ନୂଆଦିଲ୍ଲୀ,୨୧।୧୧: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ସାମାଜିକ ବିଜ୍ଞାନର ବିଦ୍ୟାଳୟ ପାଠ୍ୟକ୍ରମର ସଂଶୋଧନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲା। ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟକୁ ପାଠ୍ୟ ପୁସ୍ତକରେ ଅନ୍ତର୍ଭୁକ୍ତ କରିବା ଏବଂ ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀଗୃହର କାନ୍ଥରେ ସମ୍ବିଧାନର ମୁଖବନ୍ଧ ଲେଖିବାକୁ କମିଟି ସୁପାରିଶ କରିଛି। କମିଟି ଅଧ୍ୟକ୍ଷ ସି.ଇ ଇସାକ ମଙ୍ଗଳବାର ସୂଚନା ଦେଇଛନ୍ତି।
ଇସାକ ଜୋର ଦେଇଛନ୍ତି ଯେ, ସପ୍ତମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ରାମାୟଣ ଏବଂ ମହାଭାରତ ଶିକ୍ଷା ଦେବା ଜରୁରୀ।ସେ କହିଛନ୍ତି, "ସାମାଜିକ ବିଜ୍ଞାନ ସିଲାବସରେ ଛାତ୍ରମାନଙ୍କୁ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟ ପଢାଇବା ଉପରେ କମିଟି ଗୁରୁତ୍ୱାରୋପ କରିଛି। ଆମର ବିଶ୍ୱାସ ଯେ କିଶୋର ଅବସ୍ଥାରେ ଛାତ୍ରଙ୍କୁ ନିଜ ଦେଶ ପାଇଁ ଆତ୍ମ ସମ୍ମାନ, ଦେଶପ୍ରେମ ଏବଂ ଗୌରବ ଅନୁଭବ ହେବ।’
ଇସାକ କହିଛନ୍ତି, ଦେଶପ୍ରେମର ଅଭାବ ହେତୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଦେଶ ଛାଡି ଅନ୍ୟ ଦେଶରେ ନାଗରିକତ୍ୱ ଗ୍ରହଣ କରନ୍ତି। ତେଣୁ ସେମାନଙ୍କ ବୁଝିବା ଏବଂ ନିଜ ଦେଶ ତଥା ସଂସ୍କୃତି ପ୍ରତି ଭଲ ପାଇବା ସୃଷ୍ଟି କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
ସେ କହିଛନ୍ତି ,କିଛି ଶିକ୍ଷା ବୋର୍ଡ ବର୍ତ୍ତମାନ ଛାତ୍ରମାନଙ୍କୁ ରାମାୟଣ ପଢାଇଥାଏ,କିନ୍ତୁ ସେମାନେ ଏହାକୁ ପୁରାଣ ଭାବରେ ଶିକ୍ଷା ଦିଅନ୍ତି। ଯଦି ଏହି ମହାକାବ୍ୟ ଛାତ୍ରମାନଙ୍କୁ ଶିକ୍ଷା ନ ଦିଆଯାଏ ତେବେ ଶିକ୍ଷା ବ୍ୟବସ୍ଥାର କୌଣସି ଉଦ୍ଦେଶ୍ୟ ନାହିଁ ଓ ଏହା ରାଷ୍ଟ୍ର ସେବା ହେବ ନାହିଁ।’