ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଭାରତରେ ବିମାନବନ୍ଦର ବନ୍ଦ ଏବଂ ଉଡ଼ାଣ ରଦ୍ଦ ସମ୍ପର୍କିତ ରିପୋର୍ଟଗୁଡ଼ିକ ଉପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। କାରଣ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାରତରେ ବେସାମରିକ ବିମାନ ଚଳାଚଳ କରୁଥିବା ଏୟାରଲାଇନ୍ସ ଏବଂ ବିମାନବନ୍ଦରଗୁଡ଼ିକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ବନ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ପୋଷ୍ଟ ଭାଇରାଲ ହେବାରେ ଲାଗିଥିଲା। ଏହାସହ ସମସ୍ତ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ସେକେଣ୍ଡାରୀ ଲେଡର ପଏଣ୍ଟ ଚେକିଙ୍ଗ (SLPC) କରାଯିବ ଓ ଟର୍ମିନାଲ କୋଠାରେ ପରିଦର୍ଶକଙ୍କ ପ୍ରବେଶକୁ ନିଷିଦ୍ଧ କରାଯିବ ବୋଲି ଉଲ୍ଲେଖ ରହିଥିଲା। ଏହାର ପ୍ରତିକ୍ରିୟାରେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ସମସ୍ତ ଘଟଣାର ସତ୍ୟାସତ୍ୟ ନାହିଁ ବୋଲି ଘୋଷଣା କରିଛି।
ଭାରତର ସିଭିଲ ଏଭିଏସନ ସିକ୍ୟୁରିଟି ବ୍ୟୁରୋ ଏନେଇ ପ୍ରତିକ୍ରିୟା ରଖି କହିଛି ଯେ, “ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୁର’ ପରେ ଉତ୍ତର ଏବଂ ପଶ୍ଚିମ ଭାରତର ୧୮ଟି ବିମାନବନ୍ଦର ବନ୍ଦ ହୋଇଛି ଏବଂ ୨୦୦ରୁ ଅଧିକ ଉଡ଼ାଣ ରଦ୍ଦ ହୋଇଛି। ପାକିସ୍ତାନର ଡ୍ରୋନ ଆକ୍ରମଣ ପରେ ଜମ୍ମୁ, ଶ୍ରୀନଗର, ଲେହ୍, ଅମୃତସର, ଧରମଶାଲା, ପାଠାଙ୍କୋଟ, ଜୋଧପୁର, ଜୟସଲମେର, ଶିମଲା ଏବଂ ଜାମନଗର ଭଳି ପ୍ରମୁଖ ବିମାନବନ୍ଦରରେ ଉଡ଼ାଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ୩୫ଟି ଉଡ଼ାଣ ରଦ୍ଦ ହୋଇଛି, ଯାହା ମଧ୍ୟରେ ୨୩ଟି ଘରୋଇ ଏବଂ ୪ଟି ଆନ୍ତର୍ଜାତୀୟ ଉଡ଼ାଣ ରହିଛି।”
ଏହା ଦ୍ୱାରା ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସଜେଟ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଆକାସା ଏୟାର ସମେତ ଅନେକ ବିଦେଶୀ ଏୟାରଲାଇନ୍ସ ପ୍ରଭାବିତ ହୋଇଛି। ଇଣ୍ଡିଗୋ ଏକାକୀ ୧୬୫ଟି ଉଡ଼ାଣ ରଦ୍ଦ କରିଛି। କତାର ଏୟାରୱେଜ୍ ପାକିସ୍ତାନରେ ବନ୍ଦ ହୋଇଥିବା ଏୟାରସ୍ପେସ୍ ଯୋଗୁଁ ସେମାଙ୍କ ଉଡ଼ାଣ ସ୍ଥଗିତ ରଖିଛି।
ଭାରତୀୟ ଏୟାରସ୍ପେସ୍ ଉପରେ କଡ଼ା ନଜର ରଖାଯାଉଛି। ଡିଜିସିଏ (DGCA) ପରିସ୍ଥିତି ଉପରେ ନଜର ରଖିଛି ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଜମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବରେ ଆକ୍ରମଣର ସମ୍ଭାବନାକୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ନିଜ ଏୟାରସ୍ପେସ୍ ବନ୍ଦ କରିଛି ଏବଂ ଇସଲାମାବାଦରେ ସ୍କୂଲ ବନ୍ଦ ରହିଛି। ପାକିସ୍ତାନ ଦାବି କରିଛି ଯେ ସେମାଙ୍କ ସେନା ଭାରତୀୟ ଡ୍ରୋନ ଏବଂ ମିସାଇଲକୁ ନଷ୍ଟ କରିଛି, ତେବେ ଭାରତ ଏହି ଖବରକୁ ଖଣ୍ଡନ କରିଛି।
ପାକିସ୍ତାନ ଜମ୍ମୁ ଅଞ୍ଚଳରେ ଆଠଟି ମିସାଇଲ ନିକ୍ଷେପ କରିଥିଲା, ଯାହାକୁ ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିଲା। ଜମ୍ମୁର ସାମ୍ବା ଜିଲ୍ଲାରେ ଭାରୀ ଆର୍ଟିଲେରୀ ଗୁଳିଚାଳନା ଏବଂ ସାତୱାରୀ କ୍ୟାଣ୍ଟନମେଣ୍ଟରେ ଆକ୍ରମଣ ରିପୋର୍ଟ ହୋଇଛି। କାଶ୍ମୀରର ବାରାମୁଲା, କୁପୱାଡ଼ା, ଶ୍ରୀନଗର ଏବଂ ଆୱାନ୍ତୀପୁରା ନିକଟବର୍ତୀ ସ୍କୂଲଗୁଡ଼ିକ ୯ ଓ ୧୦ ମଇ ପାଇଁ ବନ୍ଦ ରହିବ।
ଭାଇରାଲ ହେଉଥିବା କେତେକ ରିପୋର୍ଟରେ ବିମାନବନ୍ଦର ବନ୍ଦ ଏବଂ ଉଡ଼ାଣ ରଦ୍ଦ ସମ୍ପର୍କରେ ଅତିରଞ୍ଜିତ ଦାବି କରାଯାଇଥିଲା। ସରକାରୀ ସୂତ୍ର ସ୍ପଷ୍ଟ କରିଛି ଯେ ଏହା ଏକ ଜାତୀୟ ଜରୁରୀ ପରିସ୍ଥିତି ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଯାତ୍ରୀମାନଙ୍କୁ ଏୟାରଲାଇନ୍ସ ସହ ଯୋଗାଯୋଗ କରି ସୂଚନା ନେବାକୁ ପରାମର୍ଶ ଦିଆଯାଇଛି।