ନୂଆଦିଲ୍ଲୀ ୦୪/୦୭: ଦକ୍ଷିଣ ଜାପାନର ଏକ ସୁଦୂର ଦ୍ୱୀପ ଗତ ଦୁଇ ସପ୍ତାହରେ ୯୦୦ରୁ ଅଧିକ ଭୂକମ୍ପର ସମ୍ମୁଖୀନ ହୋଇଛି । ଲଗାତାର ଭୂକମ୍ପ ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜିଯାଇଛି । ଲୋକେ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି । ଆହୁରି ଶକ୍ତିଶାଳୀ ଭୂକମ୍ପ ଆଶଙ୍କା ନେଇ ସେମାନେ ଏବେ ଚିନ୍ତାରେ । ତେବେ ଅଦ୍ୟାବଧି ସଂଘଟିତ ଭୂକମ୍ପ ଯୋଗୁ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ । ଜାପାନ ପାଣିପାଗ ଏଜେନ୍ସି ଅନୁସାରେ, ଭୂକମ୍ପ ଝଟ୍କା କେବେ ବନ୍ଦ ହେବ, ଅନୁମାନ କରିବା ଅସମ୍ଭବ । ପାଣିପାଗ ବିଭାଗର ଅଧିକାରୀ ଆୟାତାକା ଏବିତା ଏକ ଆପାତକାଳ ସମ୍ମିଳନୀରେ କହିଛନ୍ତି, ଗତ ଜୁନ୍ ୨୧ ତାରିଖରୁ ଟୋକାରା ଦ୍ୱୀପସମୂହ ଚତୁଃପାଶ୍ୱର୍ ସମୁଦ୍ରରେ ଭୂକମ୍ପ ଗତିବିଧି ଖୁବ୍ ସକ୍ରିୟ ରହିଛି । ଗତ ବୁଧବାର ଅପରାହ୍ଣ ୩.୩୦ରେ ୫.୫ ତୀବ୍ରତାର ଭୂମିକମ୍ପ ଘଟଣା ପରେ ସେ ଏହି ସୂଚନା ଲୋକଙ୍କୁ ଦେଲେ । ଅପରାହ୍ଣ ୪ଟା ସୁଦ୍ଧା ଭୂକମ୍ପ ସଂଖ୍ୟା ୯୦୦ରୁ ଟପିଗଲା ।
ଯଦି ଆହୁରି ଶକ୍ତିଶାଳୀ ଭୂମିକମ୍ପ ହୁଏ, ତେବେ ଘର ଛାଡ଼ିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଗତ ମଙ୍ଗଳବାର ସୁଦ୍ଧା ମାତ୍ର ୧୦ ଦିନରେ ୭୪୦ ଭୂକମ୍ପ ଘଟଣା ରେକର୍ଡ ହୋଇଥିଲା । ସମସ୍ତ ଭୂକମ୍ପକୁ ଜାପାନର ୭-ପଏଣ୍ଟ୍ ଭୂକମ୍ପ ତୀବ୍ରତା ସ୍କେଲ୍ରେ ଅତିକମ୍ରେ ସ୍ତର-୧ରେ ରେକର୍ଡ କରାଯାଇଥିଲା । ଲୋକଙ୍କୁ ସତର୍କ କରିବା ପାଇଁ ସ୍ତର-୫ ଭୂକମ୍ପକୁ ଶକ୍ତିଶାଳୀ ଭାବେ ବିବେଚନା କରାଯାଏ । ଟୋକାରା ଗ୍ରାମ ଅଧିକାରୀଙ୍କ ଅନୁସାରେ, ନିରନ୍ତର ଭୂକମ୍ପ ସ୍ଥାନୀୟ ବାସିନ୍ଦାଙ୍କୁ ବ୍ୟସ୍ତ ବିବ୍ରତ କରିଛି । ଜଣେ ବାସିନ୍ଦା କହିଛନ୍ତି, ଲାଗୁଛି ଯେମିତି ଏ ଜାଗା ନିରନ୍ତର ଥରୁଛି । ପିଲାଙ୍କୁ ନେଇ ଘର ଛାଡ଼ିବାକୁ ସେମାନେ ଚିନ୍ତା କରୁଛନ୍ତି । ରେକର୍ଡ ଅନୁସାରେ, ଗତ ଜୁନ୍ ୨୩ରେ ଦୈନିକ ଭୂକମ୍ପ ସଂଖ୍ୟା ୧୮୩ରେ ପହଞ୍ଚିଥିଲା । ଜୁନ୍ ୨୬ରେ ଏହି ସଂଖ୍ୟା ୧୫ ଏବଂ ୨୭ରେ ୧୬କୁ ଖସିଲା । ଜୁନ୍ ୨୯ରେ ଭୂକମ୍ପ ସଂଖ୍ୟା ପୁଣି ବଢ଼ି ୯୮ରେ ପହଞ୍ଚିଲା । ଜୁନ୍ ୩୦ରେ ୬୨ ଭୂକମ୍ପ ଝଟ୍କା ରେକର୍ଡ କରାଗଲା ।
ଗତ ବର୍ଷ ଟୋକାରାରେ ସମାନ ଭୂକମ୍ପ ଘଟଣା ଘଟିଥିଲା । ପାଣିପାଗ ବିଭାଗ ଅନୁସାରେ, ମୋଟ୍ ୩୪୬ ଭୂକମ୍ପ ରେକର୍ଡ ହୋଇଥିଲା । ୧୨ ଟୋକାରା ଦ୍ୱୀପ ମଧ୍ୟରୁ ୭ ଦ୍ୱୀପରେ ମୋଟ୍ ୭୦୦ ଲୋକ ବାସ କରୁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଦ୍ୱୀପସମୂହର ଅସ୍ୱାଭାବିକ ପାଣି ତଳର ପରିଦୃଶ୍ୟ ଭୂକମ୍ପ ଘଟଣା ବଢ଼ାଉଛି । ଜାପାନ ବିଶ୍ୱର ଅନ୍ୟତମ ସର୍ବାଧିକ ଭୂକମ୍ପ ପ୍ରବଣ ଦେଶ । ଏହା ପ୍ରଶାନ୍ତମହାସାଗର ‘ରିଙ୍ଗ୍ ଅଫ୍ ଫାୟାର’ରେ ସ୍ଥିତ ୪ ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ର ଶୀର୍ଷରେ ଅବସ୍ଥିତ । ସେଥିପାଇଁ ବର୍ଷକୁ ଏହା ପ୍ରାୟ ୧୫ଶହରୁ ଅଧିକ ଭୂକମ୍ପର ସମ୍ମୁଖୀନ ହୁଏ । ଚଳିତ ସପ୍ତାହ ଜାପାନ ସରକାର କହିଛନ୍ତି, ପ୍ରଶାନ୍ତ ମହାସାଗର ତଟରେ ସମ୍ଭାବ୍ୟ ଭୟଙ୍କର ଭୂକମ୍ପ ପାଇଁ ଦେଶକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।