କେନ୍ଦ୍ରାପଡ଼ା ୧୩/୦୭: ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚେତିଲା ପ୍ରଶାସନ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପଡ଼ିଆରେ ଅଟକି ରହିଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଯାଞ୍ଚ୍ ପାଇଁ ପହଞ୍ଚିଲା ଟେକ୍ନିକାଲ ଟିମ୍ । ପ୍ରଥମ ପର୍ଯ୍ୟାୟରେ ହେଲିକପ୍ଟରରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପରେ ଅନ୍ୟ ବିଷୟ ଯାଞ୍ଚ୍ ହେବ । ହେଲିକପ୍ଟରର ଫ୍ୟାନ୍ ବ୍ଲେଡ୍ ରଖିବା ପାଇଁ ଏକ ବ୍ଲେଡ୍ ବକ୍ସ ମଧ୍ୟ ଅଣାଯାଇଛି । କଣ୍ଟେନର୍ରେ ହେଲିକପ୍ଟରଟି ମୁମ୍ବାଇ ଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ବୈଷୟିକ ଟିମ୍ର କର୍ମଚାରୀ କହିଛନ୍ତି ଯେ, ଆମେ ହେଲିକପ୍ଟର ଯାଞ୍ଚ୍ କରିବାକୁ ଆସିଥିଲୁ । ଏଠାରୁ ଆମେ ହେଲିକପ୍ଟରକୁ ମରାମତି ପାଇଁ ମୁମ୍ବାଇକୁ ସ୍ଥାନାନ୍ତର କରିବୁ । ଆମକୁ ମ୍ୟାନେଜମେଣ୍ଟ ତରଫରୁ ଯାହା କୁହାଯାଇଛି ଆମେ ତାହା କରୁଛୁ । ପରେ ଫ୍ୟାନ୍ ଖୋଲିବାକୁ ଆସିବୁ। ତେବେ ଏ ପ୍ରସଂଗରେ ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ବିଧୂଭୂଷଣ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ମାସାଧିକ କାଳ ପରେ ପ୍ରଶାସନର ନିଦ ଭାଙ୍ଗିଲା । ଏହି ହେଲିକପ୍ଟରଟି କଥା କାହାର ହୁଏତ ମନେ ନଥିଲା । ଯେଉଁ ହେଲିକପ୍ଟର ମାତ୍ର ୮୦ କିଲୋମିଟର ଉଡ଼ି ଆସିବା ପରେ ପୁଣି ଚାଲିବା ପାଇଁ ଅକ୍ଷମ ହୋଇପଡୁଛି, ତାହା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କେମିତି ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହେଲିକପ୍ଟରଟି କାହିଁକି ମାସେ ଏଠାରେ ପଡ଼ିରହିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଗସ୍ତରେ ଏଥିରେ ଆସିଥିଲେ । ବଜ୍ରପାତ ଯୋଗୁଁ ତାଙ୍କ ହେଲିକପ୍ଟର ବ୍ଲେଡ୍ କ୍ଷତିଗ୍ରସ୍ତ ହେବା ପରେ ସେ ସଡ଼କ ପଥରେ ଫେରିଥିଲେ । ସେବେଠାରୁ କେନ୍ଦ୍ରାପଡ଼ା କଲେଜ ପଡିଆରେ ହେଲିକପ୍ଟରଟି ଅଟକି ରହିଛି । ଏଥିପାଇଁ ଅଗଷ୍ଟ ୧୫ ପାଇଁ ଯେଉଁ ଅଭ୍ୟାସ ପରେଡ୍ ହୁଏ, ତାହା କଲେଜ ପଡ଼ିଆରେ ହୋଇପାରିଲା ନାହିଁ। ପିଲାମାନେ ଖେଳି ମଧ୍ୟ ପାରିଲେ ନାହିଁ । ତେବେ ହେଲିକପ୍ଟର ମରାମତି ସମ୍ପର୍କରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।