ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବଢ଼ୁନି ଏମ୍‌ଡିଏମ୍‌ ଦର, ପରିବା ଦର ଦେଖି କୁନ୍ଥକୁନ୍ଥ ଶିକ୍ଷକ

ଭୁବନେଶ୍ୱର, ୧୦/୦୭ : ବଜାରରେ ପରିବା ଦର ହୁହୁ ହୋଇ ବଢ଼ୁଛି । ଟମାଟୋ, ବାଇଗଣ, ପୋଟଳ ଆଦିର କିଲୋ ପିଛା ଦର ୬୦ରୁ ଶହେ ଟଙ୍କା ଭିତରେ ରହୁଥିବାବେଳେ ବିନ୍ସ କିଲୋ ଦୁଇ ଶହ ଉପରେ । ସେହିପରି ଗୋଟିଏ ଅଣ୍ଡାର ବଜାର ଦର ୭ ଟଙ୍କା ରହିଛି । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ମୁଣ୍ଡ ପିଛା ୫ ଟଙ୍କା ୯୦ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମୁଣ୍ଡ ପିଛା ୮ ଟଙ୍କା ୮୨ ପଇସା ସରକାର ଦେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ପିଲାଙ୍କୁ କିଭଳି ମଧ୍ୟାହ୍ନ ଭୋଜନ ଦିଆଯିବ ତାକୁ ନେଇ ଚିନ୍ତାରେ ଶିକ୍ଷକ, ପାଚିକା । 

ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ କିଭଳି ଆକର୍ଷିତ ହେବେ, ସ୍କୁଲ୍‌ରେ ଉପସ୍ଥାନ ବୃଦ୍ଧି ପାଇବ ସେଥିପାଇଁ ରାଜ୍ୟର ପ୍ରତିଟି ସରକାରୀ ସ୍କୁଲରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଓ ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ ହେଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ଯୋଜନା ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏପରିକି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ସରକାର ସମସ୍ତ ସ୍କୁଲ୍‌କୁ ଗ୍ୟାସ ସଂଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି । ସୋମବାର ଓ ଗୁରୁବାର ଦିନ ଭାତ, ଡାଲ୍‌ମା, ମଙ୍ଗଳବାର ଓ ଶୁକ୍ରବାର ଭାତ, ସୋୟାବଡ଼ି ତରକାରୀ ଏବଂ ବୁଧବାର ଓ ଶନିବାର ଭାତ ଓ ଅଣ୍ଡା ତରକାରୀ ଖାଉଛନ୍ତି ଛାତ୍ରଛାତ୍ରୀ । 

୨୦୨୨ରେ ରାଜ୍ୟ ସରକାର ଶେଷ ଥର ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ଦର ନିର୍ଦ୍ଧାରଣ କରିଥିଲେ । ଇତିମଧ୍ୟରେ ୨ବର୍ଷ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ଏହି ଦର ବଢ଼ିନାହିଁ । ଫଳରେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା କମୁଛି । ବଜାରରେ ଏବେ ଡାଲି ଦର କିଲୋ ପିଛା ୧୫୦ ଟଙ୍କା ଛୁଇଁବାକୁ ବସିଛି । ସୋୟାବଡ଼ି ଦର କେଜି ପିଛା ୧୫୦ରୁ ଅଧିକ ଟଙ୍କା ରହିଥିବା ବେଳେ, ସୋରିଷ ତେଲ ଲିଟର ପିଛା ୧୨୦ରୁ ୧୬୦ ଟଙ୍କା ରହିଛି । ଅଦା, ରସୁଣ କେଜି ପିଛା ୧୫୦ରୁ ୨ଶହ ଟଙ୍କା ଦରରେ ବିକ୍ରି କରାଯାଉଛି । ସେହିପରି ଜିରା, ଫୁଟଣ, ଅନ୍ୟାନ୍ୟ ମସଲା ଦର ମଧ୍ୟ ବୃଦ୍ଧି ହୋଇଛି । ଏଭଳି ସ୍ଥିତିରେ ସରକାର ଦେଉଥିବା ଟଙ୍କାରେ ପିଲାଙ୍କୁ ପୁଷ୍ଟିକର ଆହାର ଦେବା କାଠିକର ପାଠ ହୋଇପଡ଼ିଥିବା ଭୁବନେଶ୍ୱରର ଜଣେ ଶିକ୍ଷକ କହିଛନ୍ତି । 

ଷ୍ଟେଟ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍‌ ୟୁନିଟ୍‌ (ଏସ୍‌ପିଏମ୍‌ୟୁ) ମଧ୍ୟାହ୍ନ ଭୋଜନ ପାଇଁ କରିଥିବା ତାଲିକା ଅନୁସାରେ, ଜଣେ ପ୍ରାଥମିକ ସ୍କୁଲ ପିଲାର ଡାଲି ଖର୍ଚ୍ଚ ୫ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି । ଏଥିରେ ୨୫ ଗ୍ରାମ ଡାଲି ପାଇଁ ୨ଟଙ୍କା ୫୦ ପଇସା, ୫ ଗ୍ରାମ ତେଲ ପାଇଁ ୮୦ ପଇସା ଓ ୬୦ ଗ୍ରାମର ପରିବା ଓ ମସଲା ପାଇଁ ୧ଟଙ୍କା ୭୦ ପଇସା ଏବଂ ଜାଳେଣି ଖର୍ଚ୍ଚ ଅର୍ଥାତ ଗ୍ୟାସ୍‌ ଖର୍ଚ୍ଚ ପାଇଁ ୫୦ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ସୋୟାବଡ଼ି ସୋୟାବଡ଼ି ତରକାରୀ ବାବଦକୁ ୪ଟଙ୍କା ୨୦ ପଇସା ଧାର୍ଯ୍ୟ କରିଛନ୍ତି । ଏଥିରେ ୧୨ ଗ୍ରାମ ସୋୟାବଡ଼ି ବାବଦକୁ ୧ଟଙ୍କା ୨୦ପଇସା, ୫ଗ୍ରାମ ତେଲ ପାଇଁ ୮୦ ପଇସା, ୬୦ ଗ୍ରାମ ପରିବା ପାଇଁ ୧ଟଙ୍କା ୭୦ ପଇସା ଓ ଜାଳେଣି ବାବଦକୁ ୫୦ ପଇସା ହିସାବ କରାଯାଇଛି । ସେହିପରି ଅଣ୍ଡା ତରକାରୀ ପାଇଁ ୮ଟଙ୍କା ଧାର୍ଯ୍ୟ କରାଯାଇଛି । ଅଣ୍ଡା ଗୋଟା ପିଛା ୫ଟଙ୍କା ରଖାଯାଇଥିବାବେଳେ ତେଲ, ପରିବା, ଜାଳେଣି ପାଇଁ ୩ଟଙ୍କା ରଖାଯାଇଛି । ଅଣ୍ଡା ଗୋଟାକୁ ବଜାରରେ ୭ଟଙ୍କା ପଡୁଥିବାବେଳେ ସ୍କୁଲ୍‌ କିପରି ୫ଟଙ୍କାରେ ଅଣ୍ଡା କିଣିବ ଏବଂ ତରକାରୀ ଯୋଗାଇ ଦେବ ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି । ନୂଆ ସରକାର ଏହା ଉପରେ ବିଚାର କରିବା ଆବଶ୍ୟକ ବୋଲି ଏମ୍‌ଡିଏମ୍‌ ବିଷୟ ବୁଝୁଥିବା ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.