ସମ୍ବଲପୁର, ୦୪/୦୭ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ତେଣୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଆସନ୍ତା ୬ ତାରିଖରେ (ରବିବାର) ଦିନ ୧୦ଟାରେ ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବ। ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ ଏଥିପାଇଁ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି।
ଗେଟ୍ ଖୋଲିବା ସମୟରେ ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ତଳିଆ ଅଞ୍ଚଳରେ ନଦୀ ଭିତରକୁ କେହି ନଯିବାକୁ ବାରଣ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯାଉଛି। ଗାଁ ଗାଁରେ ପ୍ରଚାର ଗାଡ଼ି ବୁଲି ଲୋକଙ୍କୁ ସଚେତନ କରୁଛି। ଯଦି କୌଣସି ଅଘଟଣ ଘଟେ ତାହେଲେ ଜଳଭଣ୍ଡାର କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।