ନୂଆଦିଲ୍ଲୀ,୧।୭: ମୌସୁମୀ ଆସିବା ପରେ ଗରମରୁ ଆଶ୍ବସ୍ଥି ମିଳିଛି। କିନ୍ତୁ ନୂଆ ଅଡୁଆ ଆରମ୍ଭ ହୋଇଯାଇଛି। ମୂଷଳଧାରା ବର୍ଷାରେ ଘରଦ୍ବାର ବୁଡି ଯାଉଛି ତ ଆଉ କେଉଁଠି ପହାଡ ଧସି ଯାଉଛି। ମୌସୁମୀର ପ୍ରହାରରେ ଦେଶର ଅଧିକାଂଶ ସ୍ଥାନରେ ଏବେ ବର୍ଷାର କରାଳ ରୂପ। ହିମାଚଳ ପ୍ରଦେଶର ମଣ୍ଡିରେ ବ୍ୟାସ ନଦୀରେ ଜଳସ୍ତର ବଢିବା ଯୋଗୁଁ ରେଡ ଆଲର୍ଟ ଘୋଷଣା କରିବାକୁ ପଡିଛି।
ସେପଟେ ରୁଦ୍ରପ୍ରୟାଗରେ ଅଳକାନନ୍ଦା ନଦୀରେ ପ୍ରବଳ ଜଳସ୍ତର ବୃଦ୍ଧି ଯୋଗୁଁ ଭଗବାନ ଶିବଙ୍କ ପ୍ରତିମାର ଏକ ବଡ଼ ଅଂଶ ବୁଡି ଯାଇଛି। ରୁଦ୍ର ପ୍ରୟାଗରେ ଅଳକାନନ୍ଦା ନଦୀରୁ ପ୍ରାୟ ୨୦ ମିଟର ଦୂରରେ ଭଗବାନ ଶିବଙ୍କ ୧୫ ଫୁଟ ଉଚ୍ଚତାର ମୂର୍ତ୍ତି ରହିଛି, କିନ୍ତୁ ଏହି ମୂର୍ତ୍ତି ନଦୀରେ ଜଳମଗ୍ନ ହୋଇଯାଇଛି। କୁହାଯାଉଛି ଯେ, ଅଳକାନନ୍ଦା ନଦୀ ବିକରାଳ ରୂପ ଧରିଛି। ତେଣୁ ପ୍ରଶାସନ ନଦୀ କୂଳକୁ ଯିବାକୁ ରୋକ ଲଗାଇଛି। ଯେଉଁମାନେ ସେହି ପାଖାପାଖି ଅଞ୍ଚଳରେ ରହୁଛନ୍ତି ତାଙ୍କୁ ସମୟ ସମୟରେ ଆଲର୍ଟ କରାଯାଉଥିଲା। ଏବେ ନଦୀ ଜଳସ୍ତର ଆହୁରି ବଢିବା ପରେ ଘର ଖାଲି କରାଯାଉଛି।
ଚମୋଲିରେ ପାହାଡ ଧସିବାରେ ଲାଗିଛି। ଫଳରେ ରାସ୍ତା ବନ୍ଦ ହୋଇଯାଇଛି। ସେପଟେ ଡେରାଡୁନ୍ରେ ସୌଙ୍ଗ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। କୋଟଦ୍ବାରରେ ଆଜି ନ୍ୟାସନାଲ ହାଇଓ୍ବେରେ ଗୁମଖାଲା-ସତପୁଲି ଭିତରେ ଭୂସ୍ଖଳନ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଖୁବ୍ ପ୍ରଭାବିତ ହୋଇଛନ୍ତି। ଭୂସ୍ଖଳନର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଘଟଣା ପରେ କୋଟଦ୍ବାର-ନଜିବାବାଦ ଭିତରେ ଗାଡି ଚଳାଚଳ ବନ୍ଦ ରହିଛି। ଏହାସହ ଡେରାଡୁନ୍-ଦିଲ୍ଲୀ ରୁଟ୍ର ଯାତ୍ରୀଙ୍କୁ ଖୁବ୍ ସମସ୍ୟାର ସମୁଖୀନ ହେବାକୁ ପଡିଛି। ଜାତୀୟ ରାଜପଥରେ ଲମ୍ବା ଜାମ୍ ମଧ୍ୟ ଲାଗିଛି।