ପୁରୀ,୩୦/୦୭: ପ୍ରେମକୁ ଲୁଚାଇ କରିଥିଲା ବିବାହ । ବେଦିରେ ବସି ହିନ୍ଦୁ ରୀତିନୀତି ଅନୁଯାଇ ପଡ଼ିଥିଲା ହାତଗଣ୍ଠି । ମଥାରେ ସିନ୍ଦୁର ପିନ୍ଧି ଶାଶୂଘର ଗଲା । କିନ୍ତୁ ଚତୁର୍ଥୀ ଦିନ ସବୁ ହୋଇଗଲା ଓଲଟ ପାଲଟ । ସଂସାର ବନ୍ଧନ ଭିତରେ ଧସେଇ ପଶିଲା ପ୍ରେମିକ । ସୁନା ଅଳଙ୍କାର ଗଣ୍ଠିଲି କରି ପ୍ରେମିକ ସହ ଚମ୍ପଟ ମାରିଲା ନବବିବାହିତା । ବିଚରା ବିବାହିତ ଯୁବକ ଜଣକ ଆଇନ୍ର ଆଶ୍ରୟ ନେଇ ସୁନା ଅଳଙ୍କାର ଓ ବନ୍ଦାଣ ଟଙ୍କା ଫେରି ପାଇବାକୁ ପୁଲିସ ନିକଟରେ ନିବେଦନ କରିଛନ୍ତି । ଏଭଳି ଏକ ଘଟଣା ତାଳବଣିଆ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଏତଲା ହୋଇଥିବା ବେଳେ ମ୍ୟାନ୍ ମିସିଂ ରିପୋର୍ଟ ଏଣ୍ଟ୍ରି କରିଛି ତାଳବଣିଆ ଥାନା ପୁଲିସ ।
ଯୁବକ ଜଣକ ତାଳବଣିଆ ଥାନା ଅଧୀନ ସର୍ବୋଦୟନଗର ହୋଇଥିବା ବେଳେ ଢେଙ୍କାନାଳ ଭାପୁର ଗ୍ରାମରେ ନବବିହାହିତାର ଘର । ଉଭୟ ପକ୍ଷଙ୍କ ବନ୍ଧୁ ଓ ଭଦ୍ରଲୋକଙ୍କ ସହମତିରେ ବିବାହ ସ୍ଥିର ହୋଇଥିଲା । ଗତ ୨୧ ତାରିଖରେ କନ୍ୟାକୁ ଆଣି ସର୍ବୋଦୟନଗର ସ୍ଥତ ଏକ ମଣ୍ଡପରେ ବିବାହ କରାଯାଇଥିଲା । ମଣ୍ଡପରୁ ବରକନ୍ୟା ଘରକୁ ଫେରିଥିଲେ । ୩ ଦିନ ଶାଶୂଘରେ ସମୟ ବିତାଇଥିବା ନବବିବାହିତା ଏହା ମଧ୍ୟରେ ତା’ ପ୍ରେମିକ ସହ ଯୋଗାଯୋଗ କରିଥିଲା । ବିତାଇଥିବା ସମୟକୁ ଭାବି ଭାବି ନବବିହାହିତା ମାନସିକ ଭାରାକ୍ରାନ୍ତ ଥିବାଭଳି ଆଚରଣ ପ୍ରଦର୍ଶନ କରୁଥିଲା । କିନ୍ତୁ ଜାଣି ପାରିନଥିଲେ ଶାଶୂଘର ଲୋକେ । ୨୪ ତାରିଖ ଚତୁର୍ଥୀ ସନ୍ଧ୍ୟାରେ ସଭିଏଁ ବ୍ୟସ୍ତ ଥିବା ବେଳେ ଶୌଚ ହେବାକୁ କହି କେଉଁଆଡ଼େ ଗାଏବ୍ ହୋଇ ଯାଇଥିଲେ । ଯିବାବେଳେ ସୁନାର ଶଙ୍ଖା, ମଙ୍ଗଳସୂତ୍ର, ହାର, କାନଫୁଲ, ଚେନ୍, ସମସ୍ତ ବନ୍ଦାଣ ମୁଦି ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି । ଏପରିକି ବନ୍ଦାଣ ଟଙ୍କା ମଧ୍ୟ ନେଇ ଯାଇଥିବା ଏତଲାରେ ଉଲ୍ଲେଖ ହୋଇଛି । ନବବିବାହିତା ଜଣକ ରାତିରେ ଖଣ୍ଡଗିରିଠାରେ ପହଞ୍ଚି ପ୍ରେମିକ ସହ ଫେରାର୍ ହୋଇଥିବା ସୂଚନା ଦେଇଥିଲା ।
ଅଳଙ୍କାର ସେଠାରୁ ଯାଇ ଆଣିବାକୁ ଶାଶୂଘର ଲୋକଙ୍କୁ କହିଥିଲା । ହେଲେ ରାତିରେ ଯାଇ ଅଳଙ୍କାର ଆଣିବା ସମ୍ଭବ ହୋଇନଥିଲା । ୨୫ ତାରିଖରେ ଅଳଙ୍କାର ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ ନବବିବାହିତାର ବାପଘର ଲୋକେ । ହେଲେ ପରେ ଆଉ ବାପଘର ଲୋକେ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି । ଏହି ଅଳଙ୍କାର ଓ ଟଙ୍କା ଫେରି ପାଇବାକୁ ନବବିବାହିତ ଯୁବକ ଜଣକ ପୁଲିସର ସାହାରା ଲୋଡ଼ିଛନ୍ତି।