ମୁମ୍ବାଇ: ଯୌନ ନିର୍ଯାତନା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏକ ବଡ଼ ରାୟ ଦେଇଛନ୍ତି । ରବିନ୍ଦ୍ର ପୁତ୍ର ଲକ୍ଷ୍ମଣ ନାରେଟେ ବନାମ ମହାରାଷ୍ଟ୍ର ରାଜ୍ୟ ମାମଲାରେ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, କେବଳ ‘ଆଇ ଲଭ୍ ୟୁ’ (ମୁଁ ତୁମକୁ ଭଲପାଏ) କହିବାକୁ ଯୌନ ଉତ୍ପୀଡ଼ନ ବୋଲି ବିବେଚନା କରାଯିବ ନାହିଁ । ଯଦି ଶବ୍ଦଗୁଡ଼ିକ ସ୍ପଷ୍ଟ ଭାବରେ ଯୌନ ଉଦ୍ଦେଶ୍ୟକୁ ସୂଚିତ କରୁନଥିବ, ତେବେ ଏହାକୁ ଯୌନ ନିର୍ଯାତନା ବୋଲି ବିବେଚନା କରାଯାଇପାରିବ ନାହିଁ । ଜଣେ ନାବାଳିକାଙ୍କୁ ପିଛା କରିବା ଏବଂ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋକ୍ସୋ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (IPC) ର ବ୍ୟବସ୍ଥା ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ ରଦ୍ଦ କରିବା ସମୟରେ ଜଷ୍ଟିସ୍ ଉର୍ମିଳା ଜୋଶୀ ଫାଲକେ ଏହି ମନ୍ତବ୍ୟ ଦେଇଛନ୍ତି ।
କୋର୍ଟ ରାୟ ଦେଇଛନ୍ତି ଯେ, "ଆଇ ଲଭ୍ ୟୁ" ଶବ୍ଦଗୁଡ଼ିକ ଯୌନ ଉତ୍ପୀଡ଼ନ ମାମଲାରେ ଶ୍ରେଣୀଭୁକ୍ତ ନାହିଁ । ମୁଁ ତୁମକୁ ଭଲ ପାଏ କହିବା ଯୌନ ଉତ୍ପୀଡ଼ନ ନୁହେଁ । ଏଥିରେ ଦୁଷ୍କର୍ମ ସଂପର୍କିତ ଉଦ୍ଦେଶ୍ୟ ନଥିଲେ ଏହାକୁ ଅପରାଧ ବୋଲି କୁହାଯାଇ ପାରିବନାହିଁ । ଯଦି କୁହାଯାଇଥିବା ଶବ୍ଦଗୁଡ଼ିକୁ ଆଇନଗତ ଭାବରେ ଯୌନ ଉଦ୍ଦେଶ୍ୟ ଭାବରେ ବ୍ୟାଖ୍ୟା କରାଯାଏ, ତେବେ ଏହା କାର୍ଯ୍ୟରେ ପ୍ରତିଫଳିତ ହୋଇଥିବା ଉଚିତ । ଅଭିଯୋଗ ଅନୁଯାୟୀ, ନାଗପୁରର ଜଣେ ବ୍ୟକ୍ତି ଜଣେ ୧୭ ବର୍ଷୀୟା ଝିଅଙ୍କ ହାତ ଧରି ଆଇ ଲଭ୍ ୟୁ ବା ମୁଁ ତୁମକୁ ଭଲ ପାଏ' ବୋଲି କହିଥିଲେ ।
ଏହି ମାମଲାରେ, ନାଗପୁରର ଏକ ସେସନ୍ସ କୋର୍ଟ ୨୦୧୭ ମସିହାରେ ପୋକ୍ସୋ ଆଇନର ଧାରା ଅନୁଯାୟୀ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏବେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରିବା ସହ ସଂପୃକ୍ତଙ୍କ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ନାବାଳିକାଙ୍କ ସହ ବ୍ୟକ୍ତି ଜଣଙ୍କ ଯୌନ ସଂପର୍କ ରଖିବା ଉଦ୍ଦେଶ୍ୟରେ ଏଭଳି କରିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।