ ଖୁଣ୍ଟ ଭଳି ଠିଆ ହୋଇଛି । ଯାହା ଏହି ମାର୍ଗରେ ଯାଉଥିବା ଲୋକଙ୍କ ପାଇଁ ଯମ ଦୂତ ସାଜିଛନ୍ତି ।
ତେବେ ରାସ୍ତା ମଝିରେ ଗଛଗୁଡ଼ିକ ରାତାରାତି ବଡ଼ ହୋଇନାହାନ୍ତି । ମାମଲାଟି କିଛି ଏମିତି, ଜିଲ୍ଲା ପ୍ରଶାସନ ଯେତେବେଳେ ୧୦୦ କୋଟି ଟଙ୍କା ବ୍ୟୟରେ ରାସ୍ତା ଚଉଡ଼ା ପ୍ରୋଜେକ୍ଟ ହାତକୁ ନେଲା, ରାସ୍ତା ମଝିରେ ଥିବା ବୃକ୍ଷଗୁଡ଼ିକୁ ହଟାଇବା ପାଇଁ ଜଙ୍ଗଲ ବିଭାଗକୁ ଅନୁରୋଧ କରିଥିଲା । ମାତ୍ର ଜଙ୍ଗଲ ବିଭାଗ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ଏହା ବଦଳରେ ଜଙ୍ଗଲ ବିଭାଗ ୧୪ ହେକ୍ଟର ଜଙ୍ଗଲ ଜମି ପାଇଁ କ୍ଷତିପୂରଣ ଦାବି କରିଥିଲା । ତେବେ, ଜିଲ୍ଲା ପ୍ରଶାସନ ଏହି ଦାବିକୁ ପୂରଣ କରିବାରେ ବିଫଳ ହେବା ପରେ ଏଭଳି ଏକ ଅଜବ କାମ କରିଥିଲା । ବୃକ୍ଷକୁ ନହଟାଇ ଚୁତଃପାଶ୍ୱର୍ରେ ରାସ୍ତା ନିର୍ମାଣ କରିଦେଲା । ରାସ୍ତାରେ ଗଛଗୁଡ଼ିକ ଗୋଟିଏ ଧାଡ଼ିରେ ଲଗାଯାଇ ନ ଥିବାରୁ ଚାଳକ ଏହାକୁ ଅଣଦେଖା କରି ଆରାମରେ ଗାଡ଼ି ଚଲାଇ ପାରିବେ ନାହିଁ । ରାସ୍ତା ମଝିରେ ଗଛ ରହିଥିବାରୁ ଅଙ୍କାବଙ୍କା ହୋଇ ଗାଡ଼ି ନେବାକୁ ପଡୁଛି । ଏଥିପାଇଁ ଅନେକ ଦୁର୍ଘଟଣା ଘଟି ସାରିଲାଣି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଗଛଗୁଡ଼ିକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି ।