କଟକ,୦୩/୦୮: କଟକ ଜିଲ୍ଲା ବଡମ୍ବା ବ୍ଲକରେ ଘଟିଛି ଅମାନୁସିକ କାଣ୍ଡ । ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏହି ଘଟଣାରେ ସମ୍ପୃକ୍ତ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ବଡ଼ମ୍ବା ପୋଲିସ ।
ସୂଚନା ମୁତାବକ, ଗୋପୀନାଥପୁର ଗ୍ରାମର ସ୍ବର୍ଗତ ଦୁର୍ୟୋଧନ ଡ଼ାଳୁଆଙ୍କ ଝିଅ ଲିଜା ଡ଼ାଳୁଆ ଝାଜିଆ ଗ୍ରାମର ସର୍ବେଶ୍ୱର ସ୍ୱାଇଁଙ୍କୁ ବିବାହ କରିଥିଲେ । ବିବାହ ପରଠୁ ଅଧିକ ଯୌତୁକ ଆଣିବାକୁ ବାରମ୍ୱାର ବାଧ୍ୟ କରିଥିଲେ ସ୍ୱାମୀ ଏବଂ ଶାଶୁଘର ଲୋକେ । ଯାହା ଫଳରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଝଗଡାର ପରିଣାମ ଏତେ ଅଧିକ ହୋଇଯାଇଥିଲା ଯେ, ଗତକାଲି ବିଳମ୍ବିତ ରାତିରେ ତୁମ ଝିଅ ମରି ଯାଇଛି ବୋଲି ସର୍ବେଶ୍ୱର ଲିଜାଙ୍କ ମାଙ୍କୁ ଫୋନ ଯୋଗେ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଲିଜାଙ୍କ ପରିବାରଲୋକ । ସେଠାରେ ପହଞ୍ଚି ଝିଅର ମୃତଦେହ ଘରେ ପଡିଥିବାର ଦେଖି ବଡମ୍ବା ଥାନାକୁ ଖବର ଦେଇଥିଲେ । ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏଥି ସହିତ ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ବଡମ୍ବା ହସ୍ପିଟାଲକୁ ପଠାଇଛି । ଅନ୍ୟପଟେ ଏନେଇ ପରିବାର ଲୋକେ ବଡ଼ମ୍ବା ଥାନାରେ ଏକ ଯୌତୁକ ନିର୍ଯ୍ୟାତନା ଜନିତ ହତ୍ୟା ମାମଲା ରୁଜୁ କରିଛନ୍ତି । ଏହି ଏତଲା ଆଧାରରେ ମୃତ ଲିଜାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରଉଚରା କରୁଛି ।