ପୁରୀ ୧୩/୦୭: ମହାପ୍ରଭୁଙ୍କ ରଥ ଯାତ୍ରା ସରିଛି । ଏବେ ଚାଲିଛି ରଥ ଖୋଲା ପର୍ଯ୍ୟାୟ । ତିନି ରଥର ମଣ୍ଡଣି କନା ବାହାରିଛି । ରଥଯାତ୍ରା ଦିନ ରଥ ଉପରେ ପ୍ରତିଷ୍ଠା କରାଯାଇଥିବା ପିତ୍ତଳ କଳସ କଢ଼ାଯାଇଛି । କୋଠ ସୁଆଁସିଆ ସେବକମାନେ ରଥର କନା କାଢ଼ିବା ସହ କଳସ ଖୋଲିଥିଲେ । ପିତ୍ତଳ ସାମଗ୍ରୀ ସବୁ ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଆଯାଇଛି ।
ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର କନା ଖୋଲାଯାଇଥିଲା । ଶ୍ରୀବିଗ୍ରହଙ୍କ ରଥତ୍ରୟରୁ ପୋଟଳ କନା ସହ ୧୨ଟି ଲେଖାଁଏ ଦୁଆରଘଡ଼ା, ଚନ୍ଦ୍ରଶାଳି କନା ଓ ବତା କନା ଆଦି କଢାଯାଇଥିଲା । ପୂର୍ବରୁ ରଥର ସାରଥି ଓ ପାଶ୍ୱର୍ଦେବତା ସହ ଚାରିପଟେ ଲାଗିଥିବା ଠେକରା ବାଡ କଢାଯାଇ ଯଥା ସ୍ଥାନରେ ରଖାଯାଇଥିଲା ।