ମାଲକାନଗିରି, ୧୨/୭ : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ । ମୃତକ ଜଣଙ୍କ ଜଣେ ୱେବ ଚେନାଲର ସାମ୍ବାଦିକ ବୋଲି ସୂଚନା ମିଳିଛି । ମୃତକଙ୍କ ନାଁ ସିଏଚ ନରେଶ ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏବଂ ତାଙ୍କର କିଛି ବନ୍ଧୁ ଏକ କାରରେ ଯାଇ ବାର୍ତ୍ତାଳାପ କରୁଥିବାବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୃତ୍ତ ଆସି ହଠାତ ଆକ୍ରମଣ କରିଥିଲେ। ଖଣ୍ଡା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗି ସେ ଗୁରୁତର ହୋଇଥିଲେ।
ତେବେ ଘଟଣାସ୍ଥଳରୁ ସାମ୍ବାଦିକମାନଙ୍କଠାରୁ ନେଇ ଯାଇଥିବା କାରକୁ ମଧ୍ୟ ଦୁର୍ବୃତ୍ତ ଛଡ଼ାଇ ନେଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନରେଶଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଅନ୍ୟ କିଛି ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଥିବବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।