ବର୍ମିଂହାମ,୦୧/୦୭: ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦ୍ୱିତୀୟ ଟେଷ୍ଟ । ଏହା ପୂର୍ବରୁ ସୋମବାର ଘରୋଇ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ହେଲେ ଭାରତ ପରିସ୍ଥିତିକୁ ନେଇ ଟସ୍ ସମୟରେ ଚୂଡ଼ାନ୍ତ ଏକାଦଶ ଘୋଷଣା କରିବ ବୋଲି ଜଣାପଡ଼ିଛି । ତେବେ ଏଜବାଷ୍ଟନରେ ଭାରତ ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ ରହିଛି । ଭାରତ ୨ଜଣ ସ୍ପିନର ନେଇ ଖେଳିବାକୁ ଚିନ୍ତା କରୁଥିବା ପ୍ରାଥମିକ ପର୍ଯ୍ୟାୟରେ ସ୍ପଷ୍ଟ ହୋଇଛି । ଯଶପ୍ରୀତ ବୁମରା ମଧ୍ୟ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଥିବା ସହକାରୀ କୋଚ୍ ର୍ୟାନ୍ ଟେନ୍ ଡୋସେଟ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପ୍ରଥମ ଟେଷ୍ଟ ଜିତିଥିବା ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫଳରେ ଜୋଫ୍ରା ଆର୍ଚରଙ୍କ ଘାତକ ପେସ୍ ବୋଲିଂର ସାମ୍ନା କରିବାକୁ ପଡ଼ୁ ନଥିବାରୁ ଭାରତୀୟ ଦଳ ଆଶ୍ୱସ୍ତ ହୋଇଛି ।
ଏହି ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୩ଟି ମ୍ୟାଚ୍ ଖେଳିବେ ବୋଲି ବୁମରା ପୂର୍ବରୁ ସ୍ପଷ୍ଟ କରିସାରିଥିଲେ । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୫ଟି ୱିକେଟ୍ ନେଇଥିଲେ । ଭାରତର ପରାଜୟ ସତ୍ତେ୍ୱ ବୁମରାଙ୍କ କାର୍ଯ୍ୟଭାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ । ଶନିବାର ଦିନ ବୁମରା ଜୋରଦାର ଅଭ୍ୟାସ କରିଥିଲେ । ଗତ ୨ଦିନ ହେଲା ସେ ହାଲୁକା ଅଭ୍ୟାସ ଜାରି ରଖିଛନ୍ତି ।
ସୋମବାର ସାମ୍ବାଦିକ ସମ୍ମିଳନୀରେ ସହକାରୀ କୋଚ୍ ଡୋସେଟ କହିଛନ୍ତି, ବୁମରା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଛନ୍ତି । ତଥାପି ଆମେ ଟସ୍ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ତାଙ୍କ ବିନା ମଧ୍ୟ ଏକ ସନ୍ତୁଳିତ ବୋଲିଂ ବିଭାଗ ପ୍ରସ୍ତୁତ କରାଯାଉଛି । ସବୁ ପରିସ୍ଥିତିକୁ ନଜର ରଖି ନିଷ୍ପତ୍ତି ନିଆଯିବ ।
ଇଂଲଣ୍ଡ ଦଳ ଅପରିବର୍ତ୍ତିତ
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୧୫ତମ ସଦସ୍ୟ ଭାବେ ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇଥିଲା । ଦୀର୍ଘ ୪ ବର୍ଷ ପରେ ସେ ଟେଷ୍ଟ୍ ଦଳରେ ସ୍ଥାନ ପାଇଥିଲେ । ମାତ୍ର ପ୍ରଥମ ଟେଷ୍ଟ ବିଜୟ ପରେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଆର୍ଚର ଖେଳିଲେ ବ୍ରାଇଡନ୍ କାର୍ସ କିମ୍ବା ଜୋସ୍ ଟଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦିଆଯାଇଥାନ୍ତା । ମାତ୍ର ଉଭୟ ପ୍ରଥମ ଟେଷ୍ଟରେ ଚମତ୍କାର ବୋଲିଂ କରିଥିଲେ । ନବାଗତ ଟଙ୍ଗ ୭ଟି ୱିକେଟ୍ ନେଇଥିଲେ । ତେଣୁ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍ କ୍ରଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ, କ୍ରିସ ୱକ୍ସ, ବ୍ରାଇଡନ କାର୍ସ, ଜୋସ ଟଙ୍ଗ, ସୋହେବ ବସିର । ସେପଟେ ନୀତିଶ ଫେରିବେ ପ୍ରଥମ ଟେଷ୍ଟ ଖେଳି ନଥିବା ଯୁବ ଅଲ୍ରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ସମୟରେ ସେ ମେଲ୍ବର୍ଣ୍ଣରେ ଶତକ ଅର୍ଜନ କରିଥିଲେ । ମାତ୍ର ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିନଥିଲା । ତାଙ୍କ ପରିବର୍ତ୍ତେ ଅଭିଜ୍ଞ ସର୍ଦୁଲ ଠାକୁରଙ୍କୁ ପ୍ରାଥମିକତା ଦିଆଯାଇଥିଲା ଓ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ନିରାଶ କରିଥିଲେ ।
ଗତ ଦୁଇ ଦିନ ହେଲା ଅଭ୍ୟାସ ଶିବିରରେ ନୀତିଶ ସ୍ଲିପ୍ରେ ଫିଲ୍ଡିଂ ଅଭ୍ୟାସ କରୁଥିବାର ନଜିର ଆସିଛନ୍ତି । କରୁଣ ନାଏର ପ୍ରଥମ ସ୍ଲିପ୍, କେଏଲ ରାହୁଲ ଦ୍ୱିତୀୟ ସ୍ଲିପ୍ ଓ ଶୁଭମନ ଗିଲ୍ ତୃତୀୟ ସ୍ଲିପ୍ରେ ଫିଲ୍ଡିଂ କରୁଥିବା ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛି । ସାଇ ସୁଦର୍ଶନ ଓ ନୀତିଶଙ୍କୁ ଚତୁର୍ଥ ସ୍ଲିପ୍ ଓ ଗଲି ଅଞ୍ଚଳରେ ଅଦଳ ବଦଳ କରାଇ ଫିଲ୍ଡିଂ କରାଯାଉଛି ।
ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୈସ୍ୱାଲ ସ୍ଲିପ୍ ଓ ଗଲି ଅଞ୍ଚଳରେ ଫିଲ୍ଡିଂ କରି ୩ଟି କ୍ୟାଚ୍ ଛାଡ଼ିଥିଲେ । ତେଣୁ ତାଙ୍କ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା ଚାଲିଛି । ଅଭ୍ୟାସ ଶିବିରରେ ଜୈସ୍ୱାଲ୍ ସର୍ଟ ଲେଗ୍ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଦେଖିବାକୁ ମିଳିଛି ।
ଦ୍ୱିତୀୟ ସ୍ପିନର: ସୁନ୍ଦରଙ୍କୁ ଅଗ୍ରାଧିକାର ଏଜବାଷ୍ଟନରେ ୨ଜଣ ସ୍ପିନର ନେଇ ଖେଳିବାକୁ ଯୋଜନା କରାଯାଉଛି । ରବିନ୍ଦ୍ର ଜାଡ଼େଜା ପ୍ରଥମ ସ୍ପିନର ଭାବେ ରହିଛନ୍ତି । ଦ୍ୱିତୀୟ ସ୍ପିନର ସ୍ଥାନ ପାଇଁ ୱାସିଂଟନ ସୁନ୍ଦର ଓ କୁଲଦୀପ ଯାଦବଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
ଏଜବାଷ୍ଟନ ପିଚ୍ରେ ବର୍ତ୍ତମାନ ୧୧ମିଲିମିଟର ଉଚ୍ଚ ଘାସ ରହିଛି । ମାତ୍ର ଟସ୍ ପୂର୍ବରୁ ଏହାକୁ କାଟି ଛୋଟ କରିଦିଆଯିବ ବୋଲି କ୍ୟୁରେଟରଙ୍କ ପକ୍ଷରୁ ସୂଚନା ମିଳିଛି । ଘାସ ରହିଥିଲେ ହେଁ ପିଚ୍ ଶୁଷ୍କ ରହିଥିବାରୁ ସ୍ପିନରଙ୍କୁ ସହାୟତା କରିବା ଆଶା କରାଯାଉଛି । ତେଣୁ ଭାରତ ଦ୍ୱିତୀୟ ସ୍ପିନର ନେଇ ଖେଳିବାକୁ ଲକ୍ଷ୍ୟ ରଖିଛି । କୁଲଦୀପ ଯାଦବଙ୍କ ଅପେକ୍ଷା ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଅଗ୍ରାଧିକାର ମିଳିପାରେ । ସୁନ୍ଦର ଖେଳିଲେ ବ୍ୟାଟିଂ ବିଭାଗ ଲମ୍ବା ହେବ । କେବଳ ସେତିକି ନୁହେଁ, ମ୍ୟାଚ୍ର ପ୍ରଥମ, ତୃତୀୟ ଓ ପଞ୍ଚମ ଦିନରେ ବର୍ଷା ହୋଇପାରେ । ଏଭଳି ସ୍ଥଳେ ସ୍ପିନ ବୋଲିଂ କାମ ନକଲେ ସୁନ୍ଦର ବ୍ୟାଟିଂରେ ସହାୟତା କରିବେ ।