ନୂଆଦିଲ୍ଲୀ, ୦୨/୦୭ : ଇରାନ ପରେ ଏବେ ଗାଜାରେ ହେବ ଯୁଦ୍ଧବିରାମ। ସମାପ୍ତ ହେବ ରକ୍ତସଙ୍ଘର୍ଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ସେ କହିଛନ୍ତି, ୬୦ ଦିନର ଅସ୍ତ୍ରବିରତି ପାଇଁ ଇସ୍ରାଏଲ୍ ରାଜି। ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ କାମ କରିବ ଆମେରିକା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଆମେରିକା ଗସ୍ତ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ସେ ହମାସ୍କୁ ବି ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ୍କୁ ଏବେ ଏହି ଡିଲ୍ ମାନିବାକୁ ପଡ଼ିବ, ନହେଲେ ସ୍ଥିତି ଆହୁରି ବିଗିଡ଼ିବ।
ଟ୍ରମ୍ପ ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ରେ ଲେଖିଛନ୍ତି ଯେ, ମୋର ପ୍ରତିନିଧିମାନେ ଇସ୍ରାଏଲୀ ଅଧିକାରୀଙ୍କ ସହ ଗାଜା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସଫଳ ହୋଇଛି। ଇସ୍ରାଏଲ୍ ଦୁଇ ମାସ ଯାଏଁ ଅସ୍ତ୍ରବିରତି ପାଇଁ ସହମତ ହୋଇଛି। ଏହି ସମୟରେ ଆମେ ସବୁ ପକ୍ଷ ସହ ମିଶି ଯୁଦ୍ଧ ସମାପ୍ତ କରିବା ଦିଗରେ କାମ କରିବା। ଏହି ପ୍ରସ୍ତାବରେ ସହମତି ନେଇ କତାର ଏବଂ ମିଶରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏମାନେ ମଧ୍ୟସ୍ଥତା କରି ହମାସ୍କୁ ଶାନ୍ତି ପାଇଁ ଅପିଲ୍ କରିବେ।
ଟ୍ରମ୍ପ ହମାସ୍କୁ ଚେତାବନୀ ଦେଇଛନ୍ତି ଯେ, ମୁଁ ଆଶା କରୁଛି ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ହମାସ୍ ଏହି ଡିଲ୍କୁ ସ୍ଵୀକାର କରିବ। ଏହାଦ୍ଵାରା ସ୍ଥିତିରେ ସୁଧାର ଆସିବ। ଯଦି ହମାସ ଏହି ପ୍ରସ୍ତାବ ନମାନେ ତାହେଲେ ସ୍ଥିତି ଆହୁରି ବିଗିଡ଼ିବ। ତେବେ ଟ୍ରମ୍ପ ଆଶା ରଖିଛନ୍ତି ଯେ, ଆସନ୍ତା ସପ୍ତାହରେ ବେଞ୍ଜାମିନ ନେତନ୍ୟାହୁଙ୍କ ଆମେରିକା ଗସ୍ତ ସମୟରେ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ବୁଝାମଣା ହେବ।