ପ୍ରମୂଖ ଖବର

ଭାରତୀୟ ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ଦମଦାର ଶତକ ସହ ମ୍ୟାଚ ଜିତାଇଲେ ମ୍ୟାକ୍ସଓ୍ବେଲ

Image Courtesy: espncricinfo

ଗୌହାଟୀ: ଗୌହାଟୀର ବରସାପରା ଷ୍ଟାଡିୟମରେ ଦେଖିବାକୁ ମିଳିଛି ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଓ୍ବାର ଶୋ’ । ବିସ୍ଫୋରକ ଶତକ ସହ ଭାରତ ପାଖରୁ ମ୍ୟାଚ୍‌ ଛଡ଼ାଇ ନେଇଛନ୍ତି ମ୍ୟାକ୍ସଓ୍ବେଲ । ତୃତୀୟ ଟି-୨୦ ମ୍ୟାଚରେ ହିରୋ ସାଜିଲେ ଅଷ୍ଟ୍ରେଲିଆର ମ୍ୟାକ୍ସଓ୍ବେଲ । ସେପଟେ ୩-୦ରେ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଟିମ୍‌ ନିରାଶ ହୋଇଛି । ଆଜିର ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ କମାଲ ଦେଖିବାକୁ ମିଳିଥିଲା । ହେଲେ ବୋଲରମାନେ ଅଷ୍ଟ୍ରେଲିଆ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ । ଫଳରେ ୨୦ ଓଭର ଶେଷ ସୁଦ୍ଧା ମ୍ୟାଚ୍‌ ଜିତିନେଇଛି ଅଷ୍ଟ୍ରେଲିଆ । ୫ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ୨୨୫ ରନ୍‌ କରିଛି ।

ଆଜିର ମ୍ୟାଚ୍‌ରେ ଟ୍ରେଭିସ ହେଡ ୩୫ ରନ୍‌ କରିଥିବା ବେଳେ ଆରୋନ ହାର୍ଡି ୧୬ ରନ୍‌ କରି ଆଉଟ ହୋଇଥିଲେ । ଜୋସ୍‌ ଇଂଲିଶ୍‌ ୧୦ ରନ୍‌, ମାର୍କସ ଷ୍ଟୋଇନିସ୍‌ ୧୭ ରନ୍‌ ଏବଂ ଟିମ୍‌ ଡେଭିଡ୍‌ ଶୂନ ରନ୍‌ରେ ଆଉଟ ହୋଇଥିଲେ । ହେଲେ ମ୍ୟାକ୍ସଓ୍ବେଲଙ୍କୁ ଆଉଟ କରିପାରି ନଥିଲେ ଭାରତୀୟ ବୋଲର । ଶେଷରେ ଅଧିନାୟକ ମାଥ୍ୟୁ ଓ୍ବେଡଙ୍କ ସହଯୋଗ ବଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୦୪ ରନ୍‌ କରି ଦଳକୁ ଜିତାଇଦେଇଛନ୍ତି । ସେପଟେ ପ୍ରସିଦ୍ଧ କୃଷ୍ଣା ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । 

୪ ଓଭରରେ ସର୍ବାଧିକ ୬୮ ରନ୍‌ ଦେଇଥିବା ବେଳେ ଗୋଟିଏ ବି ଓ୍ବିକେଟ ନେଇ ପାରିନଥିଲେ । ଶେଷ ଓଭରରେ ଅଷ୍ଟ୍ରେଲିଆକୁ ୨୧ ରନ୍‌ କରିବାର ଥିଲା । ଆଉ ବୋଲିଂ କରିବାକୁ ଆସିଥିବା ପ୍ରସିଦ୍ଧ କୃଷ୍ଣା ଫେଲ ମାରିଥିଲେ । ମ୍ୟାକ୍ସଓ୍ବେଲ ଏବଂ ଓ୍ବେଡଙ୍କ ସାମ୍ନାରେ ଅସାହାୟ ହୋଇପଡ଼ିଥିଲେ ପ୍ରସିଦ୍ଧ କୃଷ୍ଣା । ସେପଟେ ରବି ବିଷ୍ଣୋଇ ୩୨ ରନ୍‌ ସର୍ବାଧିକ ୨ଟି ଓ୍ବିକେଟ ନେଇଥିବା ବେଳେ ଆଭେଶ ଖାନ, ଅର୍ଶଦୀପ ସିଂ ଏବଂ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।  

ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଋତୁରାଜ ଟି-୨୦ କ୍ୟାରିୟରର ସର୍ବଶ୍ରେଷ୍ଠ ଶତକୀୟ ଇନିଂସ ଖେଳିଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୨ ରନ କରିଥିଲା । ଗାଏକଓ୍ଵାଡ ୫୭ ବଲରୁ ୧୩ ଚୌକା ଓ ୭ ଛକା ସହ ୧୨୩ ରନର ଅପରାଜିତ ବିସ୍ପୋରକ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ୩୯ ରନ ଓ ତିଳକ ବର୍ମା ଅପରାଜିତ ୩୧ ରନ କରିଥିଲେ । ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ପାଇଁ ଅଷ୍ଟ୍ରେଲିଆ ସାମ୍ନାରେ ଥିଲା ୨୨୩ ରନର ବିଜୟ ଲକ୍ଷ୍ୟ । ଆଉ ଏହି ଲକ୍ଷ୍ୟ ବଡ଼ ଆରାମରେ ହାସଲ କରିନେଇଛି ଅଷ୍ଟ୍ରେଲିଆ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.