ପ୍ରମୂଖ ଖବର

ଗୁଗଲ୍‌କୁ ପୂରିଲା ୨୫ ବର୍ଷ, ବାର୍ଥ ଡେ’ରେ ଭାରତକୁ ଭେଟି ଦେଲା ଭୂକମ୍ପ ଆଲର୍ଟ ଫିଚର୍‌

ନୂଆଦିଲ୍ଲୀ, ୨୭/୦୯: ୨୫ ବର୍ଷରେ ପଦାର୍ପଣ କରିଛି  ଦୁନିଆର ଲୋକପ୍ରିୟ ଏବଂ ବହୁଳ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ । ୨୭ ସେପ୍ଟେମ୍ବର ୧୯୯୮ରୁ ଯାତ୍ରା ଆରମ୍ଭ ହୋଇଥିଲା ଗୁଗଲ ।  ଦୀର୍ଘ ୨୫ ବର୍ଷର ଯାତ୍ରା ମଧ୍ୟରେ ଏଥିରେ ଅନେକ କିଛି ପରିବର୍ତ୍ତନ ହୋଇଛି । ସବୁଦିନ ଅନ୍ୟ କାହାର ଡୁଡଲ୍‌ ତିଆରି କରୁଥିବା ଗୁଗଲ ସେପ୍ଟେମ୍ବର ୨୭ରେ ନିଜର ଡୁଡଲ୍‌ ସେୟାର କରିଛି । ୨୫ ତମ ଜନ୍ମଦିନ ପାଳନ କରିଛି ଗୁଗଲ୍‌ । ଗୁଗଲର ସ୍ରଷ୍ଟା ହେଉଛନ୍ତି ସର୍ଜି ବ୍ରିନ୍‌ ଏବଂ ଲ୍ୟାରି ପେଜ୍‌ । ୧୯୯୦ରେ ବ୍ରିନ୍‌ ଏବଂ ପେଜଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । 

ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ପ୍ରୋଗ୍ରାମିଂ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା । ଆଉ ପ୍ରଯୁକ୍ତିବିଦ୍ୟାକୁ ନେଇ ସେମାନଙ୍କ ଚିନ୍ତାଧାରା ସମାନ ଥିଲା । ତାପରେ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ର ଜନ୍ମ ନେବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  ଦୁଇ ଜଣ ହଷ୍ଟେଲ ରୁମ୍‌ରେ ଖୁବ ପରିଶ୍ରମ କରିବା ପରେ ଗୁଗଲ୍‌ର ଏକ ପ୍ରୋଟୋ ଟାଇପ୍‌ ତିଆରି କରିବାରେ ସକ୍ଷମ ହୋଇଥିଲେ । ଏହାକୁ  ସଫଳ କରିବା ଲାଗି ସେମାନେ ଏକ  ଗ୍ୟାରେଜ୍‌ ଭଡ଼ାରେ ନେଇଥିଲେ । ଗ୍ୟାରେଜରୁ ହିଁ ଆରମ୍ଭ ହୋଇଥିଲା ଗୁଗଲର କାର୍ଯ୍ୟାଳୟ । ପରେ ଏଥିରେ ଅନେକ ପରିବର୍ତ୍ତନ ହୋଇଛି  । 

ଆଉ ଏବେ ଗୁଗଲର ବ୍ୟବହାର ଛୋଟ ଠୁ ବଡ଼ ଅଫିସରେ ହେଉଛି । ସବୁ ବର୍ଗର ଲୋକେ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ର ବ୍ୟବହାର କରୁଛନ୍ତି । ଛୋଟ ହେଉ କି ବଡ଼ ଖବର, ଇତିହାସ ହେଉ କି ବିଜ୍ଞାନ ଯେକୌଣସି ସଂପର୍କରେ ଜାଣିବାକୁ ଚାହିଁଲେ ଗୁଗଲ୍‌ ଏହାର ଜବାବ ଦେଇପାରେ । ୧୯୯୮ରେ ଗ୍ୟାରେଜ୍‌ରୁ ଆରମ୍ଭ ହୋଇଥିବା ଗୁଗଲ୍‌ ଆଜି ଦୁନିଆର ସବୁଠାରୁ ବଡ଼ କମ୍ପାନୀ ମଧ୍ୟରେ ଗୋଟିଏ । ଆଉ ହଜାର ହଜାର କର୍ମଚାରୀ ଗୁଗଲରେ କାମ କରୁଥିବା ବେଳେ ଅନେକ ଏଥିରେ କାମ କରିବାକୁ ସ୍ବପ୍ନ ଦେଖୁଛନ୍ତି । ଏବେ ଗୁଗଲ୍‌ର ସିଇଓ ଅଛନ୍ତି ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇ । 

ସେ ଗୁଗଲର ୨୫ ତମ ଜନ୍ମଦିନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଆଉ ତାସହ ଏତେ ବର୍ଷର ଯାତ୍ରା ଏବଂ ଆହ୍ବାନ ସଂପର୍କରେ କହିବା ସହ ଏହାର କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି  ପିଚାଇ । ସେପଟେ ନିଜର ୨୫ ତମ ଜନ୍ମଦିନରେ ଭାରତ ପାଇଁ ନୂଆ ଟକନୋଲୋଜି ନେଇ ଆସିଛି ଗୁଗଲ । ଏଣ୍ଡ୍ରୋଏଡ୍‌ ୟୁଜର୍ସଙ୍କ ଲାଗି ଭୂକମ୍ପ ଆଲର୍ଟ ସିଷ୍ଟମ ଲଂଚ୍‌ କରିଛି ଗୁଗଲ। ପ୍ରାକୃତିକ ବିପର୍ଯ୍ୟୟ ଭୂକମ୍ପ ସଂପର୍କରେ ଏବେ ଭାରତୀୟଙ୍କୁ ଆଗୁଆ ସୂଚନା ମିଳିପାରିବ । 

ଏନେଇ ଗୁଗଲ ଭାରତର ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି-ଏନଡିଏମଏ ଏବଂ ନ୍ୟାସନାଲ୍‌ ସେସମୋଲୋଜି ସେଣ୍ଟର-ଏଏସସି ସହାୟତାରେ ଏହି ସିଷ୍ଟମ ବିକଶିତ କରିଛି । ଫୋନ୍‌ ଚାର୍ଜରେ ଲାଗିଥିବା ସମୟରେ ଭୂକମ୍ପ ନେଇ ଆଲର୍ଟ ଦେବ ଗୁଗଲର ଏହି ସିଷ୍ଟମ । ସମୟ ପୂର୍ବରୁ ସମ୍ଭାବ୍ୟ ଭୂକମ୍ପ, ଏହାର ତୀବ୍ରତା ଏବଂ କେନ୍ଦ୍ରସ୍ଥଳ ସଂପର୍କରେ ଜଣାଇବ କରାଇବ ଗୁଗଲର ଏହି ସିଷ୍ଟମ  । ବିଶ୍ବର ବିଭିନ୍ନ ଦେଶରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଏବେ ଭାରତୀୟ ଏହାର ବ୍ୟବହାର କରିପାରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.