ଲକ୍ଷ୍ନୌ – ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। କାନପୁର ହାଇୱେରେ ଟ୍ରାନ୍ସପୋର୍ଟ ନଗରରେ ଶନିବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ବର୍ଷା ହେଉଥିବା ବେଳେ ୩ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି, ଯେଉଁଥିରେ ୬ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ଆଉ ୨୨ ଆହତ ହୋଇଛନ୍ତି। ଘଟଣା ସମୟରେ ବିଲ୍ଡିଂରେ ପାଖାପାଖି ୩୦ ଜଣ ଶ୍ରମିକ କାମ କରୁଥିଲେ।
ଘଟଣାର ସୂଚନା ପାଇବା କ୍ଷଣି ଏନଡିଆରଏଫ, ଏସଡିଆରଏଫ , ଅଗ୍ନିଶମ ବାହିନୀ , ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ଆରମ୍ଭ କରି ଥିଲେ। ଭଗ୍ନାବଶେଷରେ ଚାପି ହୋଇଥିବା ଆହତଙ୍କୁ ନିକଟସ୍ଥ ଲୋକବନ୍ଧୁ ହସ୍ପିଟାଲରରେ ପହଞ୍ଚା ଯାଇ ଥିଲା। ଏଠାରେ ଡାକ୍ତରମାନେ ୬ ଜଣ ଲୋକଙ୍କୁ ମୃତ ଘୋଷିତ କରିଛନ୍ତି । ଆହତ ୨୨ଜଣଙ୍କର ଚିକିତ୍ସା ଚାଲୁ ରହିଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଧିକାରୀଙ୍କୁ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି , ଉଦ୍ଧାର କାର୍ଯ୍ୟକୁ ଦ୍ରୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ତଥା ଲକ୍ଷ୍ନୌ ସାଂସଦ ରାଜନାଥ ସିଂହ ଡିଏମଙ୍କ ସହ କଥା ହୋଇ ଘଟଣା ବିଷୟରେ ବୁଝିଛନ୍ତି।
ଲାଇଭ ହିନ୍ଦୁସ୍ତାନ ଡଟ୍ କମ୍ରେ ପ୍ରକାଶିତ ଖବର ଅନୁସାରେ, ଆଶିୟାନା ନିବାସୀ ରାକେଶ ସିଂଘଲଙ୍କର ଟ୍ରାନ୍ସପୋର୍ଟନଗରରେ ୩ ମହଲା କୋଠା ଅଛି। ଗ୍ରାଉଣ୍ଡ ଫ୍ଲୋରରେ ଗୋମତିନଗର ଏଲଡିକୋ ନିବାସୀ ଜସମିତ ସିଂହ ସାହନୀ(୪୨)ଙ୍କର ମୋବିଲ ଅୟଲର ଗୋଦାମ ଅଛି। ପ୍ରଥମ ମହଲାରେ ବିନୀତ ମେହଟ୍ଟାଙ୍କ ଓଷଧ ଓ ୩ୟ ମହଲାରେ ମନଚନ୍ଦାଙ୍କର ଗିଫ୍ଟ ଉତ୍ପାଦର ଗୋଦାମ ଅଛି। ଶନିବାର ସନ୍ଧ୍ୟା ପାଖାପାଖି ୫ଟାରେ ଦିଲ୍ଲୀରୁ ଔଷଧ ନେଇ ଏକ ଟ୍ରକ୍ ଆସିଥିଲା। ଶ୍ରମିକ ଟ୍ରକରୁ ଔଷଧ ବାହାର କରୁଥିଲେ। ସେତେବେଳେ ଏକ ଜୋରରେ ଶବ୍ଦ ଶୁଣାଗଲା ଏବଂ ଦେଖୁ ଦେଖୁ ବିଲ୍ଡିଂଟି ଭୁଶୁଡି ପଡ଼ିଲା।