ନୂଆଦିଲ୍ଲୀ,୧୨।୭: ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ପୃଥିବୀକୁ ଫେରିବେ। ୧୫ ଜୁଲାଇରେ କାର୍ଲିଫର୍ଣ୍ଣିଆ ଉପକୂଳରେ କବେ ଅବତରଣ । ତେବେ ଏହାର ୭ ଦିନ ପର୍ଯ୍ୟନ୍ତ ମହାକାଶଯାତ୍ରୀଙ୍କୁ ରିହାବ ସେଣ୍ଟରରେ ରଖାଯିବ। ସେ ୧୮ ଦିନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍)ଷର ରହିବା ପରେ ପୃଥିବୀକୁ ଫେରିବେ। ଶୁକ୍ଲା ଓ ଅନ୍ୟ ୩ ମହାକାଶଯାତ୍ରୀ ମଧ୍ୟ ତାଙ୍କ ସହ ଫେରିବେ। ଚାରି ଜଣ ୨୬ ଜୁନ୍ରେ କମର୍ସିଆଲ ଅକ୍ସିଆମ୍-୪ ମିସନରେ ଆଇଏସଏସ୍ରେ ପହଁଞ୍ଚିଥିଲେ। ନାସା ଅନୁସାରେ, ମହାକାଶ ଯାତ୍ରୀ ୧୪ ଜୁଲାଇ ସନ୍ଧ୍ୟା ୪ଟା ୩୫ ମିନିଟ୍ରେ ଆଇଏସ୍ଏସ୍ରୁ ଅଲଗା ହେବା ଓ ୧୫ ଜୁଲାଇ ମଧ୍ୟାହ୍ନ ୩ଟା ବେଳେ କାର୍ଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବ।
ଇସ୍ରୋର କହିବା ଅନୁସାରେ, ପୃଥିବୀକୁ ଫେରିବା ପରେ ମାଧ୍ୟାକର୍ଷଣ ଶକ୍ତି ପାଇଁ ପୁରା ଟିମ୍ଙ୍କୁ ଚଲାବୁଲା କରିବାକୁ ସମସ୍ୟା ହେବ। ତେଣୁ ଫ୍ଲାଇଟ୍ ସର୍ଜନଙ୍କ ଦେଖାଶୁଣାରେ ୭ ଦିନ ପର୍ଯ୍ୟନ୍ତ ପୁନଃର୍ବାସ୍ କାର୍ଯ୍ୟକ୍ରମ ଶେଷ କରିବାକୁ ହେବ। ଇସ୍ରୋ ଶୁକ୍ଲାଙ୍କୁ ଆଇଏସ୍ଏସ୍ ଯାତ୍ରା ପାଇଁ ପ୍ରାୟ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହାକି ଭାରତର ମାନବ ମହାକାଶ ଉଡାଣ କାର୍ଯ୍ୟକ୍ରମ ଗଗନଯାନର ଯୋଜନାରେ ସାହାଯ୍ୟ କରିବ। ଇସ୍ରୋ କହିଛି ଯେ, ଶୁଭାଂଶୁଙ୍କ ସ୍ବାସ୍ଥ୍ୟ ଭଲ ଅଛି ଓ ତାଙ୍କର ମନୋବଳ ବି ଦୃଢ ରହିଛି। ମହାକାଶ ଯାତ୍ରୀ ନିଜ ସହ ୫୮୦ ପାଉଣ୍ଡରୁ ଅଧିକ ଟଙ୍କାର କାର୍ଗୋ ଫେରାଇ ଆଣୁଛନ୍ତି, ଯାହାଦ୍ବାରା ନାସାର ହାର୍ଡଓ୍ବୋର ଓ ୬୦ ରୁ ଅଧିକ ରିସର୍ଚ୍ଚ ଡାଟା ରହିଛି।
ଶୁଭାଂଶୁ ଏହି ମିଶନ୍ ସମୟରେ ମାଇକ୍ରୋଏଲଗି ଉପରେ କାମ କରିଛନ୍ତି। ଏହା ଭବିଷ୍ୟତରେ ମହାକାଶ ମିଶନ୍ ପାଇଁ ଭୋଜନ, ଅକ୍ସିଜେନ୍ ଓ ବାୟୋଫୁଏଲ୍ ପ୍ରଦାନ କରିପାରିବ। ଏହାଛଡା ସେ ମହାକାଶରେ ଆଖିର ଗତି, ସମନ୍ବୟ ଓ ମସ୍ତିଷ୍କର ଗତିବିଧି ସମ୍ପର୍କିତ ଅନ୍ୟ ଅଧ୍ୟୟନରେ ଭାଗ ନେଇଥିଲେ। ଏହି ଅଧ୍ୟୟନରେ ମହାକାଶ ଯାତ୍ରୀଙ୍କୁ ବଦଳୁଥିବା ପରିବେଶ ସହ ତାଳମେଳ, ମସ୍ତିଷ୍କରେ ରକ୍ତ ପ୍ରବା ଓ ବିକିରଣ ବିପଦ ଉପରେ ନଜର ରଖାଯିବା ଭଳି କାମ ରହିଛି। ଏହି ରିସର୍ଚ୍ଚ ଭବିଷ୍ୟତର ମିଶନ୍ ପାଇଁ ମାନସିକ ଓ ଶାରିରୀକ ସ୍ବାସ୍ଥ୍ୟ ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହେବ।