କେସିଙ୍ଗା,୧୩/୦୭: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ୪ ହଜାର ବର୍ଗଫୁଟ ବିଶିଷ୍ଟ ଏକ ବହୁମୁଖି କକ୍ଷ ନିର୍ମାଣ ହେବାରେ ବିଳମ୍ୱ ହେଉଥିବା ଜଣାପଡିଛି । ଭିତ୍ତିପ୍ରସ୍ତର ହେବାର ଆଜକୁ ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ । ମହାବିଦ୍ୟାଳୟ ପରିସରରେ ବହୁମୁଖି କକ୍ଷ ନିର୍ମାଣ ପାଇଁ ଗତ ୨୦୨୪ ମାର୍ଚ୍ଚ ୬ ତାରିଖରେ ପୂର୍ବତନ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ ।
କହିରଖୁ କି, କେସିଙ୍ଗା ମହାବିଦ୍ୟାଳୟରେ ଏକ ବହୁମୁଖି କକ୍ଷ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୨୩ ଡିସେମ୍ବର ମାସରେ ୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ମଞ୍ଜୁର ହୋଇଥିବା ଅନୁଦାନରୁ ପ୍ରଥମ ଦୁଇଟି କିସ୍ତିରେ ୫୦ ଲକ୍ଷ ଟଙ୍କା କେସିଙ୍ଗା ମହାବିଦ୍ୟାଳୟକୁ ଆସିଥିଲା । ତେବେ ଟେଣ୍ଡର ଜରିଆରେ କାମ କରିବା ପାଇଁ କଲେଜ କର୍ତ୍ତୃପକ୍ଷ କେସିଙ୍ଗା ବ୍ଲକ ପ୍ରଶାସନକୁ ଚିଠି କରି ଅନୁଦାନର ୨୫ ଲକ୍ଷ ଟଙ୍କା ଗତ ୨୦୨୪ ଫେବୃଆରୀ ମାସରେ ବ୍ଲକ ଆକାଉଣ୍ଟକୁ ଦିଆଯାଇଥିଲା। ହେଲେ ବ୍ଲକ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟେଣ୍ଡର ହୋଇନଥିବା ଯୋଗୁଁ ତାହା ଖର୍ଚ୍ଚ ହୋଇପାରି ନାହିଁ । ତେବେ ଟେଣ୍ଡର କରିବାରେ ବ୍ଲକ ପ୍ରଶାସନ କାହିଁକି ବିଳମ୍ବ କରିଛି, ସେନେଇ ବ୍ଲକ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ବହୁମୁଖି କକ୍ଷ ନିର୍ମାଣର ଭିତ୍ତିପ୍ରସ୍ତର ପରେ କାମ ଆରମ୍ଭ ହୋଇନପାରିବା ବିଷୟରେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କୁ ପଚାରିବାରୁ କାମ କରିବା ପାଇଁ ବ୍ଲକକୁ ଅନୁଦାନ ଯୋଗାଇ ଦିଆଯାଇଛି ହେଲେ କାହିଁକି ବିଳମ୍ବ ହେଉଛି ସେ ବିଷୟରେ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଛି ବୋଲି କହିଛନ୍ତି । ତେବେ ବହୁମୁଖି କକ୍ଷ ନିର୍ମାଣ ପାଇଁ ଯଥାଶୀଘ୍ର ଟେଣ୍ଡର ଡକାଯାଇ କାମ ଆରମ୍ଭ କିପରି ହୋଇପାରିବ ସେ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।