ନାକଟିଦେଉଳ,୧୩/୦୭: ସମ୍ବଲପୁର ଜିଲ୍ଲା ନାକଟିଦେଉଳରେ ପୁଣି ବିଦ୍ୟୁତ୍ ଆଘାତ ନେଲା ହାତୀର ଜୀବନ। ନାକଟିଦେଉଳ ରେଞ୍ଜ ଟିକିଲିପଡ଼ା ଠାରେ ଚାଷ ଜମିରେ ବିଦ୍ୟୁତ ତାରରେ ଲାଗି ମାଈ ହାତୀର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ହାତୀର ବୟସ ପ୍ରାୟ ୧୫ ବର୍ଷ। ଅଭିଯୁକ୍ତକୁ ଏବେ ରେଢ଼ାଖୋଲ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।
ବନ ବିଭାଗ ସୂଚନା ଅନୁସାରେ, ଧାନ ଚାଷକୁ ସୁରକ୍ଷା ଦେବାକୁ ଯାଇ ଚାଷୀ ଜଣକ ବିଦ୍ୟୁତ୍ ତାର ଟାଣିଥିଲେ। ଏଥିରେ ସୋଲାର ଲାଇଟ୍ ସଂଯୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ତାଙ୍କୁ ପୂର୍ବରୁ କୁହାଯାଇଥିଲା। କିନ୍ତୁ ସେ ଶନିବାର ମୁଖ୍ୟ ଲାଇନ୍ରୁ ତାର ଟାଣି ଏଥିରେ ସଂଯୋଗ କରିଥିଲେ। ଫଳରେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ଯାଉଥିବା ସମୟରେ ଏହି ତାର ସଂସ୍ପର୍ଶରେ ହାଟୀଟି ଆସିଥିଲା । ଏନେଇ ସୂଚନା ପାଇବା ପରେ ବନ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାର ଜବତ କରିଛି। ଅଭିଯୁକ୍ତକୁ ଅଟକ ରଖିଛି।
ଏପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଏଥିରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ ଓ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ Chief Conservator of Forest ମନୋଜ ନାୟାରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟିଦେଉଳ ଅଭିମୁଖେ ଗସ୍ତ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅଂଚଳର ଉଚ୍ଚ ପଦସ୍ଥ ବନ ବିଭାଗ ଅଧିକାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି।