ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ

Published By : Prameya | July 2, 2025 7:29 AM

ଭୁବନେଶ୍ୱର,୦୨/୦୭:  ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ,  ଜଳକାରେ ଜଳସ୍ତର ଖସିବାରେ ଲାଗିଛି ।  ବାଲେଶ୍ୱର, ମୟୂରଭଞ୍ଜରେ ଜଳମଗ୍ନ  ଅଞ୍ଚଳରେ ପାଣି କମିଛି । ହେଲେ  ଯାଜପୁର ଦଶରଥପୁରରେ ବିପଦ  ସଙ୍କେତ ଡେଇଁଛି ବ୍ରାହ୍ମଣୀ । ରାଜସ୍ୱ  ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ  ପୂଜାରୀ କହିଛନ୍ତି, ପାଣି ଖସିବା ମାତ୍ରେ  ତୁରନ୍ତ କ୍ଷୟକ୍ଷତି ଆକଳନ ହେବ ।  ସମସ୍ତ କ୍ଷତିଗ୍ରସ୍ତଙ୍କୁ ଶୀଘ୍ର କ୍ଷତିପୂରଣ  ରାଶି ଦିଆଯିବ । ଏପଟେ କିନ୍ତୁ, ସମ୍ଭାବ୍ୟ  ବର୍ଷାକୁ ନେଇ ଡର ଯାଉନି । ବିଶେଷ  କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା  ଆଶଙ୍କା ରହିଛି । ଯଦି ଏଭଳି ହୁଏ,  ତେବେ ନଦୀ ପୁଣି ଫୁଲିପାରେ । 

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ  ଅନେକ ସ୍ଥାନରେ ବର୍ଷା ସମ୍ଭାବନା  ରହିଛି । ବିଶେଷ କରି ଉତ୍ତର ପଶ୍ଚିମ  ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାର ସ୍ଥାନେ ସ୍ଥାନେ  ପ୍ରବଳ ବର୍ଷା ହୋଇପାରେ । ବୁଧବାର  ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ  ମଧ୍ୟମ ବର୍ଷା ସହ ମୟୂରଭଞ୍ଜ,  କେନ୍ଦୁଝର ଓ ସୁନ୍ଦରଗଡ଼ର ସ୍ଥାନେ  ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା  ଆଶଙ୍କା ଅଛି । ଦେବଗଡ଼, ଅନୁଗୁଳ,  ଢେଙ୍କାନାଳ, ସମ୍ବଲପୁର, ବରଗଡ଼ରେ  ପ୍ରବଳ ବର୍ଷା ହୋଇପାରେ । 

ଗୁରୁବାର  ମଧ୍ୟ ରାଜ୍ୟର ଅନେକ ସ୍ଥାନରେ  ବର୍ଷା ଓ ଝାରସୁଗୁଡ଼ାରେ ପ୍ରବଳରୁ  ପ୍ରବଳତର ଏବଂ ବରଗଡ଼, ନୂଆପଡ଼ା,  ବଲାଙ୍ଗୀରରେ ପ୍ରବଳ ବର୍ଷା ନେଇ  ସତର୍କ ସୂଚନା ଜାରି କରାଯାଇଛି ।  ଅନ୍ୟପଟେ ସୋଆ ଜଳବାୟୁ ଓ  ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର  ଶରତ ଚନ୍ଦ୍ର ସାହୁ କହିଛନ୍ତି, ଝାଡ଼ଖଣ୍ଡ  ଉପରେ ଆସନ୍ତା ୪ ତାରିଖବେଳକୁ  ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।  ଏହା ଝାଡ଼ଖଣ୍ଡରେ ବର୍ଷା ପୁଣି ବଢ଼ାଇବ । ଓଡ଼ିଶାରେ ୫ ତାରିଖବେଳକୁ  ବର୍ଷା ବଢ଼ିପାରେ । ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଏହା ସଂଲଗ୍ନ  ଅଞ୍ଚଳରେ ବର୍ଷା ବଢ଼ିବା ସମ୍ଭାବନା ଅଛି । 

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁ  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର ଓ  ଭଦ୍ରକ ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି । ଆଉ  ବର୍ଷା ନ ହେଲେ ବନ୍ୟା ଟଳି ଯିବ । ମୟୂରଭଞ୍ଜ ଓ  ବାଲେଶ୍ୱର ସ୍ଥିତି ସୁଧୁରିଛି । ବୈତରଣୀ, ବୁଢାବଳଙ୍ଗ  ଓ ସୁବର୍ଣ୍ଣରେଖା ନଦୀଟ ଜଳସ୍ତର ବିପଦ ସଂକେତ  ତଳକୁ ଆସିଲାଣି । ସୁନ୍ଦରଗଡ଼ ଓ ଝାରସୁଗୁଡ଼ା  ଜିଲ୍ଲା ପାଇଁ ବିପଦ ଥିବା ଇବ ନଦୀର ଜଳ ପତ୍ତନ  ମଧ୍ୟ ଖସିଲାଣି ।  

ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷର ସନ୍ଧ୍ୟା  ୬ଟାବେଳର ତଥ୍ୟ ଅନୁସାରେ ସୁବର୍ଣ୍ଣରେଖା  ଜଳସ୍ତର ଜାମଶୋଳାରେ ୪୯.୬୦ ମିଟର  ଥିଲା । ଏହା ବିପଦ ସଙ୍କେତ (୪୯.୧୬ ମିଟର) ଠାରୁ ଉପରେ ଥିଲେ ମଧ୍ୟ ଜଳସ୍ତର ଖସୁଛି ।  ରାଜଘାଟରେ ଜଳସ୍ତର ୧୦.୪୦ ମିଟର ଥିଲା । ଏହା  ବିପଦ ସଙ୍କେତ ୧୦.୩୬ ମିଟରଠାରୁ ସାମାନ୍ୟ  ଅଧିକ ଥିଲେ ମଧ୍ୟ ଜଳସ୍ତର କମିବାରେ ଲାଗିଛି ।  ଜଳକା ଜଳସ୍ତର ବିପଦ ସଙ୍କେତରୁ ଖସି ୬.୪୭  ମିଟରରେ ପହଞ୍ଚିଥିବାବେଳେ କ୍ରମଶଃ ହ୍ରାସ  ପାଉଛି । ବ୍ରାହ୍ମଣୀ ଜେନାପୁରରେ ୧୯.୨୨ ମିଟରରେ  ପ୍ରବାହିତ ହେଉଥିବାବେଳେ ଜଳସ୍ତର ସାମାନ୍ୟ  ବଢ଼ିଛି । ବୈତରଣୀ ଆଖୁଆପଦାରେ ୧୮.୧୧  ମିଟରରେ ପ୍ରବାହିତ ହେଉଥିବାବେଳେ ଜଳସ୍ତର  ହ୍ରାସ ପାଉଛି । ଆମ ଯାଜପୁର ପ୍ରତିନିଧିଙ୍କ ସୂଚନା  ଅନୁସାରେ ଦଶରଥପୁରରେ ବୈତରଣୀ ବିପଦ  ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ  ବିପଦ ସଙ୍କେତ ସ୍ତର ୯.୫୨ ମିଟର ଥିବାବେଳେ  ଜଳସ୍ତର ୧୧.୦୨ ମିଟର ଛୁଇଁଛି ।  

ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକାରେ  ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ନଦୀକୂଳିଆ ଲୋକଙ୍କ  ଦୁର୍ଦ୍ଦଶା ବଢ଼ିଛି । ବନ୍ୟାରେ ବସ୍ତା, ବାଲିଆପାଳ,  ଜଳେଶ୍ୱର ଓ ଜଳେଶ୍ୱର ମ୍ୟୁନିସିପାଲିଟି, ଭୋଗରାଇ,  ରେମୁଣା, ସଦର ବ୍ଲକ ପ୍ରଭାବିତ ହୋଇଛି ।  ଅଧିକ ସଙ୍ଗୀନ ଅବସ୍ଥା ଭୋଗରାଇ, ବାଲିଆପାଳ,  ଜଳେଶ୍ୱର, ବସ୍ତା ବ୍ଲକରେ । ଭୋଗରାଇ ବ୍ଲକରେ  ଏବେ ବି ୧୩ ପଞ୍ଚାୟତବାସୀ, ବାଲିଆପାଳ ବ୍ଲକର  ବିଷ୍ଣୁପୁର, ମଧୁପୁରା, ବାଲିଆପାଳ, ଅସ୍ତି, ଜାମକୁଣ୍ଡା  ପଞ୍ଚାୟତ, ଜଳେଶ୍ୱର ବ୍ଲକର ବାଇଗଣବାଡ଼ିଆ,  ଝାଡ଼ପିପ୍ପଳୀ, ପଶ୍ଚିମବାଡ଼, ଖାଲନା, ପାଇକସୁଧା,  ଆରଆରପୁର, ମହମ୍ମଦନଗରପାଟଣା, ବସ୍ତା ବ୍ଲକର  ହରଡ଼ା, ମୁକୁଳିସି, ସଦାନନ୍ଦପୁର, ବାହାର୍ଦ୍ଦା, କୁଡ଼ିଆ,  ମଥାନୀ ପଞ୍ଚାୟତରେ ଶହଶହ ଲୋକେ ଏବେବି  ପାଣି ଘେରରେ ଅଛନ୍ତି । ବନ୍ୟାରେ ବସ୍ତା ବ୍ଲକରେ  ଜଣେ ୩୨ ବର୍ଷର ଜଣେ ଯୁବକ ଭାସି ଯାଇଛନ୍ତି । ୬  ବ୍ଲକର ୫୩ଟି ପଞ୍ଚାୟତର ୨ଶହରୁ ଅଧିକ ଗାଁରେ  ବନ୍ୟା ଜଳ ପଶିଛି । ପ୍ରଶାସନ ପକ୍ଷରୁ ୩୬୫୬ ଜଣ  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।  ବୈତରଣୀର  ଜଳସ୍ତର ହ୍ରାସ ପାଉଥିବାରୁ ବନ୍ୟା ଆଶଙ୍କା ଟଳିବାରେ  ଲାଗିଛି । ମୟୂରଭଞ୍ଜରେ ବି ସ୍ଥିତି ସୁଧୁରୁଥିବା  ଜଣାପଡ଼ିଛି । 

ରାଜସ୍ୱ ମନ୍ତ୍ରୀ କହିଛନ୍ତି, ୭ ଦିନ ଯାଏ  ମାଗଣା ଖାଦ୍ୟ ସହ ରିଲିଫ ସେଣ୍ଟର ଚଳାଇବାକୁ  ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଅଞ୍ଚଳର ଯେଉଁ ଲୋକେ ରିଲିଫ ସେଣ୍ଟରରେ  ନାହାନ୍ତି, ତାଙ୍କ ଘରକୁ ଖାଦ୍ୟ ପହଞ୍ଚାଇ ଦିଆଯିବ ।  ଯେତେ ଶୀଘ୍ର ପାଣି ଖସିବ, ସେତେ ଶୀଘ୍ର କ୍ଷୟକ୍ଷତି  ଆକଳନ ହେବ । ସମ୍ପୂର୍ଣ୍ଣ ଆକଳନ ସରିବା  ପୂର୍ବରୁ ଆନୁମାନିକ ଆକଳନ କରି ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ  ଆକଳନ ଚାଲିଥିବ ଓ କ୍ଷତିପୂରଣ ବି ମିଳୁଥିବ ।  ଘର କିମ୍ବା ଫସଲ ନଷ୍ଟ ନେଇ ନିକଟସ୍ଥ ଆର୍‌ଆଇ  ଅଫିସରେ ପଞ୍ଜିକରଣ କରିବାକୁ ମନ୍ତ୍ରୀ ପରାମର୍ଶ  ଦେଇଛନ୍ତି । ପାଣି କମିବା ମାତ୍ରେ ସମସ୍ତ ଜଳ ଉତ୍ସକୁ  ବିଶୋଧନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ କୁହାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.