ପ୍ରମୂଖ ଖବର

କୋଭିଡ୍‌ ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପର, ସର୍ଭେଲାନ୍ସ ବଢ଼ାଇବାକୁ ଜିଲ୍ଲା ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୨/୧୨: ଦେଶରେ କୋଭିଡ୍‌ ଚିନ୍ତା ବଢ଼ାଉଛି । ଆଉ ଥରେ ସଂକ୍ରମଣ କାୟା ବିସ୍ତର କରିବ କି ? ଏଭଳି  ଆଶଙ୍କା ଉଙ୍କି ମାରିଛି । କୋଭିଡ୍‌ ନେଇ କେନ୍ଦ୍ର  ସରକାର ସତର୍କ କରାଇଲା ପରେ ରାଜ୍ୟ  ସରକାର ମୁକାବିଲା ଦିଗରେ ତତ୍ପରତା  ପ୍ରକାଶ କରିଛନ୍ତି । ପୂର୍ବ ପ୍ରସ୍ତୁତିକୁ ନେଇ ସଜାଗ ଅଛନ୍ତି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ  ମିଶ୍ର କହିଛନ୍ତି, ରାଜ୍ୟରେ ଗତ ଡିସେମ୍ବର  ୩ ତାରିଖଠାରୁ କୋଭିଡ୍‌ ଗୋଟିଏ ହେଲେ  କେସ ଆସିନାହିଁ । ରାଜ୍ୟରେ କୋଭିଡ୍‌ ରୋଗୀ ନାହାନ୍ତି । ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି । କେସ୍‌ ବାହାରିବାର ସମ୍ଭାବନା ରହିଛି । ସମସ୍ତ ଜିଲ୍ଲା ହସ୍ପିଟାଲରେ ସର୍ଭେଲାନ୍ସ ବଢ଼ାଇକୁ କୁହାଯାଇଛି । ଏହାବ୍ୟତୀତ କୋଭିଡ୍‌ ଟେଷ୍ଟ ବଢ଼ାଇବା ସହ ଫିଭର୍‌ କ୍ଲିନିକ୍‌ ଚଳାଇବେ । କୋଭିଡ୍‌  କେସ ଯଦି ବଢ଼େ ତା'ପାଇଁ ସମସ୍ତ  ପ୍ରକାର ପ୍ରସ୍ତୁତି ଏବେଠାରୁ କରି ରଖିବେ । ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍‌, ବେଡ୍‌,  ଅକ୍ସିଜେନ୍‌, ଇକୋ ସିଷ୍ଟମ ସହ ଆବଶ୍ୟକ  ଜିନିଷ ରଖାଯିବ । ପ୍ରତି ୩ ମାସରେ ଥରେ  ମକ୍‌ ଡ୍ରିଲ୍‌ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ  ରହିଛି । ଲୋକଙ୍କୁ ସଚେତନ କରିବା ପାଇଁ  କୁହାଯାଇଛି । କିନ୍ତୁ ଆତଙ୍କିତ ହେବାର  ଆବଶ୍ୟକତା ନାହିଁ । ଲୋକଙ୍କୁ ନିବେଦନ  ରହିବ କୋଭିଡ ନିୟମ ଅନୁପାଳନ  କରିବାକୁ । ଥଣ୍ଡା, କାଶ, ଜ୍ୱର ହେଲେ  ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଆଉ ତୁରନ୍ତ  ଟେଷ୍ଟ କରାନ୍ତୁ । ବୟସ୍କ ଓ ପିଲାମାନେ ମାସ୍କ  ବ୍ୟବହାର କରନ୍ତୁ । 

ଡାକ୍ତର ମିଶ୍ର କହିଛନ୍ତି, ସାରା ଦେଶରେ  ୧୫ ଦିନ ଭିତରେ କୋଭିଡ୍‌ ସଂଖ୍ୟା ସାମାନ୍ୟ  ବଢ଼ିଛି । ୫ ରାଜ୍ୟରୁ ୯୮%ରୁ ଅଧିକ  ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ କେବଳ  କେରଳରୁ ୮୮ ପ୍ରତିଶତ ରହିଛି । ନୂଆ  ଭାରିଏଣ୍ଟ ଜେଏନ୍‌ .୧ ବ୍ୟାପିଛି । ହେଲେ  ଜମା ସାଙ୍ଘାତିକ ହେଉନାହିଁ । ସାଧାରଣ  ଇନ୍‌ଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ୱର ରହୁଛି ।  ତେଣୁ ଜନସାଧାରଣ ସତର୍କ ରୁହନ୍ତୁ ।

Also Read ;-

ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, ଲକ୍ଷଣ ଦେଖାଗଲେ ପରୀକ୍ଷା କରିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅପିଲ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.