- ୧୯ ନଭେମ୍ବର ୧୯୧୭ରେ ପ୍ରୟାଗରାଜରେ ଜନ୍ମନିଅନ୍ତି ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ
- ଯାତ୍ରା ଥିଲା କଠିନ, ତଥାପି ନିଜର ସାହାସିକତା ପାଇଁ ସେ ପାଲଟିଥିଲେ ଭାରତର ଆଇରନ୍ ଲେଡି
- ପାକିସ୍ତାନକୁ ଚିରିଥିଲେ, ଖଲିସ୍ତାନର ଅଣ୍ଟା ଭାଙ୍ଗିଥିଲେ, ଭାରତକୁ କରିଥିଲେ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର
- କିନ୍ତୁ ସ୍ବର୍ଣ୍ଣ ମନ୍ଦିର ଭିତରେ ଆକ୍ରମଣ ନିଷ୍ପତ୍ତି ଓ ଜରୁରିକାଳୀନ ପରିସ୍ତିତି ଲାଗୁ ପାଇଁ ସେ ହରାଇଥିଲେ କ୍ଷମତା...
ନୂଆଦିଲ୍ଲୀ,୧୮/୧୧: ଆଜି ବିଶ୍ବସ୍ଥରରେ ଭାରତ ଏକ ଶକ୍ତିଶାଳୀ ଆଣବିକ ସଶସ୍ତ୍ର ଦେଶ ଭାବରେ ଦୃଢ଼ ଭାବରେ ଠିଆ ହୋଇଛି, କିନ୍ତୁ ଏହାର ମୂଳଦୁଆ ପଡ଼ିଥିଲା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଆଇରନ୍ ଲେଡି ଭାବେ ଜଣାଶୁଣା ଇନ୍ଦିରା ଗାନ୍ଧୀଙ୍କ ସମୟରେ। ୧୯ ନଭେମ୍ବର ୧୯୧୭ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ। ପିତା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଥିଲେ। ଜେଜେ ମୋତିଲାଲ ନେହେରୁ ତାଙ୍କ ନାମ ଇନ୍ଦିରା ରଖିଥିଲେ। ଏକଦା ଦେଶ ପାଇଁ ସେ ନେଇଥିବା ଏକ ନିର୍ଭୀକ ନିଷ୍ପତ୍ତି ଯୋଗୁଁ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ତାଙ୍କୁ "ଦୁର୍ଗା" ବୋଲି ସମ୍ବୋଧନ କରିଥିଲେ।
ପଢ଼ନ୍ତୁ: ଜିନପିଙ୍ଗଙ୍କୁ ମୋବାଇଲରେ ତାଙ୍କର ପୁରୁଣା ଫଟୋ ଦେଖାଇଲେ ବାଇଡେନ ? ଭାଇରାଲ ଫଟୋରେ କଣ ରହିଛି ସତ...ଜାଣନ୍ତୁ
ଇନ୍ଦିରା ଗାନ୍ଧୀ ହିଁ ଏମିିତି ଜଣେ ବ୍ୟକ୍ତିତ୍ବ ଥିଲେ, ଯିଏକି ସମଗ୍ର ଏସିଆର ଭୁଗୋଳକୁ ବଦଳାଇଦେଇଥିଲେ, ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲେ, ଭାରତକୁ ଆଣବିକ ସମ୍ପନ୍ନ ଦେଶ କରିଥିଲେ ଏବଂ ଅପରେସନ୍ ବ୍ଲୁ ଷ୍ଟାର ଅଧୀନରେ ଖଲିସ୍ତାନର ମେରୁଦଣ୍ଡ ଭାଙ୍ଗିଥିଲେ। ତେବେ, ୩୧ ଅକ୍ଟୋବର ୧୯୮୪ ରେ ତାଙ୍କର ଜଣେ ଶିଖ ଅଙ୍ଗରକ୍ଷୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କର ସାହସିକ ନିଷ୍ପତ୍ତି ହେତୁ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଦୁର୍ଗା ବୋଲି ସମ୍ବୋଧନ କରିଥିଲେ। ଆସନ୍ତାକାଲି ତାଙ୍କ ଜନ୍ମ ବାର୍ଷିକୀ। ଏହି ପରିପ୍ରେକ୍ଷିରେ ଆମେ ଆପଣଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସେହି ସମସ୍ତ ସାହସିକ ନିଷ୍ପତ୍ତି ବିଷୟରେ କହିବୁ ଯାହା ଦେଶକୁ ଏକ ନୂତନ ଦିଗ ଦେଇଥିଲା।
୧୧ ଦିନରେ ପାକିସ୍ତାନକୁ କଲେ ଦୁଇ ଭାଗ:
ଦେଶର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଏପରି ଏକ ଝଟ୍କା ଦେଇଥିଲେ, ଯାହାକୁ କେବେ ଭୁଲି ହେବ ନାହିଁ। ମୁରାରିଜୀ ଦେଶାଇ ତାଙ୍କୁ 'ମୁକ କଣ୍ଢେଇ' ବୋଲି କହୁଥିଲେ, କିନ୍ତୁୁ ନିଜ ସାହାସିକତା ପାଇଁ ସେ ଆଇରନ୍ ଲେଡି ଭାବେ ଉଭା ହୋଇଥିଲେ।
ଦେଶର ସ୍ବାଧୀନତା ପରେ ଭାରତ ବ୍ୟତୀତ ପୂର୍ବ ପାକିସ୍ଥାନ ଏବଂ ପଶ୍ଚିମ ପାକିସ୍ଥାନ ନାମକ ଦୁଇଟି ଦେଶ ଗଠନ କରାଯାଇଥିଲା। ତେବେ ପୂର୍ବ ପାକିସ୍ଥାନରେ ଅର୍ଥାତ୍ ଆଜିର ବାଂଲାଦେଶରେ ପାକିସ୍ତାନୀ ସେନା ବଙ୍ଗାଳୀ ଭାଷାଭାଷୀ ଲୋକଙ୍କୁ ଅତ୍ୟାଚାର କରୁଥିଲା, ଯାହା ପରେ ଭାଷା ଆଧାରରେ ୭୦ ଦଶକରେ ପୂର୍ବ ପାକିସ୍ଥାନରେ ପାକିସ୍ତାନ ବିରୋଧରେ ବିରୋଧର ନିଆଁ ଜଳିଥିଲା। ୧୯୭୧ ମସିହାରେ ପରିସ୍ଥିତିର ତତ୍ପରତାକୁ ଦେଖି ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନକୁ ସମର୍ଥନ କରିଥିଲେ ଏବଂ ଭାରତୀୟ ସେନାକୁ ପାକିସ୍ତାନରେ ପ୍ରବେଶ କରିବାକୁ ଏବଂ ବାଂଲାଦେଶର ସ୍ବାଧୀନତା ପାଇଁ ସଂଗ୍ରାମ କରୁଥିବା ମୁକ୍ତି ବାହିନୀ ସେନାକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଇନ୍ଦିରାଙ୍କ ଆଦେଶ ଉପରେ ୫ ଡିସେମ୍ବରରେ ଭାରତୀୟ ସେନା ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ ଏବଂ ପାଖାପାଖି ୧୧ ଦିନରେ ୧୬ ଡିସେମ୍ବର ୧୯୭୧ରେ ପାକିସ୍ତାନର ୯୦ ହଜାର ସୈନିକ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ। ପାକିସ୍ତାନୀ ସେନା ମୁଣ୍ଡ ନୂଆଁଇବା ପରେ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନକୁ ସ୍ବାଧିନ କରି ବାଂଲାଦେଶ ଗଠନ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସୈନ୍ୟ ଅଭିଯାନରେ ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା।
ପୋଖରାନ୍ ପରମାଣୁ ପରୀକ୍ଷଣ:
ଇନ୍ଦିରା ଗାନ୍ଧୀଙ୍କ ଅମଳରୁ ହିଁ ଭାରତ ପରମାଣୁ ସମ୍ପନ୍ନ ଦେଶ ହୋଇଥିଲା। ୧୯୭୪ରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବା ପାଇଁ ଇନ୍ଦିରା ଗାନ୍ଧି ପୋଖରାନ୍ରେ ଦେଶର ପ୍ରଥମ ପରମାଣୁ ପରୀକ୍ଷଣ କରିବା ପାଇଁ ଅନୁମତି ଦେଇଥିଲେ ଏବଂ ଦ୍ବିତୀୟ ସଫଳତାରେ ସାରା ବିଶ୍ବରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହା ପରେ ସମଗ୍ର ବିଶ୍ୱରେ ଭାରତର ପ୍ରଭାବ ବୃଦ୍ଧି ପାଇଥିଲା। ଇନ୍ଦିରା ଗାନ୍ଧୀଙ୍କ କାରଣରୁ ପରମାଣୁ ପରୀକ୍ଷଣ ପରେ ଭାରତ ଉପରେ ନଜର ପକାଇବାକୁ କେହିବି ସାହସ କଲେ ନାହିଁ।
ବ୍ୟାଙ୍କଗୁଡିକର ଜାତୀୟକରଣ:
ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିବା ଭଳି ସାହସିକ ନିଷ୍ପତ୍ତି ପରେ ସାରା ବିଶ୍ୱରେ ଭାରତ ବିଷୟରେ ଆଲୋଚନା ତୀବ୍ର ହୋଇଥିଲା। ତା’ପରେ ଇନ୍ଦିରା ଗାନ୍ଧୀ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଥିଲେ ଏବଂ ସମସ୍ତ ବ୍ୟାଙ୍କକୁ ଜାତୀୟକରଣ କରି ଅର୍ଥନୀତିକୁ ମଜବୁତ କରିଥିଲେ। ସେହି ତାରିଖ ଥିଲା ୧୯ ଜୁଲାଇ ୧୯୬୯, ଯେତେବେଳେ ଇନ୍ଦିରା ଗାନ୍ଧୀ ଦେଶରେ ୧୪ ଟି ବ୍ୟାଙ୍କକୁ ଜାତୀୟକରଣ କରି ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଏହି ବ୍ୟାଙ୍କଗୁଡିକ ବଡ଼ ଘରୋଇ ଶିଳ୍ପ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ୧୯୮୦ ରେ ଦ୍ୱିତୀୟ ଥର ପାଇଁ ଅନ୍ୟ ସାତୋଟି ବ୍ୟାଙ୍କ ମଧ୍ୟ ଜାତୀୟକରଣ ହୋଇଥିଲେ।
ପଢ଼ନ୍ତୁ: ମୁକ୍ତି ପରେ ବି ନର୍କ ଯନ୍ତ୍ରଣା, ହାଇକୋର୍ଟରେ ଆବେଦନ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ
ଖଲିସ୍ତାନୀଙ୍କ ଦମ୍ଭ ଭାଙ୍ଗିଥିଲେ ଇନ୍ଦିରା:
ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିବା ପରେ ୧୯୮୦ରେ ପଞ୍ଜାବ ପୃଥକ ଖଲିସ୍ତାନ ନାଁରେ ଉଗ୍ରବାଦ, ଇନ୍ଦିରା ଗାନ୍ଧୀଙ୍କ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ଏଠାରେ ଜେନେରାଲ ସିଂ ଭୀଣ୍ଡରୱାଲାଙ୍କ ନେତୃତ୍ୱରେ ଖାଲିସ୍ତାନର ଦାବି ଉପରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇନ୍ଦିରା ଗାନ୍ଧୀ ମଧ୍ୟ ମଙ୍ଗ ସମ୍ଭାଳିଥିଲେ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖାଲିସ୍ତାନୀ ଆତଙ୍କବାଦୀମାନେ ସ୍ବର୍ଣ୍ଣ ମନ୍ଦିରରେ ଲୁଚି ରକ୍ତିମ ଖେଳ ଖେଳିବା ପାଇଁ ଏକ ବଡ଼ ଯୋଜନା କରିଥିଲେ। ଏଥିରେ ପାକିସ୍ତାନର ମଧ୍ୟ ଏକ ବଡ଼ ଭୂମିକା ଥିଲା।
ଏନେଇ ସାମାନ୍ୟ ଖବର ପାଇବା ମାତ୍ରେ ଇନ୍ଦିରା ଗାନ୍ଧୀ 'ଅପରେସନ୍ ବ୍ଳୁ ଷ୍ଟାର' ପାଇଁ ଆଦେଶ ଦେଇଥିଲେ। ୩-୬ ଜୁନ ୧୯୮୪ ରାତିରେ ଭାରତୀୟ ସେନାର ସ୍ବତନ୍ତ୍ର କମାଣ୍ଡୋ ଜୋତା ଖୋଲି ମୁଣ୍ଡରେ ବାନ୍ଧି ଶିଖ୍ ପରମ୍ପରାକୁ ସମ୍ମାନ ଜଣାଇ ସ୍ବର୍ଣ୍ଣ ମନ୍ଦିର ଭିତରେ ପ୍ରବେଶ କରିଥିଲେ ଏବଂ ଖଲିସ୍ତାନୀଙ୍କ ଉପରକୁ ଗୁଳି ବର୍ଷା କରି ରକ୍ତର ନଦୀ ବୁହାଇଥିଲେ। ଏହା ପରେ ଚାରି ଦଶନ୍ଧୀ ଧରି ଖଲିସ୍ତାନୀ ଆଉ ମୁଣ୍ଡ ଟେକି ନଥିଲେ।
ଦେଶକୁ ଦେଇଥିଲେ ଜରୁରିକାଳୀନ ପରିସ୍ଥିତି:
ଇନ୍ଦିରାଙ୍କ ସବୁଠାରୁ ବିବାଦୀୟ ନିଷ୍ପତ୍ତି ମଧ୍ୟରେ ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ରର ଛାତିରେ ଏକ କ୍ଷତ ଭଳି ରହିଥିଲା। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ସୁପାରିଶରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ତାଙ୍କୁ ମଧ୍ୟ କ୍ଷମତାରୁ ହାତ ଧୋଇବାକୁ ପଡ଼ିଥିଲା। ଏହିପରି ଭାବେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଥିଲା ତାଙ୍କ ବିବାଦୀୟ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିଲା ଏବଂ ଏକ ବାର୍ତ୍ତା ପଠାଇଥିଲା ଯେ, ଶିଖ୍ଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ସ୍ବର୍ଣ୍ଣ ମନ୍ଦିର ସରକାରଙ୍କ ନିର୍ଦ୍ଦେଶରେ ଅପମାନିତ ହୋଇଛି। ଜୁନ୍ ୧୯୮୪ ରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ୩୧ ଅକ୍ଟୋବର ୧୯୮୪ ରେ ଶିଖ୍ ଅଙ୍ଗରକ୍ଷୀଙ୍କ ହାତରେ ପ୍ରାଣ ହରାଇବାକୁ ପଡ଼ିଥିଲା।
You can also read: ୭ ଦିନ ହେଲା ଟନେଲରେ ଫସିଛନ୍ତି ୪୧ ଶ୍ରମିକ, ପଥର ଯୋଗୁଁ ଡ୍ରିଲିଂ ବନ୍ଦ, ଉପରୁ ସୁଡ଼ଙ୍ଗ କାଟି ଉଦ୍ଧାର ଯୋଜନା