ବାରିପଦା,୧୩/୦୭: ବାରିପଦାରେ ଶନିବାର ଅପରାହ୍ନରେ ଭୟଙ୍କର ବର୍ଷା ଫଳରେ ବିଦ୍ୟୁତ ସରବରାହରେ ବ୍ୟାଘାତ ଯୋଗୁଁ ଇଗ୍ନୋ ପରୀକ୍ଷା କେନ୍ଦ୍ରରେ କ୍ୟାଣ୍ଡେଲ ଲାଇଟ୍ରେ ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀ ବାଧ୍ୟ ହୋଇଛନ୍ତି ।
ସୂଚନା ମୁତାବକ ଶନିବାର ଦୁଇଟି ସିଟିଂରେ ଇଗ୍ନୋର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦିନ ୧୦ଟାରୁ ଗୋଟାଏ ମଧ୍ୟରେ ହୋଇଥିବା ପରୀକ୍ଷାରେ କୌଣସି ଅବ୍ୟବସ୍ଥା ହୋଇ ନଥିବା ବେଳେ ଦ୍ୱିତୀୟ ସିଟିଙ୍ଗରେ ଦିନ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିବା ବେଳେ ଭୟଙ୍କର ବର୍ଷା ହେବାରୁ ବିଦ୍ୟୁତ ସରବରାହ ଠପ୍ ହୋଇ ଯାଇଥିଲା । ସେପଟେ ମହାବିଦ୍ୟାଳୟର ଡିଜି କାମ ନ କରିବାରୁ ୫୨ନଂ ଏବଂ ୫୩ ନଂ ପରୀକ୍ଷା ହଲରେ ଅନ୍ଧାର ରାଜୁତି କରିଥିଲା । ପରୀକ୍ଷାର୍ଥୀଙ୍କ ଅଭିଯୋଗ କ୍ରମେ କ୍ୟାଣ୍ଡେଲ ଲାଇଟ୍ର ବ୍ୟବସ୍ଥା କରାଯାଇଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କୁ ଅନ୍ୟ ହଲକୁ ସ୍ଥାନାନ୍ତର କରାଯାଇଥିଲା ।
ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱ ବିଦ୍ୟାଳୟ(ଇଗ୍ନୋ) ର ସଂଯୋଜକ ଦାୟିତ୍ୱରେ ଥିବା ଏମ୍ପିସି ମହାବିଦ୍ୟାଳୟର ପ୍ରଫେସର ଜ୍ଞାନେନ୍ଦ୍ର ନାଏକ କହିଛନ୍ତି ଯେ, ଦୈବୀଦୁର୍ବିପାକ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପିଲାଙ୍କୁ ଏଥିପାଇଁ ୧୦ମିନିଟ୍ ଅଧିକ ସମୟ ମଧ୍ୟ ଦିଆ ଯାଇଛି । ତେବେ ପରୀକ୍ଷା ଚାଲିଥିବା ହଲରେ ବର୍ଷା ଯୋଗୁଁ ଛାତରୁ ପାଣି ଗଳୁଥିବା ନେଇ କେତେକ ପରୀକ୍ଷାର୍ଥୀ ଅଭିଯୋଗ କରିଥିବା ବେଳେ ଏ ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଆଲବର୍ଟିନା ତିର୍କୀ କହିଛନ୍ତି ଯେ, କୋଠା ଗୁଡିକ ପୁରୁଣା ହୋଇଯାଇଥିବାରୁ ଜୋର ବର୍ଷା ହେଲେ ପାଣି ଗଳୁଛି । ଏହାର ମରାମତି ସଂପର୍କରେ ପିଡବ୍ଲ୍ୟୁଡି ନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାଣିପାଗକେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଶନିବାର ବାରିପଦାରେ ଘଡଘଡି ସହ ଭୟଙ୍କର ବର୍ଷା ହୋଇଥିଲା । ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଶନିବାର ଦିନ ଦୁଇଟା ପର୍ଯ୍ୟନ୍ତ ପାଗ ଶୁଖିଲା ଥିଲେ ମଧ୍ୟ ହଠାତ୍ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ସହର ମଧ୍ୟ ଦେଇ ପ୍ରବାହିତ ଜରାଳୀ ସରାଳୀ ଏବଂ ଶୁକଯୋଡା ନଦୀରେ ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ କେତେକ ସ୍ଥାନ ଜଳ ମଗ୍ନ ହୋଇଥିଲା । ଏହି ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଗଛପଡି ବିଦ୍ୟୁତ ସରବରାହରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେବେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶନିବାର ଇଗ୍ନୋ ପରୀକ୍ଷା ଚାଲିଥିବା ବେଳେ ଛାତରୁ ପାଣି ଗଳିବା ପୁଣି ଡିଜି କାମ ନ କରିବାରୁ ଅନ୍ଧାରରେ ଛାତ୍ର ଛାତ୍ରୀ କ୍ୟାଣ୍ଡେଲ ଲାଇଟ୍ରେ ପରୀକ୍ଷା ଦେବା ଭଳି ସ୍ଥିତିକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।