ଭୁବନେଶ୍ବର: ଶେଷରେ ବିଜେପି ପକ୍ଷରୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ବିଜେପି ବିଧାୟକ ଦଳ ବୈଠକରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି । ସେ ବୁଧବାର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ଶପଥ ଗ୍ରହଣ କରିବେ ।
ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ସିଂ ଯାଦବ ସାମିଲ ହୋଇଥିଲେ। ତେବେ ବୈଠକ ପରେ ମୋହନ ମାଝୀଙ୍କ ନାଁ ଉପରେ ମୁଖ୍ୟମନ୍ତ୍ରୀ ପାଇଁ ମୋହର ଲାଗିଛି । ତେବେ ମୁଖ୍ୟମନ୍ତ୍ରୀ ମୋହର ଲାଗିବା ପରେ କେନ୍ଦ୍ରୀୟ ନେତୃତ୍ବଙ୍କ ଭଳି ଓଡ଼ିଶାକୁ ଏକ ନମ୍ବର କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ମୋହନ ମାଝୀ ।
ନାମ ଘୋଷଣା ହେବା ପରେ ମୋହନ ମାଝୀ ପ୍ରଥମ ପ୍ରତିକ୍ରିୟା ଦେଇ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରିଛନ୍ତି । ଏହାପରେ ସେ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେପି ସରକାର ଗଢିଛି । ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି । ସାଢେ ଚାରିକୋଟି ଜନତା ପରିବର୍ତ୍ତନ ଚାହିଁଥିଲେ । ଓଡ଼ିଶାବାସୀଙ୍କୁ ସମର୍ଥନ ପାଇଁ ପ୍ରଣାମ ଜଣାଉଛି । ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରାଯିବ । ରାଜ୍ୟକୁ ୧ ନମ୍ବର କରିବାକୁ ପ୍ରୟାସ କରାଯିବ ।’