ନୂଆଦିଲ୍ଲୀ,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଫଣ୍ଡିଂରେ ଜଡିତ ଏକ ରାକେଟର ପର୍ଦ୍ଧାଫାଶ ହୋଇଛି। ଡ୍ରଗ୍ସ ବିକ୍ରି କରି ଆତଙ୍କବାଦୀଙ୍କ ସାହାଯ୍ୟ କରୁଥିବା ମାମଲାରେ ୬ ସରକାରୀ କର୍ମଚାରୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ବରଖାସ୍ତ କରାଯାଇଛି। ଏଥିରେ ୫ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଶିକ୍ଷକ ରହିଛନ୍ତି। ଯାଞ୍ଚ ବେଳେ ଜଣାପଡିଛି ଯେ, ସରକାରୀ କର୍ମଚାରୀ ପାକିସ୍ତାନ ଆଇଏସ୍ଆଇର ଏକ ନାର୍କୋ ଟେରର ନେଟଓ୍ବର୍କର ଅଂଶ ଥିଲେ।
ମିଳିଥିବା ସୂଚନା ଅନୁସାରେ, ଏହି ଲୋକ ଜମ୍ମୁ-କଶ୍ମୀରରେ ଡ୍ରଗ୍ସର ବେଆଇନ କାରବାରରେ ସାହାଯ୍ୟ କରୁଥିଲେ। ଏଥିରୁ ମିଳିଥିବା ଫଣ୍ଡିଂର ବ୍ୟବହାର ପାକିସ୍ତାନର ଆତଙ୍କବାଦି ସଂଗଠନ ଭୟ ସୃଷ୍ଟି କରିବାକୁ କରୁଥିଲା। ପିଟିଆଇର ସୂଚନା ଅନୁସାରେ, ଡ୍ରଗ୍ସର ବିକ୍ରି କରି ଆତଙ୍କୀ ଫଣ୍ଡିଂ ମାମଲାରେ ୬ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଆକ୍ସନ ନିଆଯାଇଛି।
ଅଭିଯୁକ୍ତମାନେ ହେଲେ ଫାରୁକ୍ ଅହମ୍ମଦ ଶେଖ, ଖାଲିଦ ହୁସେନ୍ ଶାହ, ରହମତ ଶାହ, ଇର୍ଶାଦ ଅହମ୍ମଦ ଚାକୁ, ସୈଫ ଦିନ। ଉପରାଜ୍ୟପାଳ ମନୋଜ ସିହ୍ନା ସମ୍ବିଧାନର ଧାରା ୩୧୧(୨) ବ୍ୟବହାର କରି ଏହି ସମସ୍ତଙ୍କୁ ତୁରନ୍ତ ସେବାରୁ ହଟାଇ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ସମ୍ବିଧାନରେ ଏହି ଆର୍ଟିକିଲ ଅନୁସାରେ, ନିୟମ ରହିଛି ଯଦି କେହି ଦେଶର ସୁରକ୍ଷା ସହ ଖେଳେ ତେବେ ରାଷ୍ଟ୍ରପତି କିମ୍ବା ଉପରାଜ୍ୟପାଳ ତାଙ୍କୁ ବିନା କୌଣସି ଯାଞ୍ଚରେ ତୁରନ୍ତ ସେବାରୁ ହଟାଇ ପାରିବେ।