ସାନଖେମୁଣ୍ଡି, ୧୩।୭: ଛାତ ଉପରେ ଚାଲିଥିଲା ଘର କାମ । ଘର କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଲାଗି ୨୨ ବର୍ଷୀୟ ଯୁବ ମିସ୍ତ୍ରୀ ଜି. ନାରାୟଣ ଦୋରାଙ୍କ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ରବିବାର ପୂର୍ବାହ୍ନରେ ଦିଗପହଣ୍ଡି ଥାନା ତଥା ସାନଖେମୁଣ୍ଡି ବ୍ଲକ୍ ମୌଳାଭଞ୍ଜା ଗାଁ ସାତଭଉଣୀ ମନ୍ଦିର ସମ୍ମୁଖ ଏକ ନିର୍ମାଣାଧୀନ ଘରେ ଘଟିଛି ।
ସୂଚନାନୁସାରେ, ମୌଳାଭଞ୍ଜା ଗାଁର ଜଗନ୍ନାଥ ପଣ୍ଡାଙ୍କ ଘର ଉପରେ ୧୧ କେଭି ତାର ଯାଇଛି । ଆଜି ଯେତେବେଳେ ମିସ୍ତ୍ରୀ କାମ କରୁଥିଲେ ସେତେବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବମିସ୍ତ୍ରୀ ଜଣକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଗପହଣ୍ଡି ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଡାକ୍ତରଖାନା । ଭେଣ୍ଡିଆ ପୁଅକୁ ହରାଇ ନାରାୟଣଙ୍କ ମାଆ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଗରିବ ପରିବାର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।