ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଖଣ୍ଡଗିରି ଏବଂ ଜାଗମରାରେ ସର୍ବାଧିକ ଆକ୍ରାନ୍ତ, ଚିହ୍ନଟ ହେଲେଣି ୨୪୬ ରୋଗୀ

Published By : Prameya | August 1, 2024 1:44 PM

ଭୁବନେଶ୍ୱର,୦୧/୦୮: ସରକାରୀ ଓ ବେସରକାରୀ ଡାକ୍ତରଖାନାରେ  ପୁଳାପୁଳା ରୋଗୀ । ସରକାରୀ ହିସାବରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ସୁଦ୍ଧା  ୨୪୬ ପାର କରିଛି । ହେଲେ ବିଏମ୍‌ସି ଚେତୁନି । ମେୟରଙ୍କ ବି ଦେଖା ମିଳୁନି ।  

ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ପ୍ରତିଦିନ ୧୦ରୁ  ୧୫ ରୋଗୀ ଚିହ୍ନଟ ହେଉଛନ୍ତି । ଖଣ୍ଡଗିରି, ଜାଗମରାରେ ସର୍ବାଧିକ ଡେଙ୍ଗୁ ରୋଗୀ । ଛୋଟରୁ ବଡ଼ ସମସ୍ତେ ଡେଙ୍ଗୁର ଶିକାର । ଆଇଆର୍‌ସି ଭିଲେଜ୍‌ରେ ସ୍ଥିତି  ସାଂଘାତିକ । ବସ୍ତି, ଆପାର୍ଟମେଣ୍ଟ, ସରକାରୀ କାର୍ଯ୍ୟାଳୟ ସବୁଠି ଡେଙ୍ଗୁ ମଶା ଘୁରି  ବୁଲୁଛନ୍ତି । ଖଣ୍ଡଗିରିରୁ ୨୨, ମାଷ୍ଟରକ୍ୟଣ୍ଟିନରୁ ୧୨, ଆଇଆରସି ଭିଲେଜ୍‌ରୁ ୧୪ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଜୟଦେବ ବିହାରରେ ୧୦, ପଟିଆରୁ ୧୦  ରୋଗୀ ଚିହ୍ନଟ ହେଲେଣି । ଏହି ୫ ଅଞ୍ଚଳ ଏବେ ଅତି ସଂକ୍ରମିତ।  

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ନିୟମିତ ମଶା ଧୂଆଁ  ଦିଆହେଉନି । ମଶା ତେଲ ପଡୁନି । ବିଏମ୍‌ସି କର୍ମଚାରୀ କେବଳ  ଫଟୋ ଉଠାଇ କାମ ସାରିଦେଉଛନ୍ତି । ଏ ପରିସ୍ଥିତିରେ ଜନପ୍ରତିନିଧିଙ୍କର  ବି ଦେଖା ନାହିଁ । କର୍ପୋରେଟର ଓ ମେୟର ଥରୁଟିଏ ଦେଖିବାକୁ ଆସି ନାହାନ୍ତି । ଲୋକଙ୍କୁ ବିପଦ ମୁହଁରେ ଛାଡ଼ି ମଶା ଭୟରେ ସେମାନେ ବି  ଲୁଚିବା ଆରମ୍ଭ କଲେଣି ।  

ହସ୍ପିଟାଲରେ ଶଯ୍ୟା ମିଳୁନି । ଗୁରୁତର ରୋଗୀଙ୍କ ସଂଖ୍ୟା  ବଢିଚାଲିଛି । ବିଶେଷ କରି ପ୍ଲେଟଲେଟ୍‌ର ଅଭାବ ଦେଖାଦେଇଛି ।  ଦାତା ମିଳୁନଥିବାରୁ ଡେଙ୍ଗୁ ରୋଗୀଙ୍କ ପରିବାର ଏ ହସ୍ପିଟାଲରୁ  ସେ ହସ୍ପିଟାଲ ବୁଲୁଛନ୍ତି । ହେଲେ ସ୍ୱାସ୍ଥ୍ୟ ବିଭାଗ ଚୁପ ବସିଛି ।

ପଡ଼ିଆରେ ବୁଲୁଛି ମଶା ଗାଡ଼ି

କଲୋନିରେ ମଶାଙ୍କ ଉତ୍ପାତ । ଗଳିକନ୍ଦି ତ ପଛ କଥା ଘରେ ରଖେଇ ଦେଉନାହାନ୍ତି ମଶା । ବସ୍ତି ଅଞ୍ଚଳ ଅବସ୍ଥା ନ କହିଲେ ଭଲ । ସବୁଠି ମଶାଙ୍କ ଉପଦ୍ରବ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ଅନ୍ୟପକ୍ଷରେ ବିଏମ୍‌ସି ଗାଡ଼ି ମଶା ଧୂଆଁ ଛାଡ଼ୁଛି ଖୋଲା ପଡ଼ିଆରେ । ଗତକାଲି ନୂଆପଲ୍ଲୀ ପଡ଼ିଆରେ ମଶା ଗାଡ଼ି ଧୂଆଁ ଛାଡ଼ୁଥିବା ଦେଖାଯାଇଥିଲା । ପଡ଼ିଆରେ ୨ ରାଉଣ୍ଡ ବୁଲି ଧୂଆଁ ଦେଲା । ଏହାପରେ ୱାର୍ଡ ଭିତର ଜନବସତିକୁ ଯିବା ପରିବର୍ତ୍ତେ ଫେରି ପଳାଇଲା । ଲାଗୁଛି ଯେମିତି ଖୋଲା ପଡ଼ିଆରେ ଧୂଆଁଦେଇ ମଶାକୁ ଜନବସତି ଆଡକୁ ଯିବାକୁ ତଡ଼ାଯାଉଛି । ଖାଲି ଏଠି ନୁହେଁ, ସହର ସାରା ଜନବସତିରେ ମଶା ଧୂଆଁ ଗାଡ଼ିର ଦେଖା ମିଳୁନି । କିନ୍ତୁ ଧୂଆଁ ଗାଡ଼ି ସବୁଆଡ଼େ ବୁଲୁଛି ବୋଲି ବିଏମ୍‌ସି କହୁଛି ।

କୁଆଡ଼େ ଗଲା ନିଧି ରଥ ?

ଡେଙ୍ଗୁ ମଶା ତଥା ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବିଏମ୍‌ସି ପକ୍ଷରୁ ୬୭ ୱାର୍ଡରୁ ନିଧି ରଥ ବାହାରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଡେଙ୍ଗୁ ମଶା ସମ୍ପର୍କରେ ଲୋକଙ୍କୁ ବୁଝାଇବା । ଟାୟାର, କଟା ପଇଡ଼, ହାଣ୍ଡି ଓ ଫୁଲକୁଣ୍ଡରେ ପାଣି ଜମିଥିଲେ ହଟାଇବାକୁ ସଚେତନ କରିବ । ୩ଟି ଜୋନ୍‌ରେ ଏହି ରଥ ବୁଲିଥାନ୍ତା । ହେଲେ ଆଜି ପର୍ଯ୍ୟନ୍ତ ଏହି ରଥର ଦେଖାମିଳୁନି । ସେହିଭଳି ପ୍ରତି ଶୁକ୍ରବାରକୁ ଡ୍ରାଏ ଡେ ଘୋଷଣା କରାଯାଇଥିଲା । ହେଲେ ଏବେ ସ୍ୱାସ୍ଥ୍ୟକର୍ମୀ, ବିଏମ୍‌ସି କର୍ମଚାରୀ ଆଉ ବୁଲୁନାହାନ୍ତି । କେବଳ ଫଟୋ ଉଠାଇ କାମ ସାରି ଦେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.