ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଦଲଜିତଙ୍କୁ ଆଶ୍ୱସ୍ତି: ଘରୁ ଜିନିଷପତ୍ର କାଢି ପାରିବେନି ସ୍ୱାମୀ, କୋର୍ଟ ଦେଲେ ଷ୍ଟେ ଅର୍ଡର୍

ନୂଆଦିଲ୍ଲୀ ୧୬/୦୬: ମାତ୍ର ୮ ମାସ ମଧ୍ୟରେ ଅଭିନେତ୍ରୀ ଦଲଜିତ କୌରଙ୍କ ଦାମ୍ପତ୍ୟ ସମ୍ପର୍କ ଭାଙ୍ଗିବାକୁ ବସିଛି । ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଦଲଜିତ ଓ ତାଙ୍କ ସ୍ୱାମୀ ନିଖିଲ ପଟେଲ ପରସ୍ପର ବିରୋଧରେ ଖୋଲାଖୋଲି ଅଭିଯୋଗ ଆଣୁଛନ୍ତି । ନିକଟରେ ଦଲଜିତ ସୋସିଆଲ ମିଡିଆ ଜରିଆରେ ସ୍ୱାମୀଙ୍କ ବିରୋଧରେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର ଅଭିଯୋଗ କରିଥିଲେ । ଏହାର ଜବାବରେ ନିଖିଲ ତାଙ୍କୁ ନୋଟିସ୍‌ ପଠାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ । ଏଥିସହ କହିଥିଲେ, ଦଲଜିତ ଯଦି ତାଙ୍କ କେନ୍ୟା ସ୍ଥିତ ଘରୁ ନିଜ ଜିନିଷପତ୍ର ନ ନେବେ, ତେବେ ସେଗୁଡ଼ିକୁ ସେ ଦାନ କରିଦେବେ।

ଏ ମାମଲାରେ ଦଲଜିତ ମଧ୍ୟ ଏବେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦଲଜିତ ନିକଟରେ କେନ୍ୟା ଯାଇଥିଲେ । ଭାରତ ଫେରି ସୂଚନା ଦେଲେ, ନିଖିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନେରୋବି ସହରର ମିଲିମନି କୋର୍ଟରୁ ସେ ଷ୍ଟେ ଅର୍ଡର ଆଣିଛନ୍ତି । ଏବେ ନିଖିଲ ତାଙ୍କୁ କିମ୍ବା ତାଙ୍କ ପୁଅକୁ ନିଜ ଘରୁ ବାହାର କରିପାରିବେ ନାହିଁ କିମ୍ବା ତାଙ୍କ ଜିନିଷ ମଧ୍ୟ ବାହାରକୁ ଫିଙ୍ଗିପାରିବେ ନାହିଁ । ଗତ ୧୧ ତାରିଖରେ ନିଖିଲଙ୍କୁ କୋର୍ଟ ନୋଟିସ୍‌ ପଠାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ ତାରିଖରେ ହେବ । କେନ୍ୟାରୁ ଭାରତ ଫେରିବା ପରେ ଦଲଜିତ ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଶେୟାର କରି ଲେଖିଥିଲେ, ତୁମେ ଯାହା କହିଲ, ଆମେ ତୁମର ସବୁ କଥା ବିଶ୍ୱାସ କଲୁ । ତୁମ ବୁଢ଼ା ମା’ବାପା ମୋ ଅଭିଭାବକଙ୍କ ସାମ୍ନାରେ ତୁମକୁ ଠିକ୍‌ ଦର୍ଶାଇବା ଲାଗି ହାତ ଯୋଡ଼ିଲେ, ଆମେ ତାକୁ ମଧ୍ୟ ବିଶ୍ୱାସ କଲୁ । ଏବେ ତୁମମାନଙ୍କ ପ୍ରତି ମୋର ଆଉ ଦୟା ନାହିଁ । ମୁଁ ଜନ୍ମ ହୋଇଛି ଲଢ଼ିବା ପାଇଁ । ନିଖିଲ ଯାହା ବି କଲେ, ତାହା ଲଜ୍ୟାଜନକ । ସତ କଥା ହେଉଛି ଏ ମାମଲାରେ ପିଲା ବି ସାମିଲ।

ଦଲଜିତ ଗତ ବର୍ଷ ମାର୍ଚ୍ଚରେ କେନ୍ୟା ସ୍ଥିତ ବ୍ୟବସାୟୀ ନିଖିଲ ପଟେଲଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ନିଜ ପୁଅ ଜୋର୍ଡନ୍‌ଙ୍କ ସହ କେନ୍ୟା ଚାଲିଯାଇଥିଲେ । ଜୋର୍ଡନ୍‌ ତାଙ୍କ ପୂର୍ବ ସ୍ୱାମୀ ଶାଲିନ ଭାନୋଟଙ୍କ ପୁଅ । ଉଭୟଙ୍କ ବିବାହ ୨୦୧୫ ମସିହାରେ ଭାଙ୍ଗିଥିଲା । କେନ୍ୟା ଯିବାର ୮ ମାସ ପରେ ଦଲଜିତ ପୁଅ ସହ ଭାରତ ଫେରିଆସିଲେ । ଏହା ପରେ ସୋସିଆଲ ମିଡିଆ ଜରିଆରେ ଛାଡ଼ପତ୍ର ସଙ୍କେତ ଦେଇଥିଲେ । ସେବେଠୁ ନିଖିଲ ଓ ଦଲଜିତଙ୍କ ମଧ୍ୟରେ ବିଭିନ୍ନ ସାକ୍ଷାତକାର ଓ ସୋସିଆଲ ମିଡିଆ ପୋଷ୍ଟ୍‌ ଜରିଆରେ ବିବାଦ ଜାରି ରହିଛି । ନିଖିଲ ଏକ ସାକ୍ଷାତକାରରେ କହିଛନ୍ତି ଯେ ଦଲଜିତ କେନ୍ୟାରେ ନିଜକୁ ଆଡ୍‌ଜଷ୍ଟ କରିପାରୁ ନଥିଲେ । ଭାରତକୁ ସେ ବହୁତ ଝୁରୁଥିଲେ । ପୁଅର ସ୍କୁଲ ଆଳ ଦେଖାଇ ସେ ଭାରତ ଫେରିବାକୁ କହିଲେ ଆଉ ତା’ପର ଦିନ ଚାଲିଗଲେ । ସେହିଦିନଠୁ ଉଭୟଙ୍କ ସମ୍ପର୍କ ଭାଙ୍ଗିଗଲା ବୋଲି ନିଖିଲ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.