ବର୍ମିଂହାମ, ୦୨/୦୭: ଆଜିଠୁ ଦ୍ୱିତୀୟ ଟେଷ୍ଟ । ଏଜବାଷ୍ଟନ ବିଫଳତାରେ ପୂର୍ଣ୍ଣଛେଦ ପକାଇ ବିଜୟର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଭାରତୀୟ ଦଳ ପ୍ରସ୍ତୁତ । ୧-୦ରେ ସିରିଜ ଆଗୁଆ ରହିଥିବା ଘରୋଇ ଇଂଲଣ୍ଡ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଫଳରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହେବା ଏକ ପ୍ରକାର ନିଶ୍ଚିତ । ପ୍ରଥମ ଟେଷ୍ଟ ପରାଜିତ ହେବା ପରେ ଭାରତ ବର୍ତ୍ତମାନ ଚାପରେ ରହିଛି । ଯଥା ସମ୍ଭବ ସହଳ ସିରିଜକୁ ଫେରିବାକୁ ଦଳ ତତ୍ପର । ମାତ୍ର ଏଜବାଷ୍ଟନର ପୂର୍ବ ରେକର୍ଡ ସବୁ ଇଂଲଣ୍ଡ ପକ୍ଷରେ ରହିଛି । ଏଠାରେ ଉଭୟ ଦଳ ମଧ୍ୟରେ ୮ଟି ଟେଷ୍ଟ ଖେଳାଯାଇଛି ଓ ଭାରତ ୭ଟି ମ୍ୟାଚ୍ ହାରିଛି । ଅନ୍ୟ ଟେଷ୍ଟ ଡ୍ର’ ରହିଛି ।୨୦୨୨ରେ ଶେଷ ଥର ପାଇଁ ଉଭୟ ଦଳ ଏଠାରେ ସାମ୍ନା ସାମ୍ନି ହୋଇଥିଲେ । ୩୭୮ ରନ୍ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା ।
୧ସ୍ଥାନ, ୩ ଦାବିଦାର
ଭାରତ ଆଜି ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ପ୍ରଥମ ଟେଷ୍ଟରେ ନିରାଶ କରିଥିବା ସର୍ଦୁଲ ଠାକୁର ବାଦ ପଡ଼ିବା ନିଶ୍ଚିତ। ମାତ୍ର ଏହି ଗୋଟିଏ ସ୍ଥାନ ପାଇଁ ୩ଜଣ ଦାବିଦାର ରହିଛନ୍ତି । ବ୍ୟାଟିଂ ଅଲ୍ରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଏହି ସ୍ଥାନରେ ଖେଳାଇବା ପାଇଁ ବିଚାର କରାଯାଉଛି । କିନ୍ତୁ ଭାରତ ୨ଜଣ ସ୍ପିନର ନେଇ ଖେଳିବାକୁ ମଧ୍ୟ ଯୋଜନା କରୁଛି । ଦ୍ୱିତୀୟ ସ୍ପିନର ଭାବେ ୱାସିଂଟନ ସୁନ୍ଦର ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯାଇପାରେ । ଏହି ଦୌଡ଼ରେ ସୁନ୍ଦର ଆଗରେ ରହିଛନ୍ତି । ସେ ଖେଳିଲେ ବ୍ୟାଟିଂ ବିଭାଗ ଲମ୍ବା ହୋଇପାରିବ । ଏଜବାଷ୍ଟନରେ ଅଫ ସ୍ପିନରଙ୍କ ପ୍ରଦର୍ଶନ ଉନ୍ନତ ରହିଛି । ଏଠାରେ ପୂର୍ବରୁ ନାଥାନ ଲାୟନ, ମୋଇନ ଅଲି ଓ ରବି ଚନ୍ଦ୍ରନ ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରିସାରିଛନ୍ତି । ତେଣୁ ସୁନ୍ଦର ଏକାଦଶରେ ସ୍ଥାନ ପାଇବା ପାଇଁ ସବୁଠୁ ଆଗରେ ରହିଛନ୍ତି ।
ବୁମରାଙ୍କ ସ୍ଥାନରେ କିଏ?
ବୁମରା ଦ୍ୱିତୀୟ ଟେଷ୍ଟ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସାମ୍ବାଦିକ ସମ୍ମିଳନୀ ଅବସରରେ ଅଧିନାୟକ ଶୁଭମନ ଗିଲ ପ୍ରକାଶ କରିଛନ୍ତି। ତଥାପି ଟସ୍ ବେଳେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ମାତ୍ର ଯାହା ଜଣା ପଡ଼ୁଛି, ବୁମରାଙ୍କୁ ବିଶ୍ରାମ ଦିଆଯିବ। ଏହି ସ୍ଥାନରେ ଆକାଶ ଦୀପ କିମ୍ବା ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ । ଖାଲି ସେତିକି ନୁହେଁ, ଉଭୟ ବୁମରା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବିଶ୍ରାମ ଦେଇ ଆକାଶ ଦୀପ ଓ ଅର୍ଶଦୀପଙ୍କୁ ମଧ୍ୟ ଖେଳାଯାଇପାରେ ।
ଦ୍ୱିତୀୟ ସ୍ପିନର: ସୁନ୍ଦରଙ୍କୁ ଅଗ୍ରାଧିକାର ଏଜବାଷ୍ଟନରେ ୨ଜଣ ସ୍ପିନର ନେଇ ଖେଳିବାକୁ ଯୋଜନା କରାଯାଉଛି । ରବିନ୍ଦ୍ର ଜାଡ଼େଜା ପ୍ରଥମ ସ୍ପିନର ଭାବେ ରହିଛନ୍ତି । ଦ୍ୱିତୀୟ ସ୍ପିନର ସ୍ଥାନ ପାଇଁ ସୁନ୍ଦର ଓ କୁଲଦୀପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
କୁଲଦୀପଙ୍କ ଅପେକ୍ଷା ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ସୁନ୍ଦରଙ୍କୁ ଅଗ୍ରାଧିକାର ମିଳିପାରେ । ସୁନ୍ଦର ଖେଳିଲେ ବ୍ୟାଟିଂ ବିଭାଗ ଲମ୍ବା ହେବ । କେବଳ ସେତିକି ନୁହେଁ, ମ୍ୟାଚ୍ର ପ୍ରଥମ, ତୃତୀୟ ଓ ପଞ୍ଚମ ଦିନରେ ବର୍ଷା ହୋଇପାରେ । ଏଭଳି ସ୍ଥଳେ ସ୍ପିନ ବୋଲିଂ କାମ ନକଲେ ସୁନ୍ଦର ବ୍ୟାଟିଂରେ ସହାୟତା କରିବେ ।
ଭାରତ ପାଇଁ ଡକେଟ୍ ଡର
ହେଡିଂଲେରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଓପନର ବେନ ଡକେଟ୍ ପ୍ରଥମ ଇନିଂସରେ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦ୍ୱିତୀୟ ଇନିଂସରେ ମ୍ୟାଚ୍ ବିଜୟୀ ଶତକୀୟ ପାଳି ଖେଳିଥିଲେ । ଡକେଟ୍ଙ୍କ ବ୍ୟାଟିଂ ଶୈଳୀ ଓ ଫର୍ମ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ତାଙ୍କୁ ସହଳ ପାଭିଲିୟନ ପଠାଇବା ପାଇଁ ଭାରତକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।
ଟସ ଜିତିଲେ ବ୍ୟାଟିଂ: ଏଜବାଷ୍ଟନ ପିଚ୍ରେ ଘାସ ରହିଥିଲେ ହେଁ ନିମ୍ନ ଭାଗ ଶୁଷ୍କ ରହିଛି । ତେଣୁ ପିଚ୍ ସ୍ପିନରଙ୍କୁ ସହାୟତା କରିବା ଆଶା କରାଯାଉଛି । ଅବଶ୍ୟ ପ୍ରଥମ ଇନିଂସରେ ବ୍ୟାଟିଂ ସହଜ ହେବ । ପିଚ୍ ନଫାଟିବା ପର୍ଯ୍ୟନ୍ତ ବ୍ୟାଟରମାନେ ବେଶ୍ ଫାଇଦା ଉଠାଇ ପାରିବେ । ଫଳରେ ଟସ ବିଜୟୀ ଦଳ ବ୍ୟାଟିଂ କରି ବିଶାଳ ସ୍କୋର ପାଇଁ ପ୍ରୟାସ କରିବେ ।
ଚୂଡ଼ାନ୍ତ ଇଂଲଣ୍ଡ ଏକାଦଶ: ଜ୍ୟାକ୍ କ୍ରଲି, ବେନ ଡକେଟ୍, ଓଲି ପୋପ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ବେନ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ, କ୍ରିସ ୱକ୍ସ, ବ୍ରାଇଡନ କାର୍ସ, ଜୋସ ଟଙ୍ଗ, ସୋହେବ ବସିର ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଯଶସ୍ୱୀ ଜୈସ୍ୱାଲ୍, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ରିଷଭ ପନ୍ତ, କରୁଣ ନାଏର, ରବିନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ଆକାଶ ଦୀପ/ପ୍ରସିଦ୍ଧ କ୍ରିଷ୍ଣା ।