ନୂଆଦିଲ୍ଲୀ ୦୪/୦୭: ଚିକିତ୍ସା ଜଗତରେ ବଡ଼ ସଫଳତା । ଜାପାନ ଗବେଷକମାନେ ଏକ ପ୍ରକାର କୃତ୍ରିମ ରକ୍ତ ପ୍ରସ୍ତୁତ କରିଛନ୍ତି, ଯାହା ବିଶ୍ୱସ୍ତରରେ ସମସ୍ତ ରକ୍ତ ପ୍ରକାର ସହିତ ମିଶିପାରିବ । ଏହାର ଜୀବନକାଳ ମଧ୍ୟ ଅଧିକ ଲମ୍ବା । ବିଶେଷଜ୍ଞଙ୍କ ଅନୁସାରେ, ଏହା ଏକ ଯୁଗାନ୍ତକାରୀ ଆପାତକାଳ ଔଷଧ ଯାହା ଅନେକ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ।
ଅମ୍ଳଜାନ ବହନକାରୀ ପ୍ରୋଟିନ୍ ‘ହିମୋଗ୍ଲୋବିନ୍’କୁ ସମାହିତ କରି କୃତ୍ରିମ ରକ୍ତ ପ୍ରସ୍ତୁତ କରାଯାଇଛି । ହିମୋଗ୍ଲୋବିନ୍ ଭେସିକଲ୍ସ ସୃଷ୍ଟି କରୁଥିବା ଏକ ସୁରକ୍ଷାତ୍ମକ ଆବରଣ ଭିତରେ ଅବଧି ଶେଷ ହୋଇ ସାରିଥିବା ରକ୍ତକୁ ରଖି ସେଥିରୁ କୃତ୍ରିମ ରକ୍ତ ପ୍ରସ୍ତୁତ କରାଯାଇଛି । ଏହାର ଚିକିତ୍ସକୀୟ ପରୀକ୍ଷଣ ଚାଲିଛି । ସଫଳ ହେଲେ, ୨୦୩୦ ସୁଦ୍ଧା ରକ୍ତର ବ୍ୟାପକ ବ୍ୟବହାର ହୋଇପାରିବ ।
ବୈଜ୍ଞାନିକମାନେ ଅବଧି ଶେଷ ହୋଇଥିବା ଦାନ ରକ୍ତରୁ ହିମୋଗ୍ଲୋବିନ୍କୁ ଅଲଗା କରିଥିଲେ । ଏହା ପରେ ଏକ ସ୍ଥାୟୀ, ଭୂତାଣୁ-ମୁକ୍ତ କୃତ୍ରିମ ରକ୍ତ କୋଷିକା ନିର୍ମାଣ ପାଇଁ ଏହାକୁ ଏକ ସୁରକ୍ଷାତ୍ମକ ଆବରଣ ଭିତରେ ରଖିଥିଲେ । ଦାନ ରକ୍ତଠୁ ଭିନ୍ନ କୃତ୍ରିମ କୋଷିକାଗୁଡ଼ିକର ରକ୍ତ ପ୍ରକାର ନାହିଁ । ତେଣୁ ସେଗୁଡ଼ିକୁ ସମସ୍ତ ପ୍ରକାର ସୁସଙ୍ଗତ ପରୀକ୍ଷଣ ଆବଶ୍ୟକରୁ ବାଦ୍ ଦିଆଯାଏ । ଆପାତକାଳରେ ଏହାର କୌଣସି ମୂଲ୍ୟ ନ ଥାଏ । ଉଲ୍ଲେଖଯୋଗ୍ୟ, ଦାନ ରକ୍ତର ଜୀବନକାଳ ମାତ୍ର ୪୨ ଦିନ । ତା’ପରେ ବିଭିନ୍ନ ରକ୍ତ ସମୂହ ମଧ୍ୟରେ ଏହାର ଅନୁକୂଳତା ଆବଶ୍ୟକ ହୁଏ । ନାରା ମେଡିକାଲ ୟୁନିଭର୍ସିଟିର ପ୍ରଫେସର ହିରୋମି ସାକାଇଙ୍କ ନେତୃତ୍ୱରେ କୃତ୍ରିମ ରକ୍ତର ପରୀକ୍ଷଣ ହୋଇଥିଲା । ବୈଜ୍ଞାନିକମାନେ ଚଳିତ ବର୍ଷ ପ୍ରାରମ୍ଭରେ ୧୬ ଜଣ ସୁସ୍ଥ ବୟସ୍କ ସ୍ୱେଚ୍ଛାସେବୀଙ୍କୁ ପ୍ରାୟ ୧୦୦-୪୦୦ ମିଲିଲିଟର କୃତ୍ରିମ ରକ୍ତ ଦେଇଥିଲେ । ଯଦି ପରୀକ୍ଷଣରୁ ସୁରକ୍ଷା ଓ ପ୍ରଭାବ ମାମଲାରେ ସଫଳତା ମିଳେ, ୨୦୩୦ ମସିହା ସୁଦ୍ଧା ସେମାନେ ଏହି ରକ୍ତକୁ ଚିକିତ୍ସାରେ ବ୍ୟବହାର କରିବେ ବୋଲି ଆଶା ବାନ୍ଧିଛନ୍ତି । ଏହା ଜରିଆରେ ଚିକିତ୍ସା ଜଗତରେ କୃତ୍ରିମ ରକ୍ତ ଉପଯୋଗ କରୁଥିବା ବିଶ୍ୱର ପ୍ରଥମ ଦେଶ ହେବ ଜାପାନ ।
ବୈଜ୍ଞାନିକଙ୍କ ଅନୁସାରେ, ଏହି ରକ୍ତର କିଛି ସଂସ୍କରଣରେ ପ୍ଲାଟ୍ଲେଟ୍ ବିକଳ୍ପ ମଧ୍ୟ ରହିବ । ଏହା ରକ୍ତ ଜମାଟରେ ସାହାଯ୍ୟ କରେ, ଯାହା କ୍ଷତ କିମ୍ବା ସର୍ଜରି ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଅମ୍ଳଜାନ ପରିବହନ ଓ ରକ୍ତ ଜମାଟ ବାନ୍ଧିବାର ମିଶ୍ରଣ କୃତ୍ରିମ ରକ୍ତକୁ ମାନବ ରକ୍ତର ନକଲ କରିବାରେ ସକ୍ଷମ କରେ । ପ୍ରଫେସର ସାକାଇ କହିଛନ୍ତି, ବର୍ତ୍ତମାନ ଲୋହିତ ରକ୍ତ କୋଷିକାର କୌଣସି ସୁରକ୍ଷିତ ବିକଳ୍ପ ନ ଥିବାରୁ କୃତ୍ରିମ ରକ୍ତ କୋଷିକାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।