ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

୨ ସପ୍ତାହରେ ୨୦ ଟଙ୍କା ବଢ଼ିଲା ଡାଲି, କିଲୋ ପିଛା ୧୭୫ ଟଙ୍କାରେ ବିକ୍ରି

ଭୁବନେଶ୍ୱର,୧୮/୦୯: ରୋଷେଇଶାଳାରେ ଡାଲି ଏକ ଜରୁରୀ ସାମଗ୍ରୀ । ଆର୍ଥିକ ଦୁର୍ବଳ ବର୍ଗ, ମଧ୍ୟବିତ୍ତ ହୁଅନ୍ତୁ କି ସ୍ୱଚ୍ଛଳ ମେନ୍ୟୁରେ ଡାଲିର ଉପସ୍ଥିତି ନିଶ୍ଚିତ । ତେବେ ଡାଲିର ଅହେତୁକ ଦର ବୃଦ୍ଧି ଖାଉଟିଙ୍କୁ କନ୍ଦାଇଲାଣି । ଗତ ୨ ସପ୍ତାହରେ ହରଡ ଡାଲି କିଲୋ ପିଛା ଦର ୨୦ ଟଙ୍କା ବଢି ୧୭୫ ଟଙ୍କା ଛୁଇଁଛି । ଏହି ବର୍ଗର ଡାଲି ପାଇକାରି ଦର ୧୬୫ ଟଙ୍କା ଯାଏ ବିକ୍ରି ହେଉଛି । ଫଳରେ ଖୁଚୁରା ବ୍ୟବସାୟୀ ଏହାକୁ ୧୭୫ କିମ୍ବା କିଛି ସ୍ଥାନରେ ଏହାଠାରୁ ଉଚ୍ଚରେ ବିକ୍ରି କରୁଛନ୍ତି । ଯେଉଁ ବ୍ୟବସାୟୀଙ୍କ ନିକଟରେ ପୁରୁଣା ଷ୍ଟକ ରହିଛି ସେମାନେ ଖୁଚୁରା ଦର ୧୬୦ରୁ ୧୬୫ ଟଙ୍କାରେ ବିକ୍ରି କରୁଥିବା ସୂଚନା ମିଳିଛି । 

ସ୍ଥାନୀୟ ରସୁଲଗଡ କୋଚିଲେଇ ହାଟରେ ରବିବାର ହରଡ ଡାଲି ୧୭୦ ଟଙ୍କାରେ ବିକ୍ରି ହେଉଥିଲା । ସେହିଭଳି ମୁଗ ୧୨୦ ଟଙ୍କା, ମସୁର ୧୧୦ ଟଙ୍କା, ବିରି ୧୨୦ ଟଙ୍କା ଏବଂ ବୁଟ ଡାଲି କିଲୋ ପିଛା ୯୦ ଟଙ୍କାରେ ବିକ୍ରି ହେଉଛି । ଏବେ ବଜାରରେ ଉପଲବ୍ଧତା କମ୍‌ ରହିଛି । ଏହାର ମୂଳ କାରଣ ପ୍ରଭାବିତ ଉତ୍ପାଦନ କମ୍‌ ବୋଲି କହିଛନ୍ତି ବ୍ୟବସାୟୀ । ରାଜ୍ୟ ବ୍ୟବସାୟୀ ସଂଘ ସୂଚନା ମୁତାବକ, ରାଜ୍ୟରେ ବାର୍ଷିକ ଡାଲି ଚାହିଦା ୯.୪୦ ଲକ୍ଷ ମେଟ୍ରିକ ଟନ୍‌ । ଏହାକୁ ଦେଖିଲେ ପ୍ରତି ମାସ ୭୫ ହଜାରରୁ ୮୦ ହଜାର ଟନ୍‌ ଡାଲି ରାଜ୍ୟ ଆବଶ୍ୟକ କରୁଛି । ଉଭୟ ରାଜ୍ୟ ଭିତର ଏବଂ ରାଜ୍ୟ ବାହାର ଉପରେ ପ୍ରକ୍ରିୟାକୃତ ଡାଲି ଲାଗି ଓଡ଼ିଶାକୁ ନିର୍ଭର କରିବାକୁ ପଡିଛି ।

ତେବେ ଏବେ ଦରଦାମକୁ ସରକାର ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରୁନାହାନ୍ତି । ଫଳରେ ଦରଦାମ ଅହେତୁକ ଭାବେ ବଢ଼ୁଥିବା କହିଛନ୍ତି ବଜାର ବିଶେଷଜ୍ଞ । ବଡ କର୍ପୋରେଟ ଗୁଡିକ ବୃହତ୍ତ ପରିମାଣର ସାମଗ୍ରୀ ମହଜୁଦ କରି ରଖିବା ଯୋଗୁ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରାଯାଉଥିବା ମଧ୍ୟ ଅଭିଯୋଗ ଆସିଛି ।

କେବଳ ଡାଲି ନୁହେଁ ଚାଉଳ ଦର ଏବେ ରେକର୍ଡ ସ୍ତର ଛୁଇଁଛି । ପନିପରିବା ଦର ଗୋଟିଏ ମାସ ତଳେ ଆକାଶ ଛୁଆଁ ହୋଇ ରହିଥିଲା । ଏହା ଏବେ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତିକୁ ଫେରିପାରିନାହିଁ ।  ଲୁଣ, କ୍ଷୀର, ଅଟା, ଖାଇବା ତେଲ, ସୁଜି, ବେସନ, ମଇଦା, ମସଲା ସାମଗ୍ରୀ ଭଳି ଅନ୍ୟ ବର୍ଗରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବା ଯୋଗୁ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଏହି ପରିପ୍ରେକ୍ଷୀରେ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଦରଦାମ ନିୟନ୍ତ୍ରଣ କରି ଲୋକଙ୍କୁ ଆଶ୍ୱସ୍ତି ଦେବା ଦିଗରେ ସରକାର ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏବେ କେବଳ ଡାଲି ନୁହେଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଉଦ୍ଧ୍ୱର୍ଗାମୀ ଥିବାରୁ ସାଧାରଣ ଖାଉଟି ନାହିଁ ନ ଥିବା ସମସ୍ୟା ସାମ୍ନା କରୁଛନ୍ତି । 

ସରକାର ବ୍ୟବସାୟୀଙ୍କ ଲାଗି ଉନ୍ନତ ବାତାବରଣ ସୃଷ୍ଟି ଦିଗରେ ମଧ୍ୟ ପଦକ୍ଷେପ ନେବା କଥା । ରିଟେଲ ବ୍ୟବସାୟ କ୍ଷେତ୍ରରେ ଏଫ୍‌ଡିଆଇକୁ ଅନୁମତି ଦିଆଯିବା ଯୋଗୁ ଏବେ ବ୍ୟବସାୟୀ ମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ବାରମ୍ବାର ଏନେଇ ସରକାରଙ୍କୁ ନିବେଦନ କରୁଥିଲେ ମଧ୍ୟ ସୁଫଳ ମିଳିପାରୁନାହିଁ । ଏ ଦିଗରେ ଏକ ସ୍ଥାୟୀ ପନ୍ଥା ନ ଆସିଲେ ଖାଉଟିଙ୍କ ସହ ବ୍ୟବସାୟୀଙ୍କ ସ୍ଥିତି ଆଗକୁ ଆହୁରି ବିଗିଡିବ । ବଡ  କର୍ପୋରେଟଗୁଡିକ ଲାଭବାନ ହେଉଥିବା ବେଳେ କ୍ଷୁଦ୍ର ବ୍ୟବସାୟୀଙ୍କ ସଙ୍କଟ ବଢ଼ିବ ବୋଲି ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ।

ସ୍ଥାନିୟ ହରିଦାସପୁରର ଗୃହିଣୀ ମନିସା ଦାସ କହିଛନ୍ତି, କେବଳ ଡାଲି ନୁହେଁ ଚାଉଳ, ଗହମ, ଖାଇବା ତେଲ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଉଦ୍ଧ୍ୱର୍ଗାମୀ ହୋଇ ଚାଲିଛି । ଖର୍ଚ୍ଚ ବଢ଼ୁଥିବାରୁ ମଧ୍ୟବିତ୍ତଙ୍କ ଲାଗି ପରିବାର ଚଳାଇବା କଷ୍ଟକର ହେଉଛି । ସ୍ଥିତି ସୁଧୁରିବ ବୋଲି ଆଶା ରହିଥିଲେ ଦିନକୁ ଦିନ ଏହା ବିଗୁଡିଛି । ରସୁଲଗଡ ନିବାସୀ ସରୋଜ ବେହେରା କହିଛନ୍ତି, ଦରଦାମ ନିୟନ୍ତ୍ରଣ ସରକାରଙ୍କ ପ୍ରମୁଖ କାମ  । ମାତ୍ର ତାହା ଏବେ ହେଉନାହିଁ । କେବଳ ଡାଲି ନୁହେଁ ଚାଉଳ, ଲୁଣ, ଖାଇବା ତେଲ, ଅଟା, କ୍ଷୀର ଭଳି ଅଧିକାଂଶ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବା ଯୋଗୁ ଲୋକମାନେ ଚିନ୍ତାରେ । ସରକାର ତ୍ୱରିତ ଭାବେ ଲୋକଙ୍କ କଷ୍ଟ ଲାଘବ କରନ୍ତୁ ।


Copyright © 2022 - Summa Real Media Private Limited. All Rights Reserved.