କୋଲକାତା,୧୨/୦୭: କୋଲକାତା ଆଇନ କଲେଜରେ ଜଣେ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମର ତଦନ୍ତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏବେ ଆଉ ଏକ ଶିକ୍ଷାନୁଷ୍ଠାନରୁ ଆଉ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। କୋଲକାତା ଆଇଆଇଏମ୍ରୁ ଏହି ଦ୍ୱିତୀୟ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ କାଉନସେଲିଂ ସେସନରେ ଯୋଗଦେବାକୁ ଆସିଥିବା ଜଣେ ଝିଅକୁ ହଷ୍ଟେଲରେ ଦୁଷ୍କର୍ମ କରାଯାଇଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ଶନିବାର ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କୋର୍ଟ ତାକୁ ୭ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ଏହାରି ଭିତରେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରିବ ଏବଂ ମାମଲାର ସମ୍ପୂର୍ଣ୍ଣ ସତ୍ୟସତ୍ୟ ବାହାର କରିବ। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଝିଅଟିକୁ ଏକ ବିଜନେସ ସ୍କୁଲର ହଷ୍ଟେଲରେ ଦୁଷ୍କର୍ମ କରାଯାଇଥିଲା। ଏହି ମାମଲାରେ, ପୀଡିତାଙ୍କ ଏଫଆଇଆର ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାଟି ଶୁକ୍ରବାର ଘଟିଥିବା କୁହାଯାଉଛି।
ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ପୀଡ଼ିତାଙ୍କୁ ଧମକ ଦେଇଛି ଯେ ଯଦି ସେ ଏହି ଘଟଣା ବିଷୟରେ କାହାକୁ କୁହନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି କିନ୍ତୁ ତାର ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଶୁକ୍ରବାର ଦିନ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଥିଲା।
ଅଭିଯୁକ୍ତର ଓକିଲ ଏବଂ ପୋଲିସ ଓକିଲଙ୍କ ମଧ୍ୟରେ ଦୀର୍ଘ ବିତର୍କ ହୋଇଥିଲା, ଏହା ପରେ କୋର୍ଟ ଅଭିଯୁକ୍ତଙ୍କୁ ୭ ଦିନର ପୋଲିସ ହେପାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ତଥାପି, ଏହି ମାମଲାରେ ପୀଡ଼ିତାଙ୍କ ପିତା ଦୁଷ୍କର୍ମ ଘଟଣାକୁ ଅସ୍ୱୀକାର କରିଛନ୍ତି। ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ପୀଡ଼ିତାଙ୍କ ପିତା କହିଛନ୍ତି ଯେ 'ମୁଁ ମୋ ଝିଅ ସହିତ କଥା ହୋଇଛି। ସେ ଯୌନ ନିର୍ଯାତନାକୁ ଅସ୍ୱୀକାର କରିଛି।'