ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ସିଆଇଆଇ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି, ମୋଦି ୩.୦ରେ ତୃତୀୟ ବଡ଼ ଅର୍ଥନୀତି ହେବ ଭାରତ

Published By : Prameya | July 31, 2024 10:35 AM

ନୂଆଦିଲ୍ଲୀ, ୩୧/୦୭ : ସମ୍ପ୍ରତି ୮% ହାରରେ ବଢ଼ିଚାଲିଛି ଭାରତ । ଏହି ଧାରା ସହିତ ମୋଦି ୩.୦ ସରକାରରେ ହିଁ ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିବ । ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ଆଲୋଚନାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମହାମାରୀ ମୁକାବିଲା ପରେ ବି ଆମ ସରକାର ଭାରତକୁ ନୂଆ ଶିଖରକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ମୋଦି ସରକାରର ୧୦ ବର୍ଷରେ ବଜେଟ୍‌ର ଆକାର ୩ ଗୁଣା ବୃଦ୍ଧି ପାଇ ୪୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ ସରକାରଙ୍କ ତୁଳନାରେ ରେଳ ବଜେଟ୍‌ ୮ ଗୁଣା ବଢ଼ିଛି, ରାଜପଥ ବଜେଟ୍‌ ୮ ଗୁଣା, କୃଷି ବଜେଟ୍‌ ୪ ଗୁଣାରୁ ଅଧିକ ଏବଂ ପ୍ରତିରକ୍ଷା ବଜେଟ୍‌ ଦୁଇ ଗୁଣାରୁ ଅଧିକ ବଢ଼ିଛି । ଆଲୋଚ୍ୟ ଅବଧିରେ ପୁଞ୍ଜି ବ୍ୟୟରେ ୫ ଗୁଣା ବୃଦ୍ଧି କରି ଏହାକୁ ୧୧.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇଛନ୍ତି ମୋଦି ସରକାର। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ହେଉଛି ଏକମାତ୍ର ରାଷ୍ଟ୍ର, ଯେଉଁଠି ଉଚ୍ଚ ଅଭିବୃଦ୍ଧି ଏବଂ ନିମ୍ନ ମୁଦ୍ରାସ୍ଫୀତି ରହିଛି । ବିଶ୍ୱ ଅଭିବୃଦ୍ଧିରେ ଭାରତର ଯୋଗଦାନ ୧୬% ରହିଥିବା ସେ ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ସିଆଇଆଇ ଦ୍ୱାରା ଆୟୋଜିତ ‘ବିକଶିତ ଭାରତକୁ ଯାତ୍ରା’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି । ଶିଳ୍ପ ଲିଡରମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ କୋଣରୁ ନିବେଶକମାନେ ଭାରତରେ ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ସୁବର୍ଣ୍ଣ ସୁଯୋଗକୁ ଆମେ ହାତଛଡ଼ା କରିବା ଉଚିତ ନୁହେଁ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର କୋଟି କୋଟି ନିଯୁକ୍ତି ତିଆରି କରୁଛି । ତେଣୁ ଏହି କ୍ଷେତ୍ର ଉପରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । ଭାରତରେ ୧.୪ ଲକ୍ଷରୁ ଊଦ୍ଧ୍ୱର୍ ଷ୍ଟାର୍ଟଅପ୍‌ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେବା ସହ ନିଜ ବ୍ୟବସାୟ ଛିଡ଼ା କରୁଥିବା ୮ କୋଟି ଲୋକଙ୍କୁ ମୁଦ୍ରା ଋଣ ଯୋଜନା ସହାୟକ ହୋଇଥିବା କହିଛନ୍ତି । ମୋଦି କହିଛନ୍ତି ଯେ, ଦରିଦ୍ର‌୍ୟ ଦେଶ ଭାବେ ଆମେ ସ୍ୱାଧୀନତା ପାଇଥିଲୁ କିନ୍ତୁ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷକୁ ଏକ ବିକଶିତ ରାଷ୍ଟ୍ର ଭାବେ ପାଳନ କରିବା । ମୋଦି ସରକାର ସବୁଜ ଶକ୍ତି କ୍ଷେତ୍ରରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି । ଗ୍ରୀନ୍‌ ହାଇଡ୍ରୋଜେନ୍‌, ଇଲେକ୍ଟ୍ରିକ୍‌ ଯାନ ଭଳି କ୍ଷେତ୍ରଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସରକାର ପ୍ରତି ଘରକୁ ୭୫,୦୦୦ ଟଙ୍କା ଦେବାକୁ ଯାଉଛନ୍ତି । ଏହା ଏକ ବଡ଼ ବିପ୍ଳବ ଆଣିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । 

ସେ ଆହୁରି କହିଛନ୍ତି ଯେ, ବିଶ୍ୱ ବଜାରରେ ଅନିଶ୍ଚିତତା ଥିବା ସମୟରେ ବି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଭଲ ବୃଦ୍ଧି ଘଟିଛି । ମହାମାରୀ ସତ୍ତେ୍ୱ ଭାରତର ବିତ୍ତୀୟ ପରିଚାଳନା ବିଶ୍ୱ ପାଇଁ ରୋଲ୍‌ ମଡେଲ୍‌ ସାଜିଛି । ଗତ ୧୦ ବର୍ଷରେ ଅର୍ଥନୀତି ଆଗରେ ଅନେକ ସଂକଟ ଛିଡ଼ାହୋଇଥିଲା । ସେସବୁକୁ ଦୃଢ଼ତାର ସହ ସାମ୍ନା କରିଛି ଭାରତ । ଉକ୍ତ ସମସ୍ୟାଗୁଡ଼ିକ ଯଦି ଆସି ନ ଥାନ୍ତା, ଭାରତ ବର୍ତ୍ତମାନ ଯେଉଁ ସ୍ଥାନରେ ରହିଛି ତାହାଠାରୁ ଆହୁରି ଊଦ୍ଧ୍ୱର୍ରେ ରହିଥାନ୍ତା । ମୋଦି ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଟିକସ ରିହାତି ପ୍ରଦାନ କରିଛନ୍ତି । ଶିଳ୍ପ ୪.୦କୁ ଧ୍ୟାନରେ ରଖି ସରକାର ଦକ୍ଷତା ବିକାଶ ଏବଂ ନିଯୁକ୍ତି ଉପରେ ଫୋକସ୍‌ କରିଛନ୍ତି । ଦେଶର ଯୁବପିଢ଼ି ନିଜ ଉଦ୍ୟମରେ କିଛି କରିପାରୁଛନ୍ତି । ମୁଦ୍ରା ଯୋଜନା ସହାୟତାରେ ୮ କୋଟିରୁ ଊଦ୍ଧ୍ୱର୍ ଲୋକ ପ୍ରଥମ ଥର ପାଇଁ କୌଣସି ବ୍ୟବସାୟ ଆରମ୍ଭ କରିଛନ୍ତି । ପ୍ରାୟ ୧.୪୦ ଲକ୍ଷ ଷ୍ଟାର୍ଟଅପ୍‌ରେ ଲକ୍ଷ ଲକ୍ଷ ଯୁବପିଢ଼ି କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପିଏମ୍‌ ପ୍ୟାକେଜ୍‌ରୁ ୪ କୋଟିରୁ ଊଦ୍ଧ୍ୱର୍ ଯୁବପିଢ଼ିଙ୍କୁ ଫାଇଦା ମିଳିବ । ବଜେଟ୍‌ରେ ଇଣ୍ଟର୍ଣ୍ଣସିପ୍‌ ସ୍କିମ୍‌ ଘୋଷଣା ହୋଇଛି, ଯାହାଦ୍ୱାରା ଦକ୍ଷ କର୍ମଶକ୍ତିଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ ହେବ । ଏଫ୍‌ଡିଆଇ ସ୍କିମ୍‌କୁ ସରଳ କରାଯାଇଛି । ପିଏଲ୍‌ଆଇ ସ୍କିମ୍‌ ଅଣାଯାଇଛି । ୧୦୦ ସହରରେ ଶିଳ୍ପ ପାର୍କ ହେବ, ଯାହା ଶିଳ୍ପାୟନକୁ ତ୍ୱରାନ୍ୱିତ କରିବ । ଚାଷୀଙ୍କୁ ଭୁ-ଆଧାର କାର୍ଡ ପ୍ରଦାନ କରାଯିବ । ଏସବୁ ବିକଶିତ ଭାରତ ଦିଗରେ ବଡ଼ ଆକାରରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.