ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଓଡ଼ିଆ ଚଳଚ୍ଚିତ୍ରର ୮୭ ବର୍ଷ ପରେ ପ୍ରତିଷ୍ଠା ହେବ ଫିଲ୍ମ ଆର୍କାଇଭ୍‌ସ, ଖୁବ୍‌ଶୀଘ୍ର କଟକରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୯(ମନୋରଞ୍ଜନ ମହାନ୍ତି): ଓଡ଼ିଆ ଚଳଚ୍ଚିତ୍ରର ଦୀର୍ଘ ୮୭ ବର୍ଷ ପରେ ସ୍ୱପ୍ନ ସତ ହେବାକୁ ଯାଉଛି । ପ୍ରତିଷ୍ଠା ହେବ ଓଡ଼ିଆ ଚଳଚ୍ଚିତ୍ର ଅଭିଲେଖାଗାର ବା ଫିଲ୍ମ ଆର୍କାଇଭ୍‌ସ । ଏନେଇ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ଖୁବ୍‌ଶୀଘ୍ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଉଦ୍‌ଘାଟନ ତାରିଖ ଘୋଷଣା ହେବା ବାକି ଅଛି ବୋଲି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ ସୂଚନା ଦେଇଛନ୍ତି । କଟକ ବକ୍ସି ବଜାରସ୍ଥିତ ଚଳଚ୍ଚିତ୍ର ଭବନ ପରିସରରେ ଏହା ପ୍ରତିଷ୍ଠା କରାଯିବ । ଓଏଫ୍‌ଡିସି ସହ ଅନ୍ୟାନ୍ୟ କାର୍ଯ୍ୟାଳୟ ରହିଛି । ସେଠାରେ ଥିବା ବୋର୍ଡ ରୁମ୍‌କୁ ଏଭଳି ଏକ ଆର୍କାଇଭ୍‌ସ୍‌ ରୂପ ଦିଆଯାଇଛି । ଯାହା ଅଭିଲେଖାଗାର ସହ ସଂଗ୍ରହାଳୟ ପରି କାମ ଦେବ । ଏଭଳି ଏକ ପ୍ରସ୍ତାବିତ ପରିକଳ୍ପନାକୁ ରୂପ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଗେଇ ଆସିଛି ଓଏଫ୍‌ଡିସି । 

ଶ୍ରୀ ତ୍ରିପାଠୀ କହିଛନ୍ତି, କଳା, ସଂସ୍କୃତି ଓ ପରମ୍ପରାର ଆଉ ଏକ ଅଂଶବିଶେଷ ଚଳଚ୍ଚିତ୍ର । ୧୯୩୬ "ସୀତା ବିବାହ'ରୁ ଓଡ଼ିଆ ଚଳଚ୍ଚିତ୍ରର ଜନ୍ମ ସହ ଯାତ୍ରା ଆରମ୍ଭ ହୋଇଥିଲା । ଏ ଭିତିରେ ଓଡ଼ିଆ ଚଳଚ୍ଚିତ୍ର ୮୭ ବର୍ଷରେ ପାଦ ଥାପିଛି । ମାତ୍ର ସଂରକ୍ଷଣ ଅଭାବରୁ ଅନେକ ଚଳଚ୍ଚିତ୍ରକୁ ହଜେଇ ଦେଇଛି । ଦୁଃଖର ବିଷୟ, ପ୍ରଥମ ଚଳଚ୍ଚିତ୍ର "ସୀତାବିବାହ'ର ପ୍ରିଣ୍ଟ ମିଳୁନି । ତେଣୁ ଦ୍ୱିତୀୟ ଚଳଚ୍ଚିତ୍ର "ଲଳିତା' ସହ "ରଘୁ ଅରକ୍ଷିତ' "ଶ୍ରୀ ଲୋକନାଥ', "ସୂର୍ଯ୍ୟମୁଖୀ', "ସଂସାର' ଓ "ରକ୍ତଗୋଲାପ' ଭଳି ୨୫ଟି ଚଳଚ୍ଚିତ୍ରକୁ ପ୍ରଥମ ପର୍ଯ୍ୟାୟରେ ସଂଗୃହ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଚଳଚ୍ଚିତ୍ର ସଂରକ୍ଷଣ ରଖାଯିବ । ଏଥିସହ ଚଳଚ୍ଚିତ୍ର ସହିତ ଜଡ଼ିତ ନଥି, ସିନେ ପତ୍ରିକା, ପୋଷ୍ଟର, କିଛି ବିରଳ ଲେଖା, ପୁସ୍ତକ, କୃତିକୁ ଡିଜିଟାଇଜ୍‌ କରି ସ୍ଥାନିତ କରାଯିବ । ଏହାକୁ ପ୍ରଦର୍ଶନୀ ସହ ଜନସାଧାରଣ, ସିନେମା, ସଂସ୍କୃତି, ଐତିହ୍ୟପ୍ରେମୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ପରିଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । 

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ୫ଟି ଉପକ୍ରମରେ କଳିଙ୍ଗ ଷ୍ଟୁଡିଓର ନବୀକରଣ ଜାରି ରହିଛି । ସେଠାରେ ବି ଏଭଳି ଏକ କାର୍ଯ୍ୟକ୍ରମ ଲାଗି ପଦକ୍ଷେପ ନିଆଯାଇଛି । ଷ୍ଟୁଡିଓ ପରିସରରେ ‘ଓଲିଉଡ ହଲ୍‌ ଅଫ୍‌ ଫେମ୍‌’ ସ୍ଥାପନ ହେବ । ଓଡ଼ିଆ ଚଳଚ୍ଚିତ୍ରର ଅତୀତ, ବର୍ତ୍ତମାନର କାହାଣୀକୁ ଉପସ୍ଥାପିତ କରାଯିବ । କ୍ୟାମେରାର ବ୍ୟବହାର, କେତେ ପ୍ରକାରର କ୍ୟାମେରା, ଲାଇଟ୍‌ ଏବଂ ଲାଇଟ୍‌ରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରପାତି, କ୍ରେନ୍‌, ଟ୍ରଲିଟ୍ରାକ୍‌ରୁ ଆରମ୍ଭ କରି ଅନେକ ସାଇତା ପୁରୁଣା ଓ ବିରଳ ଜିନିଷକୁ ରଖାଯିବ । ଦିବଂଗତ କିମ୍ବଦନ୍ତୀ କଳାକାର, ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ଚଳଚ୍ଚିତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଫଟୋଚିତ୍ର ପ୍ରଦର୍ଶିତ କରାଯିବ । ଅଡିଓ-ଭିଜୁଆଲ୍‌ ତଥା ଡିଜିଟାଲ୍‌ ମାଧ୍ୟମରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଆହୁରି ଗୋଟିଏ ବଡ଼ କାମ କରୁଛି ଓଏଫ୍‌ଡିସି । ପ୍ରତି ସିନେମାର ସେନ୍‌ସର ତାରିଖ ଏବଂ ସଂରକ୍ଷିତ ନଥିବା ଅନେକ ଗୀତର ଗ୍ରାମଫୋନ୍‌ ରେକର୍ଡ ଖୋଜୁଛି ଓଏଫ୍‌ଡିସି । ଯାହାକୁ କଟକ ଅଭିଲେଖାଗାରରେ ଏବଂ କଳିଙ୍ଗ ଷ୍ଟୁଡିଓର ‘ଓଲିଉଡ ହଲ୍‌ ଅଫ୍‌ ଫେମ୍‌’ରେ ରଖାଯିବ । ଏହାକୁ ବି ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯିବ । 

ଆଗାମୀ ଦିନରେ ପ୍ରତି ପ୍ରଯୋଜନା ସଂସ୍ଥାକୁ ଅନୁରୋଧ ରହିବ, ସେମାନେ ସେମାନଙ୍କ ଚଳଚ୍ଚିତ୍ରର ଗୋଟିଏ ଗୋଟିଏ ପ୍ରିଣ୍ଟର କପି ଓଏଫ୍‌ଡିସିକୁ ଦେବେ । ଫଳରେ ଚଳଚ୍ଚିତ୍ର ସଂଗ୍ରହ ଓ ସଂରକ୍ଷଣ ସଂଖ୍ୟା ବୃଦ୍ଧି ପାଇବ । ଏଥିପାଇଁ ଓଏଫ୍‌ଡିସି ପକ୍ଷରୁ ଅନୁରୋଧ ପତ୍ର ପଠାଯିବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ସମଗ୍ର ଭାରତ ବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ, ଯେଉଁଠି ସରକାର ୧୯୭୪ ମସିହାରେ ଫିଲ୍ମକୁ ଶିଳ୍ପର ମାନ୍ୟତା ଦେଲା । ଏହାର ଦୁଇବର୍ଷ ୧୯୭୬ରେ ଗଠନ ହେଲା ଓଏଫ୍‌ଡିସି । ୧୯୮୨ରେ କଳିଙ୍ଗ ଷ୍ଟୁଡ଼ିଓ ଏବଂ ପ୍ରସାଦ ଲ୍ୟାବ୍‌ ସ୍ଥାପନ ହେଲା । କିନ୍ତୁ ପୁରୁଣା ଓଡ଼ିଆ ଫିଲ୍ମର ସଂରକ୍ଷଣ ହେଲା ନାହିଁ । ପୂର୍ବରୁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ କରାଯାଉଥିବା ସଚେତନତା ସିନେମାଗୁଡ଼ିକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ସାଇତି ରଖୁଥିଲେ । ସଂରକ୍ଷଣ ଅଭାବରୁ ସେ ମଧ୍ୟ ଦୀର୍ଘଦିନ ରହିବା ସମ୍ଭବ ହେଲାନି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିଜସ୍ୱ ଉଦ୍ୟମରେ ‘ଶ୍ରୀଜଗନ୍ନାଥ’, ‘ରଘୁ ଅରକ୍ଷିତ’ ଭଳି ସିନେମା କରିଥିଲା । କିନ୍ତୁ ଏହାର ପ୍ରିଣ୍ଟ ବି ନଷ୍ଟ ହୋଇଯାଇଥିଲା । ଦୂରଦର୍ଶନରେ ପ୍ରସାରଣ ଲାଗି ଥିବା କିଛି ସିନେମା ବି ଅଧିକ ଦିନ ରହିପାରିଲାନି । 

ନ୍ୟାସନାଲ୍‌ ଆର୍କାଇଭସ୍‌ ଫିଲ୍ମ କାଟାଲଗ୍‌ରେ ୨୪ ଓଡ଼ିଆ ଫିଲ୍ମ ଏବଂ ଫିଲ୍ମ ସ୍କ୍ରିପ୍ଟରେ ଅନେକଗୁଡ଼ିଏ ସିନେମା ଥିଲା । ଏବେ ବି ଥାଇପାରେ । ମାତ୍ର ଓଡ଼ିଶାରେ ସଂରକ୍ଷଣ ଅଭାବରୁ ସିନେମା ପ୍ରିଣ୍ଟଗୁଡ଼ିକ ନଷ୍ଟ ହେଇଯାଇଛି । ଏଯାଏଁ ବି ସ୍ଥାୟୀ ପ୍ରତିକାର ହେଇପାରିନି । ୧୯୯୩-୯୪ରେ ଓଏଫ୍‌ଡିସି ଆର୍କାଇଭସ୍‌ ପାଇଁ ଏକ କର୍ପସ୍‌ ଫଣ୍ଡ୍‌ ଗଠନ କଲା । ତାହା କାର୍ଯ୍ୟକାରୀ ହେବା ବଦଳରେ ସ୍ୱପ୍ନରେ ରହିଯାଇଥିଲା । ଏହାପରେ ୪-୫ବର୍ଷ ତଳେ ୫୦ରୁ ଅଧିକ ସିନେମା ଦେବାକୁ ବିଭିନ୍ନ ପ୍ରଯୋଜକ ପ୍ରସ୍ତୁତ ଥିଲେ । ସେମାନଙ୍କଠାରୁ ଫିଲ୍ମ ଗୋଟାକୁ ୪୦ ହଜାର ଟଙ୍କା ଦିଆଯାଇ କିଣାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ସମୟରେ ତାହା ମଧ୍ୟ ସଫଳ ହୋଇପାରିନଥିଲା । ସବୁକିଛି ଶୀତଳ ଭଣ୍ଡାରରେ ପଡ଼ି ରହିଥିଲା । ଓଏଫ୍‌ଡିସିର ଅଧ୍ୟକ୍ଷ ଭାବେ ଶ୍ରୀ ତ୍ରିପାଠୀ ଦାୟିତ୍ୱ ନେଲା ପରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ପୁନର୍ବାର ଆର୍କାଇଭସ୍‌ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ କଲେ । ଯାହା ଏବେ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି ।

Copyright © 2022 - Summa Real Media Private Limited. All Rights Reserved.