ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଭୁବନେଶ୍ୱରରେ କିଏ ଦେଖାଇବ ଦବ୍‌ଦବା ? ଅପରାଜିତାଙ୍କୁ ଅଟକାଇପାରିବେ କି କ୍ୟାପଟେନ୍‌ ମନ୍ମଥ ?

ଭୁବନେଶ୍ୱର, ୨୨।୫: ବିଜେପି ନାରା ଦେଉଛି, ଆଉ ଥରେ ଅପରାଜିତା । ବିଜେଡିର ସ୍ୱର-ଏଥର ମନ୍ମଥ । ୟାସିର କହିଲେଣି-କଂଗ୍ରେସ ଆସୁଛି । ଘମାଘୋଟ ଲଢ଼େଇ । ଚାଲିଛି ଧମାଧମ ପ୍ରଚାର । ଶ୍ୱାସରୁଦ୍ଧ ହେଲା ଭଳି ଧାଉଁଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । କ’ଣ ହେବ ଫଳାଫଳ ? ଭୁବନେଶ୍ୱରରେ କିଏ ଜିତିବ ? କାହାକୁ ଭରସିବେ ଭୋଟର ? ଅପରାଜିତାଙ୍କୁ ଅଟକାଇପାରିବେ କି କ୍ୟାପଟେନ୍‌ ମନ୍ମଥ ? ବିଜେଡି-ବିଜେପି ବିଗ୍‌ ଫାଇଟ୍‌ରେ ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ । କେତେ ଭୋଟ ହାତେଇବେ ଓ ହରାଇବ କଂଗ୍ରେସ ? କାହା ଖେଳ ବିଗାଡ଼ିବେ ୟାସିର ? ଏସବୁ ଚର୍ଚ୍ଚା ଭୁବନେଶ୍ୱର ଲୋକସଭା ଆସନର ଦୌଡ଼ରେ ବଢ଼ାଇ ଦେଇଛି ରୋମାଞ୍ଚ । ଲଗାତାର ୫ ଥର ଭୁବନେଶ୍ୱର ଆସନକୁ ବିଜେଡି ନିଜ ଦଖଲରେ ରଖିଥିଲା । 

୨୦୧୯ରେ ଅପରାଜିତା ଷଡ଼ଙ୍ଗୀ ବିଜେଡି ଗଡ଼କୁ ଭାଙ୍ଗି ବିଜେପି ପତାକା ଉଡ଼ାଇଥିଲେ । ସମସ୍ତ ୭ଟି ଯାକ ବିଧାନସଭାରେ ବିଜେପି ବିଧାୟକ ପ୍ରାର୍ଥୀ ହାରିଥିଲେ ବି ଅପରାଜିତା ୨୩ ହଜାର ଭୋଟ ବ୍ୟବଧାନରେ ଜିତିଥିଲେ । ବିଜେପି ୪ ଲକ୍ଷ ୮୬ ହଜାର, ବିଜେଡି ୪ ଲକ୍ଷ ୬୩ ହଜାର, ସିପିଆଇଏମ୍‌ ୨୩ ହଜାର ଭୋଟ ପାଇଥିଲେ । ଅପରାଜିତା ପୁଣି ଭୁବନେଶ୍ୱର ଦଖଲ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଅନ୍ୟପକ୍ଷରେ ବିଜେଡି ନୂଆ ନୂଆ ସମୀକରଣ ଧରି ମଇଦାନକୁ ଓହ୍ଲାଇଛି । ବିଜେଡିରୁ ଶ୍ରୀମୟୀ ମିଶ୍ର ସାଂସଦ ପ୍ରାର୍ଥୀ ହେବା ଏକପ୍ରକାର ଚୂଡ଼ାନ୍ତ ବୋଲି କିଛି ମାସ ଆଗରୁ କୁହାଯାଉଥିଲା । ମାତ୍ର ସରପ୍ରାଇଜ୍‌ କାର୍ଡ ଖେଳି ଜଟଣୀ ବିଧାୟକ ତଥା ପୂର୍ବତନ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ କ୍ୟାପଟେନ୍‌ ମନ୍ମଥ ରାଉତରାୟଙ୍କୁ ବିଜେଡି ଅପରାଜିତାଙ୍କ ବିରୋଧରେ ପ୍ରାର୍ଥୀ କରିଛି । ଦଳର ହିସାବସୁରଙ୍କ ଭୋଟ ବିଜେଡି ଖାତାକୁ ଆସିବ । ଜଟଣୀ ଭୋଟର ଏକମୁହାଁ ହୋଇ ଯୋଡ଼ି ଶଙ୍ଖରେ ଭୋଟ ବର୍ଷା କରିବେ । ୨୦୧୯ରେ କଂଗ୍ରେସରୁ କୌଣସି ପ୍ରାର୍ଥୀ ମଇଦାନରେ ନଥିଲେ । ଏଥର ଦଳ ସ୍ଥାନୀୟ ଚେହେରା ଭାବେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଟିକଟ ଦେଇଛି । ୟାସିର ଆସିବା ପରେ କଂଗ୍ରେସ ଭୋଟ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି । ମଇଦାନରେ ହାତ ଚିହ୍ନ ନଥିବାରୁ ୨୦୧୯ ଲୋକସଭାରେ କଂଗ୍ରେସ ଭୋଟ ଉଭୟ ବିଜେପି ଓ ବିଜେଡି ଆଡ଼କୁ ମୁହାଁଇଥିଲା । ପରିବର୍ତ୍ତନ ଚାହୁଁଥିବା କଂଗ୍ରେସ ସମର୍ଥକ ଅପରାଜିତାଙ୍କୁ ସମର୍ଥନ ଜଣାଇଥିଲେ । 

ଅପରପକ୍ଷରେ ସଂଖ୍ୟାଲଘୁ ଭୋଟ ବିଜେଡିକୁ ବେଶି ମିଳିଥିଲା । କଂଗ୍ରେସ ୨୦୦୯ରେ ୧ ଲକ୍ଷ ୪୭ ହଜାର ଭୋଟ ଓ ୨୦୧୪ରେ ୧ ଲକ୍ଷ ୪୫ ହଜାର ଭୋଟ ପାଇଥିଲା । ଏଥର କଂଗ୍ରେସ ନିଜ ଭୋଟ ବ୍ୟାଙ୍କ ଫେରି ପାଇବାକୁ କସରତ ଚଳାଇଛି । ଦଳର ମୁଖ୍ୟ ଫୋକସ୍‌ ରହିଛିଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଜୟଦେବ ଉପରେ । ୟାସିରଙ୍କ ଭୋଟ ବଢ଼ିଲେ କାହା ଅଙ୍କ ବିଗିଡ଼ିବ, ତାହା କହିବା ମୁସ୍କିଲ । ରାଜନୈତିକ ସମୀକ୍ଷକଙ୍କ ମତରେ, କଂଗ୍ରେସ ଭୋଟ ବଢ଼ୁ କି ଛିଡୁ, ତାହା ହେବ ନିର୍ଣ୍ଣାୟକ । ଇତିମଧ୍ୟରେ ବିଭିନ୍ନ ଆସନର ଅଙ୍କ ଗୋଳମାଳିଆ ହୋଇଛି । ଜୟଦେବରେ ଦୁଇ ଥର ବିଧାୟକ ହୋଇଥିବା ଅରବିନ୍ଦ ଢାଲି ବିଜେଡି ଛାଡ଼ି ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଢାଲିଙ୍କୁ ଟିକଟ ମିଳିବାରୁ ବିଜେପିରେ ଫାଟ ବଢ଼ିଛି । ସତ୍ୟପ୍ରିୟ ବେହେରା ନିର୍ଦ୍ଦଳୀୟ ଲଢ଼ୁଛନ୍ତି । ଗତ ଥର ନିର୍ଦ୍ଦଳୀୟ ଲଢ଼ି ଢାଲିଙ୍କୁ ଟକ୍କର ଦେଇଥିବା ନବ କିଶୋର ମଲ୍ଲିକ ଏଥର ବିଜେଡିରୁ ବିଧାୟକ ପ୍ରାର୍ଥୀ । 

୨୦୧୯ରେ ଜୟଦେବରେ ବିଜେଡି ସାଂସଦ ପ୍ରାର୍ଥୀ ୨୦ ହଜାର ଭୋଟରେ ଆଗୁଆ ଥିଲେ । ଏଥର ବିଜେଡି ତା’ ଗଡ଼ ରଖିବ ନା ବିଜେପି ବଳ ବଢ଼ିବ, ତାହା ବଡ଼ ପ୍ରଶ୍ନ । ବେଗୁନିଆ ଓ ଖୋର୍ଦ୍ଧା ଗଣିତ ବି ବଦଳିଛି । ବିଜେଡିରୁ ବିଦା ହେବା ପରେ ପ୍ରଶାନ୍ତ ଜଗଦ୍ଦେବ ଏଥର ଖୋର୍ଦ୍ଧାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ପ୍ରଶାନ୍ତଙ୍କୁ ଟିକଟ ମିଳିବାରୁ କାଳୁ ଖଣ୍ଡାୟତରାୟ ନିର୍ଦ୍ଦଳୀୟ ଲଢ଼ୁଛନ୍ତି । ଏବେ ସେ ଅପରାଜିତାଙ୍କ ବିରୋଧରେ ନିଆଁ ଉଗାଳୁଛନ୍ତି । ୨୦୧୯ରେ ଖୋର୍ଦ୍ଧାରୁ ସର୍ବାଧିକ ୧୫ ହଜାରରୁ ଅଧିକ ଭୋଟରେ ଆଗୁଆ ଥିଲେ ଅପରାଜିତା । ରାଜେନ୍ଦ୍ର ସାହୁ ବେଗୁନିଆ ଛାଡ଼ି ପୁଣି ଖୋର୍ଦ୍ଧାରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ଟିକଟ କଟିବା ପରେ ବିଧାୟକ ଜିତୁ ମିତ୍ରଙ୍କ ଶିବିର ଅସନ୍ତୁଷ୍ଟ ଥିବା କୁହାଯାଉଛି । ଜିତୁଙ୍କ ସମର୍ଥକ ବିଜେଡିର ମିତ୍ର ହୋଇ ରହିବେ ନା ବିରୋଧୀ କ୍ୟାମ୍ପ୍‌ ପାଇଁ କାମ କରିବେ, ତାହା ଫଳାଫଳରୁ ଜଣାପଡ଼ିବ । ବେଗୁନିଆରେ ଗତ ଥର ବିଜେପି-ବିଜେଡି କଡ଼ା ଟକ୍କର ଥିଲା । ମାତ୍ର ୨୭୦୦ ଭୋଟରେ ଅପରାଜିତା ବିଜେଡିଠାରୁ ଆଗରେ ଥିଲେ । 

ଏଥର ବେଗୁନିଆରେ ବିଜେଡି ବିଧାୟକ ପ୍ରାର୍ଥୀ ଅଛନ୍ତି ପ୍ରଦୀପ ସାହୁ । କଂଗ୍ରେସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ଲଢ଼ୁଛନ୍ତି ବିଧାନସଭା ପାଇଁ । ଏଥର ବେଗୁନିଆରେ ବିଧାନସଭା ପାଇଁ ବିଜେଡି-କଂଗ୍ରେସ ଲଢ଼େଇ ତେଜିଥିବାବେଳେ ସାଂସଦ ଭୋଟ କୁଆଡ଼େ ମୁହାଁଇବ, କେହି ଠଉରାଇପାରୁନାହାନ୍ତି । ବେଗୁନିଆରୁ ଭୋଟ ବଢ଼ାଇବାକୁ ଅପରାଜିତା, ମନ୍ମଥ ଓ ୟାସିର ଘନଘନ ପ୍ରଚାର ଚଳାଇଛନ୍ତି । ଜଟଣୀରେ ୨୦୧୯ରେ କଡ଼ା ଟକ୍କର ଥିଲା ବିଜେଡି ଓ ବିଜେପି ଲୋକସଭା ପ୍ରାର୍ଥୀଙ୍କ ଭିତରେ । ବିଜେଡିକୁ ୭୨ ହଜାରରୁ ଅଧିକ, ବିଜେପିକୁ ୭୩ ହଜାରରୁ ଅଧିକ ଭୋଟ ମିଳିଥିଲା । ଜଟଣୀରେ ବହୁ ସଂଖ୍ୟାରେ କଂଗ୍ରେସ ଭୋଟ ଗତ ଥର ଲୋକସଭାରେ ବିଜେପି ମୁହାଁ ହୋଇଥିଲା । ଜଟଣୀ ହିଁ ଅପରାଜିତାଙ୍କ ବିଜୟରେ ବଡ଼ ଭୂମିକା ନେଇଥିଲା । ଏଥର ଜଟଣୀରେ ଗଣିତ ପୂରା ଓଲଟପାଲଟ । ମନ୍ମଥ ବିଜେଡି ଲୋକସଭା ପ୍ରାର୍ଥୀ ହେବା ପରେ ସୁରଙ୍କ ସଂଗଠନ ବି ତାଙ୍କ ପଛରେ ଛିଡ଼ା ହୋଇଛି । ସୁର ବୁଲି ବୁଲି ମନ୍ମଥଙ୍କ ପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ଭୋଟ ମାଗୁଛନ୍ତି । ଲୋକସଭା ପ୍ରାର୍ଥୀ ୟାସିରଙ୍କ ସହ ଜଟଣୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା ଏକାଠି ବୁଲିବା ପରେ କଂଗ୍ରେସ କର୍ମୀଙ୍କ ମନୋବଳ ବି ବଢ଼ିଛି । ଜଟଣୀରେ କଂଗ୍ରେସ ଭୋଟ ଏଥର କୁଆଡ଼େ ଯିବ, ତାହା ଭୁବନେଶ୍ୱରର ଭାଗ୍ୟଫଳ ତିଆରି କରିବ । ଗତ ଥର ଭୁବନେଶ୍ୱରର ୩ଟି ଯାକ ଆସନକୁ ମିଶାଇଲେ ପ୍ରାୟ ୨୫ ହଜାର ଭୋଟରେ ଆଗୁଆ ଥିଲେ ଅପରାଜିତା । 

କେବଳ ଉତ୍ତରରେ ବିଜେଡି ଛୋଟ ବ୍ୟବଧାନରେ ଆଗୁଆ ଥିଲା । ମାତ୍ର ବିଜେପି ଏକାମ୍ରରେ ପ୍ରାୟ ୧୦ ହଜାର ଓ ମଧ୍ୟ ଭୁବନେଶ୍ୱରରେ ୧୩ ହଜାର ଭୋଟରେ ଆଗୁଆ ଥିଲା । କଡ଼ା ସଂଘର୍ଷ ଥିଲା ତିନୋଟି ଯାକ ନିର୍ବାଚନମଣ୍ଡଳୀରେ । ଏଥର ବି ପୂରା ଟକରାଟକରି । ଉଭୟ ଅପରାଜିତା ଓ ମନ୍ମଥ ଘନଘନ ପ୍ରଚାର ଚଳାଇଛନ୍ତି । ବିଜେଡି ବିଧାନସଭାରେ ତିନୋଟି ଯାକ ଆସନରେ ପ୍ରାର୍ଥୀ ରିପିଟ୍‌ କରିଛି । ବିଜେପି ଉତ୍ତର ଭୁବନେଶ୍ୱରରେ ବିଜେଡି ଛାଡ଼ି ଆସିଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଛିଡ଼ା କରାଇଛି । ଅପରାଜିତାଙ୍କ ବିରୋଧରେ ତାଙ୍କର କିଛି ପୁରୁଣା ଅନୁଗତ ରାଜଧାନୀରେ ବିଦ୍ରୋହ ତେଜିଛନ୍ତି । ଅନ୍ୟପଟେ ବିଧାୟକ ଟିକଟ ନେଇ ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କୁ ଦଳ କେତେ ଦୂର ମ୍ୟାନେଜ୍‌ କରିପାରିଛି, ତାହା ନିର୍ବାଚନ ଫଳ କହିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.